ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ଘଟିଥିବା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣ ଆରମ୍ଭ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ପରେ ନିଜର ଅଭିଭାଷରେ ଅନେକ ଦିଗ ଉପରେ ଆଲୋକପାତ କରିଛନ୍ତି।
ରାଷ୍ଟ୍ରପତି କହିଛନ୍ତି, ଭାରତ ସରକାରଙ୍କ ପ୍ରୟାସ ଯୋଗୁଁ ଦେଶ ନିରନ୍ତର ପ୍ରଗତି କରୁଛି। ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ବାମୀତ୍ବ କାର୍ଡରେ ସାମିଲ କରାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ, ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ଛଅ କୋଟି ବରିଷ୍ଠ ନାଗରିକଙ୍କୁ ସ୍ବାସ୍ଥ୍ୟ ବୀମା ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି। ସମସ୍ତଙ୍କୁ କିପରି ଆବାସ ଯୋଜନାରେ ସାମିଲ୍ କରାଯିବ ସେ ନେଇ ଅନେକ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିସ୍ତାର କରିବା ଏବଂ ତିନି କୋଟି ଅତିରିକ୍ତ ପରିବାରକୁ ନୂତନ ଘର ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି ।
ରାଷ୍ଟ୍ରପତି କହିଛନ୍ତି, ଗରିବଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ବ ଦିଆଯାଉଛି। ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ୍ ଦୌଡୁଛି । ୨୫ କୋଟି ଲୋକଙ୍କୁ ଗରିବୀ ସୀମାରୁ ଉପରକୁ ଉଠାଯାଇଛି ।ଭାରତ ବିଶ୍ବର ତୃତୀୟ ବଡ଼ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି । ସରକାର ଅଷ୍ଟମ ବେତନ କମିଶନ ଉପରେ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା କେନ୍ଦ୍ରୀୟ କର୍ମଚାରୀମାନେ ଅନେକ ଲାଭ ପାଇବେ। ଆୟକର ଦାତାଙ୍କ ପାଇଁ ଟିକସ ବ୍ୟବସ୍ଥା ସରଳ କରାଯାଇଛି। ମଧ୍ୟବିତ୍ତ ଯେତେ ବଡ଼ ସ୍ବପ୍ନ ଦେଖିବ, ଦେଶ ସେତେ ଆଗେଇବ ବୋଲି ରାଷ୍ଟ୍ରପତି କହିଛନ୍ତି।
୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଆମ ସରକାରର ଲକ୍ଷ୍ୟ। ଏବେ ୧ କୋଟି ୩୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି। ଡ୍ରୋନ୍ ଦିଦି ଜରିଆରେ ମହିଳାଙ୍କୁ ସଶକ୍ତ କରାଯାଉଛି। ଅଲିମ୍ପିକ୍ସରେ ଦେଶର ଝିଅମାନେ ପଦକ ଜିତୁଛନ୍ତି । ଆଜିର ମହିଳା ଲଢ଼ୁଆ ବିମାନ ଉଡ଼ାଉଛନ୍ତି । AI ଓ ଡିଜିଟାଲ କ୍ଷେତ୍ରରେ ଭାରତ ଏବେ ପଥ ପ୍ରଦର୍ଶକ ।କ୍ରୀଡ଼ା ପାଇଁ ବିଶ୍ବସ୍ତରୀୟ ବାତାବରଣ ସୃଷ୍ଟି କରାଯାଉଛି। ଶିକ୍ଷା ବ୍ୟବସ୍ଥା ନେଇ ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି, ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନ ସଂଖ୍ୟା ବଢ଼ିଛି। ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଏବେ ପ୍ରମୁଖ ଦେଶ ପାଲଟିଛି। ଦେଶରେ ରେକର୍ଡ ସଂଖ୍ୟାରେ ଡିଜିଟାଲ ପେମେଣ୍ଟ ହୋଇଛି।
ଅଧିକ ପଢ଼ନ୍ତୁ: ଆଜିଠୁ ସଂସଦର ବଜେଟ୍ ଅଧିବେଶନ; କାଲି ଖୋଲିବ ନିର୍ମଳାଙ୍କ ପେଡ଼ି
ସାଇବର କ୍ରାଇମ୍ ସାମାଜିକ ସୁରକ୍ଷାରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାର ମୁକାବିଲା ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି। ୧୦ ବର୍ଷ ତଳେ ଭିତ୍ତିଭୂମି ୨ ଲକ୍ଷ କୋଟି ଥିଲା, ଏବେ ୧୧ ଲକ୍ଷ କୋଟିରେ ପହଞ୍ଚିଛି। ସ୍ପେଶ୍ ଡକିଂରେ ଆମକୁ ସଫଳତା ମିଳିଛି । ପିଏମ୍ ଗତି ଶକ୍ତି ଦ୍ବାରା ଦେଶରେ କନେକ୍ଟିଭିଟି ବଢ଼ିଛି। ଦେଶରେ ରେଲୱେ ନେଟୱର୍କ ଓ ବିମାନ ବନ୍ଦର ସଂଖ୍ୟା ବଢ଼ିଛି । କାଶ୍ମୀରରେ ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ନିର୍ମାଣ ହୋଇଛି। ଦେଶରେ ମେଟ୍ରୋ ନେଟୱର୍କ ୧ ହଜାର କିମିରୁ ଊର୍ଦ୍ଧ୍ବ। ଦିଲ୍ଲୀରେ ମେଟ୍ରୋର ଦ୍ରୁତ ଗତିରେ ବିସ୍ତାର ହେଉଛି । ଶିଶୁ-ମାତୃ ମୃତ୍ୟୁ ହାରରେ ସୁଧାର ଆସିଛି । କ୍ୟାନସର ଔଷଧ ଉପରେ କଷ୍ଟମ ଡ୍ୟୁଟି ହଟାଯାଇଛି ।
ନର୍ଥଇଷ୍ଟରେ ଶାନ୍ତି ସ୍ଥାପନ ପାଇଁ ସରକାର କାମ କରୁଛନ୍ତି । ନର୍ଥଇଷ୍ଟର ବିକାଶକୁ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ବିକାଶର ବାତାବରଣ ତିଆରି ହୋଇଛି । ଲୋକସଭା ଓ ବିଧାନସଭା ନିର୍ବାଚନ ସେଠାରେ ଶାନ୍ତିରେ ସରିଛି। ଆଜି ବିଶ୍ବ ଭାରତର ଯୋଗ ପରମ୍ପରାକୁ ମାନିଛି। ୧୫୦୦ରୁ ଅଧିକ ଆଇନ ଉଚ୍ଛେଦ କରାଯାଇଛି। ଦଣ୍ଡ ନୁହେଁ, ନ୍ୟାୟ ସଂହିତା ଉପରେ ଗୁରୁତ୍ବ ଦିଆଯାଉଛି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ପଦକ୍ଷେପ ଉତ୍ସାହଜନକ। ନକ୍ସଲଙ୍କ ବିରୋଧରେ ଲଢ଼େଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନକ୍ସଲ ପ୍ରଭାବିତ ଅଞ୍ଚଳ ୧୨୬ରୁ ହ୍ରାସ ହୋଇ ୩୮ରେ ପହଞ୍ଚିଛି। ବିଶ୍ବବନ୍ଧୁର ଛବି ମଜବୁତ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି। ଏଥିସହ ବିପଦ ଓ ପ୍ରାକୃତିକ ବିପର୍ଯ୍ୟୟରେ ଭାରତ ଛିଡ଼ା ହୋଇଥିବା କହିଛନ୍ତି।