ଇଡିକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଅଯଥାରେ ଭୟର ବାତାବରଣ ସୃଷ୍ଟି ନ କରିବାକୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ଛତିଶଗଡ଼ ସରକାରଙ୍କ ଏକ ଆବେଦନର ଶୁଣାଣି କରି ଇଡିକୁ ଏହି କଡ଼ା କଥା ଶୁଣାଇଛନ୍ତି କୋର୍ଟ। ଛତିଶଗଡ଼ର ଅବକାରୀ ଅଧିକାରୀଙ୍କୁ ଇଡି ତରଫରୁ ଧମକ ଦିଆଯାଉଥିବା ଓ ମଦ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଫସାଇବାର ଚକ୍ରାନ୍ତ ହେଉଛି ବୋଲି ସୁପ୍ରିମକୋର୍ଟକୁ ଜଣାଇଥିଲେ ଛତିଶଗଡ଼ ସରକାର।
ଏହାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି-ଅଯଥାରେ ଭୟର ବାତାବରଣ ସୃଷ୍ଟି କରାଗଲେ, ଭଲ କାମକୁ ମଧ୍ୟ ଲୋକେ ସନ୍ଦେହ ଦୃଷ୍ଟିରେ ଦେଖିବେ । ମଦ ଦୁର୍ନୀତିର ତଦନ୍ତ ଆଳରେ ଇଡି ଧମକ ଚମକ ଦେଉଥିବାର ଅଭିଯୋଗ କରିଥିଲେ କିଛି ଅଧିକାରୀ।
ଇଡିର ଅଭିଯୋଗ ଅନୁସାରେ ମଦ ଦୁର୍ନୀତି ଯୋଗୁଁ ଛତିଶଗଡ଼ ସରକାରଙ୍କ ୨ ହଜାର କୋଟି ଟଙ୍କା କ୍ଷତି ହୋଇଛି । ଏହି ମାମଲାରେ ରାୟପୁର, ଭିଲାଇ, ମୁମ୍ବାଇ ଆଦି ସ୍ଥାନରେ ରେଡ୍ କରିଥିଲା ଇଡି। ଗତ ମାସରେ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ଛତିଶଗଡ଼ ସରକାର ।
କିଛି ଦିନ ତଳେ ସବୁ ବିରୋଧୀ ଦଳ ମଧ୍ୟ ଏକାଠି ହୋଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ କେନ୍ଦ୍ର ସରକାର ଇଡି, ସିବିଆଇ ପରି ସଂସ୍ଥାର ଦୁରୂପଯୋଗ କରି କେବଳ ବିରୋଧୀମାନଙ୍କୁ ଟାର୍ଗେଟ କରୁଛନ୍ତି।