• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କ୍ୟାନସର ଚିକିତ୍ସାରେ ନୂଆ ସମ୍ଭାବନା । କ୍ୟାନସର ବ୍ୟାପିବାକୁ ରୋକିବ ମାତ୍ର ୧୦୦ ଟଙ୍କାର ଟାବଲେଟ୍ । ବିଶ୍ୱର ସବୁଠୁ ଶସ୍ତା କ୍ୟାନସର ଔଷଧର ବିକାଶ କରିଛି ଟାଟା ମେମୋରିଆଲ କ୍ୟାନସର ଇନଷ୍ଟିଚ୍ୟୁଟ୍ । ମୂଷା ଶରୀରରେ ସଫଳ ପରୀକ୍ଷଣ ହୋଇଥିବା ଏହି ଟାବଲେଟ୍ ପାଇଁ FSSAIର ଅନୁମୋଦନ ଲୋଡିଛି ଟାଟା ଇନଷ୍ଟିଚ୍ୟୁଟ୍ । ଅନୁମୋଦନ ମିଳିଲେ, ଜୁନ-ଜୁଲାଇରୁ ବଜାରରେ ଏହି ମ୍ୟାଜିକ୍ ଟାବଲେଟ୍ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

କର୍କଟ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା । ମାରାତ୍ମକ କ୍ୟାନସରକୁ ମାତ୍ ଦେବ ମାତ୍ର ୧୦୦ ଟଙ୍କିଆ ଟାବଲେଟ୍ । ଶରୀରରେ କ୍ୟାନସର ସେଲ୍ ବ୍ୟାପିବାରୁ ରୋକିବ । ଦୀର୍ଘ ୧୦ ବର୍ଷର ଗବେଷଣା ପରେ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ଇନଷ୍ଟିଚ୍ୟୁଟର ଡାକ୍ତରମାନେ ଏହି ଟାବଲେଟ୍ ର ବିକାଶ କରିଛନ୍ତି । ତେବେ ସମସ୍ତଙ୍କ ମନରେ ପ୍ରଶ୍ନ, କ’ଣ ଏହି ଟାବଲେଟ୍ ? ଏହା କିଭଳି କ୍ୟାନସରକୁ ରୋକିବ ? ଟାଟା ଇନଷ୍ଟିଚ୍ୟୁଟର ବରିଷ୍ଠ ସର୍ଜନଙ୍କ ମତରେ, କ୍ୟାନସର ରୋଗୀଙ୍କ କେମୋଥେରାପି ଓ ରେଡିଏସନ ଥେରାପି ପରେ ଶରୀରରେ ସୃଷ୍ଟି ହେଉଥିବା ମୃତ କ୍ୟାନସର ସେଲରୁ କ୍ରୋମାଟିନ୍ ପାର୍ଟିକିଲ ବାହାରିଥାଏ ।

ଏହି କ୍ରୋମାଟିନ୍ ପାର୍ଟିକିଲ ଆଖପାଖର ସୁସ୍ଥ ସେଲକୁ କ୍ୟାନସର ସେଲରେ ପରିଣତ କରିଥାଏ । ଫଳରେ କେମୋ ଓ ରେଡିଏସନ ସତ୍ତ୍ୱେ ରୋଗୀ ଶରୀରରେ ପୁଣିଥରେ କ୍ୟାନସର ଦେଖାଦେଇଥାଏ । କିନ୍ତୁ ଟାଟା ମେମୋରିଆଲ ଇନଷ୍ଟିଚ୍ୟୁଟ୍ ଡାକ୍ତରମାନେ ରେସଭେରାଟ୍ରଲ ଓ କପର ମିଶ୍ରିତ ପ୍ରୋ-ଅକ୍ସିଡାଣ୍ଟ ଟାବଲେଟ୍ ବିକାଶ କରିଛନ୍ତି, ଯାହାକୁ ଖାଇବା ଫଳରେ ପାକସ୍ଥଳୀରେ ଅକ୍ସିଜେନ ରେଡିକାଲ ସୃଷ୍ଟି ହୁଏ ଓ ରକ୍ତରେ ମିଶିଯାଏ । ଯାହାକି କେମୋଥେରାପି ପରେ ସୃଷ୍ଟି ହେଉଥିବା ମୃତ କ୍ୟାନସର ସେଲ୍ ଚଳପ୍ରଚଳକୁ ରୋକିଥାଏ ।

ଟାଟା ଇନଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ଏହି ମ୍ୟାଜିକ ଟାବଲେଟ୍ ଯେ କେବଳ କ୍ୟାନସର ଚିକିତ୍ସା ପରବର୍ତ୍ତୀ ପାର୍ଶ୍ୱ ପ୍ରତିକ୍ରିୟାକୁ ୫୦ ପ୍ରତିଶତ ଯାଏଁ ରୋକିପାରୁଛି, ତାହା ନୁହେଁ, ବରଂ ପୁଣିଥରେ କ୍ୟାନସର ହେବା ଆଶଙ୍କାକୁ ୩୦ ପ୍ରତିଶତ କମାଇ ଦେଉଛି । ଏବେ ଏହି ମ୍ୟାଜିକ ଟାବଲେଟକୁ ମୂଷା ଶରୀରରେ ପରୀକ୍ଷଣ କରି ସଫଳତା ମିଳିଛି । ଆଗକୁ ଏହାର ମାନବ ପରୀକ୍ଷଣ ହେବ ।

ଅନ୍ୟପକ୍ଷରେ ଏହାର ବ୍ୟବହାର ଲାଗି ଟାଟା ଇନଷ୍ଟିଚ୍ୟୁଟ୍, ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ- FSSAIର ଅନୁମୋଦନ ଲୋଡିଛି । ଅନୁମୋଦନ ମିଳିବା ପରେ ଆସନ୍ତା ଜୁନ-ଜୁଲାଇ ବେଳକୁ ଏହା ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଯାହାକି କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କ୍ୟାନସର ବିଶେଷଜ୍ଞମାନେ ଆଶା କରୁଛନ୍ତି ।

  • Reported by:
  • KAPILENDRA PRADHAN , Biswajit Acharya