ଘରୋଇ ଏବଂ କର୍ପୋରେଟ ସେକ୍ଟରରେ କର୍ମଚାରୀଙ୍କ କାର୍ଯ୍ୟସମୟ କେତେ ବଢାଯାଇ ପାରିବ ତାକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି । କିଛି ଦିନ ତଳେ ଇନଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି କହିଥିଲେ, ଯୁବ କର୍ମଚାରୀମାନେ ସପ୍ତାହରେ ଅତିକମରେ ୭୦ ଘଣ୍ଟା କାମ କରିବା ଦରକାର । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ଏଲ ଆଣ୍ଡ ଟି ଅଧ୍ୟକ୍ଷ ଏହି ଚର୍ଚ୍ଚାରେ ନିଆଁ ଲଗାଇ ଦେଇଛନ୍ତି । ସେ ଅନେକ ପାଦ ଆଗକୁ ଚାଲି ଯାଇଛନ୍ତି । ସେ କହିଛନ୍ତି, କର୍ମଚାରୀମାନେ ସପ୍ତାହରେ ୯୦ ଘଣ୍ଟା କାମ କରିବା ଦରକାର । ଏପରିକି ରବିବାର ଦିନ ବି କାମ କରିବା ଦରକାର ବୋଲି କହିଛନ୍ତି ଏଲ ଆଣ୍ଡ ଟି ଅଧ୍ୟକ୍ଷ ଏସ.ଏନ.ସୁବ୍ରମଣ୍ୟମ ।
ଅଧିକ ପଢନ୍ତୁ:ମାତ୍ର ୪/୫ଟି ହିଟ୍ ଦେଇଦେଲେ ଏମାନେ ବଲିଉଡର ବାପା ହୋଇଯିବେ ନାହିଁ: ସଞ୍ଜୟ ଗୁପ୍ତା
ଅନ୍ୟପକ୍ଷେ ଏପରି ମନ୍ତବ୍ୟ ଦେଇ ସୁବ୍ରମଣ୍ୟମ ଖୁବ ଟ୍ରୋଲ ହୋଇଛନ୍ତି । ୟୁଜର୍ସମାନେ ଏହାକୁ ନେଇ କଡା ପ୍ରତିକ୍ରିୟା ରଖିବା ସହ ଆରପିଜି ଗ୍ରୁପର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ‘ସନ ଡେ’ର ନୂଆ ନାମକରଣ କରି ‘ସନ ଡ୍ୟୁଟି’ କରାଯାଉ ବୋଲି କହିଛନ୍ତି । ସେହିପରି ବଲିଉଡ ଅଭିନେତା ଦୀପିକା ପାଦୁକୋନ ଏହାକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ।
ଏଲ ଆଣ୍ଡ ଟି (ଲାର୍ସନ ଆଣ୍ଡ ଟୁବ୍ରୋ) କମ୍ପାନୀର ଅଧ୍ୟକ୍ଷ ଏସଏନ ସୁବ୍ରମଣ୍ୟମ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ମେସେଜ ଦେଇ କହିଛନ୍ତି, କର୍ମଚାରୀମାନେ ସପ୍ତାହରେ ୯୦ ଘଣ୍ଟା କାମ କରିବା ଦରକାର । ଏଲ ଆଣ୍ଡ ଟି ତାର କର୍ମଚାରୀଙ୍କୁ ଶନିବାର କାହିଁକି କାମ କରାଉଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ସୁବ୍ରମଣ୍ୟମ କହିଛନ୍ତି, ରବିବାର ବି କର୍ମଚାରୀମାନେ କାମ କରିବା ଦରକାର । ସେ କହିଲେ, ‘ମୋର ଅବଶୋଷ ଯେ, ମୁଁ କର୍ମଚାରୀମାନଙ୍କୁ ରବିବାର ଦିନ କାମ କରାଇ ପାରୁନି । ଯଦି ମୁଁ ରବିବାରରେ କର୍ମଚାରୀଙ୍କୁ କାମ କରାଇ ପାରିବି ତେବେ ବହୁତ ଖୁସି ହେବି । କାରଣ ମୁଁ ବି ରବିବାର କାମ କରୁଛି ।’
ସେତିକି ନୁହେଁ, କର୍ମଚାରୀମାନେ କାହିଁକି ଛୁଟି ନିଅନ୍ତି ବୋଲି ସୁବ୍ରମଣ୍ୟମ ପ୍ରଶ୍ନ କରିବା ସହ କହିଛନ୍ତି, ‘ଘରେ କେତେ ସମୟ ପତ୍ନୀଙ୍କ ମୁହଁକୁ ଚାହିଁ ରହି ପାରିବ ? ତା ଅପେକ୍ଷା ଅଫିସ ଯାଅ, କାମ କର’ ବୋଲି ସେ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ।
