ଚାରି ଥର ବିଧାୟକ ଭାବେ ଜିତିଥିବା ସି. ରମେଶଙ୍କ ଭାରତୀୟ ନାଗରିକତ୍ୱକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଅଦାଲତକୁ ଭୁଲ୍ ତଥ୍ୟ ଦେଇଥିବାରୁ ତାଙ୍କ ଉପରେ ୩୦ ଲକ୍ଷ ଟଙ୍କା ଫାଇନ୍ ଆଦେଶ ଦେଇଛନ୍ତି ତେଲଙ୍ଗାନା ହାଇକୋର୍ଟ । ତେଲଙ୍ଗାନାର ବିଆରଏସ୍ ନେତା ରମେଶ ଜର୍ମାନୀର ନାଗରିକ ବୋଲି ହାଇକୋର୍ଟ ଅଦେଶ ଦେଇଛନ୍ତି । ଜଣେ ପୂର୍ବତନ ବିଧାୟକଙ୍କ ନାଗରିକତ୍ୱ ରଦ୍ଦ ହେବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ଏହି ତେଲଙ୍ଗାନାର ବେମୁଲାୱାଡାରୁ ୪ ଥର ବିଆରଏସ୍ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ରମେଶଙ୍କର ରାଜନୈତିକ କ୍ୟାରିୟରରେ ଏହା ପୂର୍ଣ୍ଣଚ୍ଛେଦ ପକାଇପାରେ । ସେ ଆଉ ନିର୍ବାଚନ ଲଢିପାରିବେନି । କିନ୍ତୁ ଏହି ଆଦେଶ ବିରୋଧରେ ସୁପ୍ରିମକୋର୍ଟ ଯାଇପାରିବେ । ୨୦୦୯ରୁ ସେ ଜିତିଥିବାରୁ ଜଣେ ଭାରତୀୟ ନାଗରିକଙ୍କ ସୁଯୋଗ ବା ଜିତିବାକୁ ସେ ଅଟକାଇଛନ୍ତି ବୋଲି ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ରମେଶଙ୍କୁ ସେ ଭାରତୀୟ ନାଗରିକ ନୁହଁନ୍ତି ବୋଲି ଘୋଷଣା କରିଥିଲେ । ହାଇକୋର୍ଟ ଏହାକୁ କାଏମ୍ ରଖିଛନ୍ତି ।
କଂଗ୍ରେସ ନେତା ଆଦି ଶ୍ରୀନିବାସ ହାଇକୋର୍ଟରେ କହିଥିଲେ ଯେ, ରମେଶ ନବେ ଦଶକରେ ଜର୍ମାନୀର ନାଗରିକତ୍ୱ ଗ୍ରହଣ କରିଥିଲେ । ସେଠାରେ ସେ ଚାକିରି କରିଥିଲେ । ସେଇଠି ସେ ଜଣେ ଜର୍ମାନୀ ମହିଳାଙ୍କୁ ବିବାହ କରିଛନ୍ତି ଓ ତାଙ୍କର ପିଲାଛୁଆ ମଧ୍ୟ ଅଛନ୍ତି । ସେ ୨୦୦୯, ୨୦୧୦, ୨୦୧୪ ଓ ୨୦୧୮ରେ ବିଧାନ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ଏହି ୪ ଥର ଯାକ କଂଗ୍ରେସ ନେତା ଆଦି ଶ୍ରୀନିବାସ ତାଙ୍କ ବିରୋଧରେ ଲଢି ପରାସ୍ତ ହୋଇଥିଲେ । ତେବେ ୨୦୨୩ ମସିହାରେ ରମେଶ ବିଜୟୀ ହୋଇଥିଲେ । ୨୦୨୩ରେ ରମେଶଙ୍କୁ ବିଆରଏସ୍ ଟିକେଟ ନ ଦେଇ ଜଣେ ନୂଆ ପ୍ରାର୍ଥୀଙ୍କୁ ଛିଡା କରାଇଥିଲା ।
Also Read
ଅଧିକ ପଢନ୍ତୁ:ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ଆସିପାରେ ୱାନ୍ ନେସନ୍-ୱାନ୍ ଇଲେକ୍ସନ ବିଲ୍
ରମେଶଙ୍କୁ କେନ୍ଦ୍ର ସରକାର ଜର୍ମାନୀ ନାଗରିକ ବୋଲି ଘୋଷଣା କରିବା ପରେ ସେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଥିଲେ । ସେ କୋର୍ଟଙ୍କୁ ମିଥ୍ୟା ତଥ୍ୟ ଦେଇଥିବାରୁ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି । ମିଥ୍ୟା ତଥ୍ୟ ଦେଇ ଭ୍ରମିତ କରିଥିବାରୁ ରମେଶଙ୍କ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ହାଇକୋର୍ଟ । ଏହି ୩୦ ଲକ୍ଷ ଟଙ୍କାରୁ ୨୫ ଲକ୍ଷ ଶ୍ରୀନିବାସଙ୍କୁ ଦିଆଯିବ ଓ ବାକି ୫ ଲକ୍ଷ ଟଙ୍କା ରାଜ୍ୟ ଆଇନସେବା ପ୍ରାଧିକରଣରେ ଜମା କରାଯିବ । ୨୦୦୮ରେ ସେ ଭାରତର ନାଗରିକତ୍ୱ ପାଇଁ ଆବେଦନ କରିବା ଉପରେ ମିଥ୍ୟା ତଥ୍ୟ ଦେଇଥିଲେ । ଯଦି ନାଗରିକତ୍ୱ ରଦ୍ଦ ହୁଏ, ସେ କୌଣସି ଦେଶରେ ଗଣା ହେବେନି ବୋଲି ହାଇକୋର୍ଟରେ ଦର୍ଶାଇଥିଲେ ।
୨୦୧୯ରେ ନାଗରିକତ୍ୱ ନେଇ ରମେଶଙ୍କ ବିରୋଧରେ ଶ୍ରୀନିବାସ କେନ୍ଦ୍ର ଗୃହ ମନ୍ତ୍ରାଳୟରେ ଆବେଦନ କରିଥିଲେ । ଏକ ବିଧିବଦ୍ଧ ତଦନ୍ତ ପରେ ତାଙ୍କୁ ଜର୍ମାନୀ ନାଗରିକ ବୋଲି କହିଥିଲେ କେନ୍ଦ୍ର ସରକାର । ନିୟମ ଅନୁସାରେ ଜଣେ ଅଣଭାରତୀୟ ଭାରତରେ ନିର୍ବାଚନରେ ଭୋଟ ଦେଇପାରିବନି କି ଲଢି ପାରିବନି । ବହୁ ବର୍ଷ ତଳୁ ରମେଶ ଜର୍ମାନୀର ନାଗରିକତ୍ୱ ଛାଡି ଦେଇଥିବାର ସଫେଇ ଦେଉଥିଲେ ମଧ୍ୟ ବାସ୍ତବରେ ସେ ଏବେ ବି ଜର୍ମାନୀର ନାଗରିକ ଅଛନ୍ତି ବୋଲି ହାଇକୋର୍ଟଙ୍କ ହୃଦବୋଧ ହୋଇଛି ।