ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ । ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କଲେ ଦିଲ୍ଲୀ ସରକାର । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅନଲାଇନ୍ରେ ହେବ କ୍ଲାସ୍ । ଦିଲ୍ଲୀରେ ଦୃଶ୍ୟମାନ ଦୂରତା ବି ହ୍ରାସ ହୋଇଛି, ଏଥି ପାଇଁ ଲାଗୁ ହେଲା ହୋଇଛି ଗ୍ରାପ୍-୩ । ଗୁରୁବାର ଦିଲ୍ଲୀ ସହରର ବାୟୁ ମାନକ ସୂଚୀ (ଏକ୍ୟୁଆଇ) ୪୨୯ ରହିଥିବା ରେକର୍ଡ କରାଯାଇଛି ।
ଗୁରୁବାର ସକାଳ ୬ଟା ସୁଦ୍ଧା ଦିଲ୍ଲୀ ସହରର ବାୟୁ ମାନକ ସୂଚୀ (ଏକ୍ୟୁଆଇ) ଆନନ୍ଦ ବିହାରରେ ୪୪୧ ରହିଥିବା ରେକର୍ଡ କରାଯାଇଛି । ସେହିପରି ବାୱାନାରେ (୪୫୫), ଦ୍ୱାରକା ସେକ୍ଟର ୮ରେ (୪୪୪) ଏବଂ ଜାହାଙ୍ଗିରୁରୀ (୪୫୮) ରହିଥିବା ରେକର୍ଡ କରାଯାଇଛି । ଏକ୍ୟୁଆଇ ଏହି ସ୍ତରରେ ପହଞ୍ଚିଲେ ଏହାକୁ ସଂଗୀନ (ସିଭିୟର) ବୋଲି ବିବେଚନା କରାଯାଇଥାଏ।
Also Read
ଅଧିକ ପଢନ୍ତୁ: ଚିନ୍ତା ବଢାଇଲା ବାୟୁ ପ୍ରଦୂଷଣ: ୬୦ବର୍ଷରୁ କମ୍ ବୟସରେ ହେବ ମୃତ୍ୟୁ !
ଯାନବାହନ ଚଳାଚଳ ଓ ନଡା ପୋଡି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ବୋଲି କୁହାଯାଇଛି। ଚଳିତ ଶୀତ ଋତୁରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଯାହା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇପାରେ। ସ୍ବାସ୍ଥ୍ୟ ଜଟିଳତାରୁ ଦୂରେଇ ରହିବା ଲାଗି ଜନସାଧାରଣଙ୍କୁ ଆବଶ୍ୟକ ସତର୍କତା ଯଥା ମାସ୍କ ପିନ୍ଧିବା, ଅଯଥା ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଦ୍ରୁତ ବେଗରେ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସଙ୍ଗୀନ ସ୍ଥିତିରେ ପହଞ୍ଚିଛି । ଦିଲ୍ଲୀର ଏକ୍ୟୁଆଇ ସ୍ତର ଗୁରୁବାର ୪୦୦ ପାର୍ କରିଛି । ପ୍ରଦୂଷଣର ଏହି ସ୍ତରକୁ ଦେଖି ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ନଭେମ୍ୱର ୧୫ରୁ ଗ୍ରାପ୍-୩ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ ନିର୍ମାଣ ସହ ଜଡ଼ିତ କାମକୁ ପ୍ରଦୂଷଣ ନିୟନ୍ତ୍ରଣ ହେବା ଯାଏ ବନ୍ଦ ରଖାଯିବ । ବିଲ୍ଡିଂ ଏବଂ ଘର ଭଙ୍ଗାରୁଜା, ଖନନ ସହ ସମସ୍ତ ପ୍ରକାର ଗତିବିଧି ବନ୍ଦ ରହିବ ।
ବାୟୁ ପ୍ରଦୂଷଣ ଏକ୍ୟୁଆଇ ୦ରୁ ୫୦ ମଧ୍ୟରେ ରହିଲେ ଏହାକୁ ଭଲ ବୋଲି ବିବେଚନା କରାଯାଇଥାଏ। ସେହିପରି ୫୧ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ନିମ୍ନ, ୩୦୧ରୁ ୪୦୦ ଅତିନିମ୍ନ, ୪୦୧ରୁ ୪୫୦ ସଂଗୀନ ଓ ୪୫୦ରୁ ଅଧିକ ହେଲେ ବାୟୁ ପ୍ରଦୂଷଣକୁ ଅତିସଂଗୀନ ବୋଲି ବିବେଚନା କରାଯାଇଥାଏ।