• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଥାରେ ଅଛି ଅଣ୍ଡାଳି ପାଉନି ଆପଣା କଚ୍ଛା... ବାପା କଉପୁନି ଖୋଲିବା ଇଚ୍ଛା । ଅତୀତରେ ଏହି ଢଗଟି ନିଶ୍ଚୟ ଶୁଣିଥିବେ । ଆଉ ଆଜି ବାସ୍ତବରେ ଏହାର ସତ୍ୟତା ଦେଖିବାକୁ ମିଳିଛି । ଝିଅର ଜୋତା ଟ୍ରେନ୍‌ରୁ ଚୋରି ହୋଇଛି । ଆଉ କ୍ଷମତାରେ ଥିବା ବାପା କହୁଛନ୍ତି ମୁଁ ଖୋଜି ଆଣିବି । 
ଅତୀତରେ ରେଳ ଯାତ୍ରା ସମୟରେ ଅନେକ ଲୋକଙ୍କ ଅନେକ ଜିନିଷ ଚୋରି ହୋଇଥିବା ଖବର ଆପଣଙ୍କ ନଜରକୁ ଆସିଥିବ । ଆଉ କିଛି ଘଟଣା ଦୁର୍ଘଟଣା ମଧ୍ୟ ସାମ୍ନାକୁ ଆସିଥିବ । ଯାହାର ସମାଧାନ ମଧ୍ୟ ହୋଇନଥିବ । ହେଲେ ଏବେ ସାମାନ୍ୟ ଜୋତାକୁ ନେଇ ଦେଖିବାକୁ ମିଳିଛି ହାଇଡ୍ରାମା।

ସୂଚନା ଅନୁସାରେ ଟ୍ରେନ୍ ଯାତ୍ରା ସମୟରେ ସମ୍ବଲପୁର DRMଙ୍କ ଝିଅର ଜୋତା ଚୋରି ହୋଇଥିଲା।  ବରେଲି-ମୋରଦାବାଦ ଡିଭିଜନର ରେଳ ମୁଖ୍ୟାଳୟ ନିକଟରେ ଏହି ଜୋତା ଚୋରି ହୋଇଥିବା ବେଳେ ଉତ୍ତେଜନା ଦେଖାଦେଇଥିଲା ।  

ରେଳ ଅଧିକାରୀ ଏବଂ କର୍ମଚାରୀ ଘଟଣାକୁ ଦେଖି ଭୟଭୀତ ମଧ୍ୟ ହୋଇଥିଲେ । ପରେ ଜୋତା ଚୋରି ହେବାକୁ ନେଇ ଥାନାରେ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା । ମାମଲା ହେବା ପରେ ଦୁଇଟି ବିଭାଗର ରେଳ ପୋଲିସ ଜୋତା ଖୋଜିବା କାର୍ଯ୍ୟରେ ନିୟୋଜିତ ରହିଥିଲେ । ପ୍ରାୟ ଏକ ମାସ ଧରି ଏହି କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। 

ଦୁଇଟି ବିଭାଗର ରେଳ ପୋଲିସକୁ ଜୋତା ଖୋଜିବା ଦାୟିତ୍ୱ ଦିଆଯିବା ପରେ ରେଳ ପୋଲିସକୁ ମଧ୍ୟ ଆକ୍ସନ୍ ମୋଡ୍‌ରେ ଦେଖିବାକୁ ମିଳିଥିଲା ।   ନିଖୋଜ ଜୋତାର ଜୋରଦାର ତଦନ୍ତ କରିଥିଲା ପୋଲିସ ।  

ବିଭାଗୀୟ ସୂତ୍ର ଅନୁଯାୟୀ, ଗତ ଜାନୁଆରୀ ୪ ତାରିଖରେ ଲକ୍ଷ୍ନୌ ମେଲରେ ଓଡିଶାର ଡିଆରଏମଙ୍କ ଝିଅର ଜୋତା ଚୋରି ହୋଇଥିଲା । ଚୋରି ହୋଇଥିବା ଜୋତାର ମୂଲ୍ୟ ପ୍ରାୟ ୧୦ହଜାର ଟଙ୍କା ବୋଲି କୁହାଯାଉଛି । ଏଥିସହ ପାଖ ସିଟରେ ବସିଥିବା ମହିଳା ଯାତ୍ରୀ ତାଙ୍କ ଜୋତା ଛାଡ଼ି ଭୁଲ୍ ବଶତଃ ଏହି ଜୋତା ନେଇଯାଇଥିବା ଅଭିଯୋଗ ହୋଇଛି ।  

ଏହି ମହିଳା ଯାତ୍ରୀ ଜଣକ ବରେଲି ଜଙ୍କସନରେ ଓହ୍ଲାଇଥିଲେ । ଏହି ମାମଲା DRM ସହ ଜଡିତ ଥିବାରୁ ରେଳବାଇ ଅଧିକାରୀମାନେ ତୁରନ୍ତ ମାମଲା ରୁଜୁ କରିଥିଲେ । ଦୁଇଟି ବିଭାଗର ରେଳ ପୋଲିସ ଚୋରି ହୋଇଥିବା ଜୋତା ଖୋଜିବାରେ ନିୟୋଜିତ ରହିଥିଲେ । 

ତେବେ ଏହି ଘଟଣା ଭଳି ଅନ୍ୟ ସବୁ ଘଟଣାରେ ଯଦି ବିଭାଗୀୟ ଅଧିକାରୀମାନେ ଏଭଳି ତତ୍ପରତା ଦେଖାନ୍ତେ, ସାଧାରଣ ଯାତ୍ରୀମାନେ ମଧ୍ୟ ଉପକୃତ ହୋଇପାରନ୍ତେ ବୋଲି କୁହାଯାଉଛି।