• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଢ଼ିଲା ଉଚ୍ଚ ପେନ୍‌ସନ୍‌ ପାଇଁ ଆବେଦନ ଅବଧି । ଇପିଏଫ୍‌ ସଦସ୍ୟଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି । ୩ ମାର୍ଚ୍ଚ ୨୦୨୩ରେ ଶେଷ ହେଉଥିବା ଉଚ୍ଚ ପେନ୍‌ସନ୍‌ ଆବେଦନ ଅବଧି ଏଣିକି ଆଉ ଶେଷ ତାରିଖ ନୁହେଁ । ଏହା ମାର୍ଚ୍ଚ ୩ରୁ ମେ’ ୩କୁ ଘୁଞ୍ଚିଯାଇଛି । ଏନେଇ ସୋମବାର ଇପିଏଫ୍‌ଓ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ଉଚ୍ଚ ପେନ୍‌ସନ୍‌ ପାଇଁ ଏବେ ସୁଦ୍ଧା ଆବେଦନ କରିନାହାନ୍ତି ସେମାନେ ଆଗାମୀ ମେ’ ୩ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଏକ ସିଂହ ଭାଗ ଇପିଏଫ୍‌ ସଦସ୍ୟ ଏବେ ସୁଦ୍ଧା ଉଚ୍ଚ ପେନ୍‌ସନ୍‌ ପାଇଁ ଆବେଦନ କରିପାରି ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, EPFO ପକ୍ଷରୁ ପେନ୍‌ସନ୍‌ଧାରୀଙ୍କ ପାଇଁ ଜାରି କରାଯାଇଥିଲା ନୂଆ ଗାଇଡ୍‌ଲାଇନ୍‌ । ଯେଉଁମାନେ ଉଚ୍ଚ ପେନ୍‌ସନ୍‌ ପାଇବା ପାଇଁ ହକ୍‌ଦାର ସେମାନେ ତୁରନ୍ତ ଆବେଦନ କରନ୍ତୁ ବୋଲି କୁହାଯାଇଥିଲା । ଏହି ନିର୍ଦ୍ଦେଶ ପରେ ଅନେକ EPFO ସଦସ୍ୟ ଉଚ୍ଚ ପେନ୍‌ସନ୍‌ ପାଇଁ ଆବେଦନ କରିଛନ୍ତି । ତେବେ ସେମାନଙ୍କ ପାଇଁ ଆବେଦନର ଶେଷ ତାରିଖ ଥିଲା ୨୦୨୩ ମାର୍ଚ୍ଚ ୩ । 

ସୁପ୍ରିମକୋର୍ଟ ଙ୍କ ରାୟ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଉଚ୍ଚ ପେନ୍‌ସନ୍‌ ପାଇବାକୁ ହେଲେ ଉଭୟ ଏମ୍ପ୍ଲୋୟର ଏବଂ ଏମ୍ପ୍ଲୋଇ ମିଳିତ ଭାବେ ଆବେଦନ କରିବାକୁ ହେବ । ସୁପ୍ରିମ୍‌କୋର୍ଟଙ୍କ ଏହି ରାୟ ପରେ ଏକ ସିଂହ ଭାଗ ଲୋକ ଉପକୃତ ହେବେ ବୋଲି କୁହାଯାଇଥିଲା । ୨୦୧୪ ପୂର୍ବରୁ ଲାଗୁହୋଇଥିବା ନିୟମକୁ ପୁଣି ଲାଗୁ କରିଥିଲେ ସୁପ୍ରିମ୍‌କୋର୍ଟ । ଅର୍ଥାତ୍‌ ପେନ୍‌ସନ୍‌ ସ୍କିମ୍‌କୁ ନେଇ ୨୦୧୪ରେ ଯେଉଁ ନୂଆ ନିୟମ ଘୋଷଣା କରାଯାଇଥିଲା, ତାକୁ ରଦ୍ଦ କରିଥିଲେ ସୁପ୍ରିମ୍‌କୋର୍ଟ ।

୨୦୧୪ ପୂର୍ବରୁ ୧୫ ହଜାର ଟଙ୍କାରୁ କମ୍‌ ଦରମା ପାଉଥିବା କର୍ମଚାରୀ ବି ପେନ୍‌ସନ୍‌ ସ୍ମିମ୍‌ରେ ସାମିଲ ହେଉଥିଲେ । ଯାହାକୁ ୨୦୧୪ ପରେ ରଦ୍ଦ କରାଯାଇଥିଲା । କିନ୍ତୁ ପୁଣି ସେହି ନିୟମକୁ ବୈଧ ବୋଲି କହିଥିଲେ ସୁପ୍ରିମ୍‌କୋର୍ଟ । ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ଅନିରୁଦ୍ଦ ବୋଷ ଓ ବିଚାରପତି ସୁଧାଂଶୁ ଧୁଳିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଥିଲେ ।