ଚୀନ ନାଗରିକଙ୍କ ଉଦାହରଣ ଦେଇ ସେ କହିଛନ୍ତି, ଚୀନ ନିଜର ଶକ୍ତିଶାଳୀ ୱର୍କ ପଲିସି ପାଇଁ ଆଜି ଆମେରିକାଠାରୁ ଆଗରେ ରହି ପାରିଛି । କାରଣ ଚୀନ ଲୋକମାନେ ସପ୍ତାହରେ ୯୦ ଘଣ୍ଟା କାମ କରନ୍ତି । ଅନ୍ୟପକ୍ଷେ ଆମେରିକା ଲୋକମାନେ ସପ୍ତାହରେ ୫୦ ଘଣ୍ଟା କାମ କରନ୍ତି ।
ଏପରି ବିବାଦୀୟ ବୟାନ ଦେବା ପରେ ଖୁବ ଟ୍ରୋଲ ହୋଇଛନ୍ତି ସୁବ୍ରମଣ୍ୟମ । ଜଣେ ୟୁଜର୍ସ କହିଛନ୍ତି, ‘ଏଲ ଆଣ୍ଡ ଟିରେ କାମ କରୁଛି । ଏବେ ଆପଣମାନେ ଚିନ୍ତା କରନ୍ତୁ, କେମିତି ପରିସ୍ଥିତି ଦେଇ ଗତି କରବାକୁ ପଡ଼ୁଛି ।’
ଅନ୍ୟଜଣେ ୟୁଜର୍ସ ତାଙ୍କୁ ନାରାୟାଣମୂର୍ତ୍ତିଙ୍କ ସହ ତୁଳନା କରିଛନ୍ତି । ଅନ୍ୟଜଣେ ୟୁଜର୍ସ କମ୍ପାନୀକୁ ଅଲଗା ଅଲଗା ବିକଳ୍ପ ରଖିବାକୁ ପରାମର୍ଶ ଦେଇଛନ୍ତି । ଯେମିତି ସପ୍ତାହରେ ୪୦ ଘଣ୍ଟା, ୫୦ ଘଣ୍ଟା, ୩୦ ଘଣ୍ଟା.. । ଆଉ ଯେତେ ଅଧିକ ଘଣ୍ଟା କାମ ସେତେ ଅଧିକ ବେତନ ।’
ଅନ୍ୟପକ୍ଷେ ଆରପିଜି ଗ୍ରୁପର ଅଧ୍ୟ ହର୍ଷ ଗୋଏଙ୍କା ଏକ୍ସରେ ପ୍ରତିକ୍ରିୟା ରଖିଛନ୍ତି । ସେ ଲେଖିଛନ୍ତି, ‘ସପ୍ତାହରେ ୯୦ ଘଣ୍ଟା କାମ ? ତେବେ ‘ସନ ଡେ’ ନାମ ପରିବର୍ତ୍ତନ କରି ‘ସନ ଡ୍ୟୁଟି’ ବୋଲି କାହିଁକି ରଖାଯିବନି ?’ ବୋଲି ପ୍ରଶ୍ନ କରଛନ୍ତି । ‘ଛୁଟି ଦିନ’କୁ ଏକ ପୌରାଣିକ ଚିନ୍ତାରେ ପରିଣତ କରିବାକୁ ସେ କହିଛନ୍ତି ।
ଗୋଏଙ୍କା କଠିନ ପରିଶ୍ରମର ମହତ୍ୱକୁ ସ୍ୱୀକାର କରିବା ସହ ବହୁତ ଆଗକୁ ବଢିଯିବାର ବିପଦ ପ୍ରତି ମଧ୍ୟ ଚେତାବନୀ ଦେଇଛନ୍ତି । ପରିଶ୍ରମ ଏବଂ ବୁଦ୍ଧିମତା ଉପରେ ଗୁରୁତ୍ୱ ଦେଇ କେମିତି କାମ କରିବା ଉଚିତ ତା’ ଉପରେ ନିଜର ମତ ରଖିଛନ୍ତି । ଆଦୌ ଶେଷ ହେଉ ନ ଥିବା ଅଫିସ ସିଫ୍ଟରେ ନିଜ ଜୀବନକୁ ବାନ୍ଧି ନ ରଖିବା ପାଇଁ ସେ ଚେତାବନୀ ଦେଇଛନ୍ତି । ସେ ଆହୁରି କହିଛନ୍ତି, କାମ ଏବଂ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଇଚ୍ଛାଧୀନ ନୁହେଁ ବରଂ ବାଧ୍ୟତାମୂଳକ । ଏହାର ଆବଶ୍ୟକତା ରହିଛି । ସେ ନିଜ ଲେଖାରେ #WorkSmartNotSlave କୁ ମଧ୍ୟ ଯୋଡିଛନ୍ତି ।
ସେହିପରି ସୁବ୍ରମଣ୍ୟମଙ୍କ ପୋଷ୍ଟ ଉପରେ ମତ ରଖିଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ସେ ଏପରି ମନ୍ତବ୍ୟରେ ଆଶ୍ଚର୍ଯ୍ୟ ହେବା ସହ ମାନସିକ ସ୍ୱାସ୍ଥ୍ୟର ପ୍ରସଙ୍ଗ ଉଠାଇଛନ୍ତି । ତାଙ୍କ ଇନଷ୍ଟା ଆକାଉଣ୍ଟରେ ପ୍ରତିକ୍ରିୟା ରଖି ଦୀପିକା କହିଛନ୍ତି, ‘ ଏପରି ଜଣେ ବରିଷ୍ଠ ଲୋକଙ୍କ ପାଖରୁ ଏପରି ମନ୍ତବ୍ୟ ମିଳିବା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ।’ ସେ ତାଙ୍କ ମତରେ #MentalHealthMattersକୁ ଯୋଡିଛନ୍ତି ।