ବିଲ୍ଡିଂରେ ହଠାତ୍ ନିଆଁ ଲାଗିଗଲା । ନିଆଁରୁ ବଞ୍ଚିବାକୁ ଉପାୟ ନପାଇ ସାତ ମହଲାରୁ ୨ ଛୁଆଙ୍କୁ ଧରି ଡେଇଁପଡିଲେ ବାପା । ଏକାସଙ୍ଗେ ଚାଲିଗଲା ୩ ଜୀବନ । ଆଜି ଦିଲ୍ଲୀର ଦ୍ୱାରକା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୩୫ ବର୍ଷୀୟ ବ୍ୟବସାୟୀ ୟଶ ଯାଦବ ଓ ତାଙ୍କର ଦୁଇ ପୁଅ-ଝିଅ । ୟଶ ନିଜ ପିଲାଙ୍କୁ ନେଇ ବାଲକୋନିରୁ ଡେଇଁ ପଡିଥିଲେ ।
ସୂଚନା ମୁତାବକ, ଆଜି ଦିନ ପ୍ରାୟ ୧୦ଟାରେ ଦ୍ୱାରକା ଅଞ୍ଚଳର ଶପଥ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଆପାର୍ଟମେଣ୍ଟର ୮ ଓ ୯ ମହଲା ବିଲଡିଂରେ ନିଆଁ ଲାଗିଯାଇଥିଲା । ବିଲ୍ଡିଂରେ ଏକାଧିକ ଲୋକ ଫସି ରହିଥିଲେ । ଖବର ପାଇ ତୁରନ୍ତ ୮ଟି ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗି ପଡିଥିଲେ । ବିଲ୍ଡିଂ ଭିତରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା ।
Also Read
ଅଧିକ ପଢନ୍ତୁ: ବିବାହ ପରେ ପ୍ରେମିକ ସହ ଯାଇଥିଲେ OYO, ଛୁରୀ ଭୁସି ମାରିଦେଲା
ତେବେ ଏହି ନିଆଁ ଲାଗିବା ଦେଖି ବିଲ୍ଡିଂର ୭ ମହଲାରେ ରହୁଥିବା ୟଶ ଯାଦବ ଭୟରେ ନିଜର ୨ ପୁଅ-ଝିଅଙ୍କୁ ଧରି ବାଲକୋନିରୁ ତଳକୁ ଡେଇଁ ପଡିଥିଲେ । ୩ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ନିଆଯାଇ ଥିବାବେଳେ ଡାକ୍ତର ସଭିଁଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦୁଇ ପିଲାଙ୍କ ବୟସ ପାଖାପାଖି ୧୦ ବର୍ଷ ହେବ ।
ତେବେ ନିଆଁରୁ ୟଶଙ୍କ ପତ୍ନୀ ଓ ବଡ଼ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉଭୟ ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଗ୍ନିକାଣ୍ଡ ବେଳେ ଦୁହେଁ ଘର ଭିତରେ ଥିଲେ । ହେଲେ ୟଶ ଆଉ ଦୁଇ ପିଲାଙ୍କୁ ନେଇ ୭ ମହଲା ବାଲକୋନିରୁ ଡେଇଁ ପଡିଥିଲେ ।