୧୫ ହଜାର ଟଙ୍କାରୁ କମ୍‌ ଅର୍ଥାତ୍‌ ଅନ୍ୟୁନ ୬୫୦୦ ଟଙ୍କା ବେତନ ପାଉଥିବା କର୍ମଚାରୀ ବି ପେନ୍‌ସନ୍‌ ସ୍କିମ୍‌ରେ ସାମିଲ ହୋଇପାରିବେ । ତେବେ ଏହି ସ୍କିମ୍‌ରେ ସାମିଲ ହେବା ପାଇଁ ଯେଉଁ କର୍ମଚାରୀମାନେ ଆବେଦନ କରିପାରି ନାହାନ୍ତି, ସେମାନଙ୍କୁ ସାମିଲ ହେବା ପାଇଁ ୬ ମାସ ସମୟ ଦେବାକୁ କହିଥିଲେ ସୁପ୍ରିମ୍‌କୋର୍ଟ । ତେବେ ସୁପ୍ରିମକୋର୍ଟଙ୍କ ପରାମର୍ଶ ପରେ ଯେଉଁ ସମୟ ଦିଆଯାଇଥିଲା ତାହା ମାର୍ଚ୍ଚ ୩ରେ ସରୁଥିଲା । କିନ୍ତୁ ଏବେ ତାକୁ ବୃଦ୍ଧି କରାଯାଇ ମେ’ ୩ ଶେଷ ତାରିଖ ବୋଲି କୁହାଯାଇଛି । 

ତେବେ ଏହି ଆବେଦନ ପାଇଁ ଏବେ ଅନ୍‌ଲାଇନ୍‌ର ସୁବିଧା ମଧ୍ୟ ରହିଛି । EPFO ସଦସ୍ୟ ଚାହିଁଲେ ଉଚ୍ଚ ପେନ୍‌ସନ୍‌ ପାଇଁ ଅନ୍‌ଲାଇନ୍‌ ଜାରିଆରେ ମଧ୍ୟ ଆବେଦନ କରିପାରିବେ । ଯଦି ଏହି ନୂଆ ଗାଇଡ୍‌ଲାଇନ୍‌ ପାଳନ କରାନଯାଏ ତେବେ ଉଚ୍ଚ ପେନ୍‌ସନ୍‌ ପାଇବାକୁ ଯୋଗ୍ୟ କର୍ମଚାରୀ ମଧ୍ୟ କମ୍‌ ପେନ୍‌ସନ୍‌ ପାଇବାର ସମ୍ଭାବନା ରହିଛି ।

ଉଚ୍ଚ ପେନ୍‌ସନ୍‌ ପାଇଁ କେମିତି କରିବେ ଆବେଦନ 

  • ଇପିଏଫ୍‌ଓ ପକ୍ଷରୁ କୁହାଯାଇଛି ଯେ, ଏଥିପାଇଁ ଏକ ସୁବିଧା ପ୍ରଦାନ କରାଯିବ, ଯେଉଁଥିପାଇଁ ଏକ URLକୁ ସୂଚିତ କରାଯିବ ।
  • ସବୁ ଆବେଦନ ରେଜିଷ୍ଟର ହେବ । ଡିଜିଟାଲ ମାଧ୍ୟମରେ ଏହାକୁ ଲଗ୍‌ଇନ୍‌ କରାଯବ ଏବଂ ଆବେଦନକାରୀଙ୍କୁ ରସିଦ୍‌ ସଂଖ୍ୟା ମଧ୍ୟ ପ୍ରଦାନ କରାଯିବ ।
  • ଉକ୍ତ ସଂସ୍ଥାର ଅଧିକାରୀ ପ୍ରତ୍ୟେକ ଆବେଦନକୁ ଯାଞ୍ଚ କରିବେ । ଏହାପରେ ଆବେଦନକାରୀଙ୍କୁ ଇମେଲ୍‌ କିମ୍ବା ଚିଠି ଏବଂ ପରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚିତ କରିବେ ।
  • ଆବେଦନକାରୀ ଯଦି କୌଣସି ଅଭିଯୋଗ ଦାଖଲ କରିବାକୁ ଚାହେଁ ତେବେ ଅଭିଯୋଗ ପୋର୍ଟାଲକୁ ଯାଇ ସେ ଦାଖଲ କରିପାରିବେ ।
  • ସମସ୍ତ ଦସ୍ତାବିଜ୍ ଏବଂ ଘୋଷଣା ପତ୍ର ସହ ଏହି ଆବେଦନ କରିବାକୁ ହେବ ।

OTV is now on Whatsapp

Join and get latest news update delivered to you via whatsapp

Join Now