ପୁଣିଥରେ ଉଠିଲା ପୁରୁଣା ଦାବି । କଟକ ଚୌଦ୍ୱାରର ଚାରବାଟିଆରେ ଏକ ବେସାମରିକ ବିମାନବନ୍ଦର ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ତେବେ ଏହି ଦାବିକୁ ମଙ୍ଗଳବାର ଦିନ ପୁଣିଥରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିକଟରେ ଉପସ୍ଥାପନ କରିଛନ୍ତି କଟକର ବିଜେପି ସାଂସଦ ଭର୍ତ୍ତୃହରି ମହତାବ ।
ଏହି ଚାରବାଟିଆ ଐତିହାସିକ ଏୟାରଷ୍ଟ୍ରିପ୍ କଟକର ୧୨ କିଲୋମିଟର ଉତ୍ତରରେ ଚୌଦ୍ୱାର ନିକଟରେ ଅବସ୍ଥିତ । ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକୀୟ ସେନା ଦ୍ୱାରା ନିର୍ମିତ ହୋଇଥିଲା । ପରେ ଏହା ଭାରତୀୟ ବାୟୁସେନା ଦ୍ୱାରା ବ୍ୟବହୃତ ହୋଇଥିଲା । ଏହାକୁ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନରେ ବିମାନ ଗବେଷଣା କେନ୍ଦ୍ର (ARC) ଦ୍ୱାରା ପରିଚାଳିତ କରାଯାଉଛି । ଏହା ପାରାଦୀପ ବନ୍ଦର, କଳିଙ୍ଗନଗରର ଇସ୍ପାତ କାରଖାନା ଏବଂ ନାଲକୋ ଟାଉନସିପ୍ ଭଳି ଗୁରୁତ୍ୱପୂର୍ଣ୍ଣ ଶିଳ୍ପାଞ୍ଚଳର ନିକଟରେ ରହିଥିବାରୁ ବ୍ୟବସାୟ ଆର୍ଥିକ ଦୃଷ୍ଟିକୋଣରୁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି ମହତାବ ।
Also Read
ଅଧିକ ପଢ଼ନ୍ତୁ: ସୁନୀତାଙ୍କ ଘରବାହୁଡ଼ା ପରେ ଆଶ୍ୱସ୍ତ ବିଶ୍ୱ; ଏମିତି କଟିବ ସୁନୀତାଙ୍କ ଆଗାମୀ ୪୫ ଦିନ
ବର୍ତ୍ତମାନର ସ୍ଥିତି:
ଚାରବାଟିଆ ଏୟାରଷ୍ଟ୍ରିପରେ ARC ଦ୍ୱାରା ପରିଚାଳିତ ସୁବିଧାରେ ୪.୯ କିଲୋମିଟର ରନୱେ ରହିଛି । ଯାହା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ରନୱେ ଲମ୍ବର ଦୁଇଗୁଣ । ଫଳରେ ଏହା ବଡ଼ ବଡ଼ ବିମାନ ପରିଚାଳନା କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ । ପ୍ରତିରକ୍ଷା କ୍ଷେତ୍ରରେ ଏହାର ଭୂମିକା ରହିଛି । ଏହା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମାତ୍ର ୩୩ କିଲୋମିଟର ଦୂରରେ ଅବସ୍ଥିତ । ତେଣୁ ଏହାକୁ ବେସାମରିକ ବିମାନବନ୍ଦର ଭାବେ ବ୍ୟବହାର କରାଯିବାରେ ଏଇଠି ରହିଛି ବାଧା ।
କ'ଣ ରହିଛି ପ୍ରସ୍ତାବିତ ଯୋଜନା?
ସାଂସଦ ଭର୍ତ୍ତୃହରି ମହତାବ ୨୦୨୫ ଫେବ୍ରୁଆରୀ ପ୍ରସ୍ତାବରେ ଚାରବାଟିଆରେ ବିମାନବନ୍ଦରର ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ନିକଟରେ ଶିଳ୍ପାଞ୍ଚଳ ଅଭିବୃଦ୍ଧି ଘଟିଥିବାରୁ ଏବଂ କାମ ଆରମ୍ଭ ହୋଇଥିବା ନୂତନ ରାଜଧାନୀ ରିଙ୍ଗ ରୋଡ ଏହାର ପାଖ ବୋଲି ସେ ଉଲ୍ଲେଖ କରିଛନ୍ତି । ତେଣୁ ଏଠାରେ ଅଧିକ କାର୍ଗୋ ହାଣ୍ଡଲିଂରେ କୌଣସି ଅସୁବିଧା ନାହିଁ ।
ସାଂସଦ ମହତାବ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମାଧ୍ୟମରେ ଚାରବାଟିଆରେ ବିମାନବନ୍ଦର ସମ୍ପର୍କରେ ଜଣାଇଛନ୍ତି । ସେ ଚିଠିରେ ଆହୁରି କହିଛନ୍ତି, ଭୁବନେଶ୍ୱର ବିମାନବନ୍ଦର ସାଚୁରେସନରେ ପହଞ୍ଚିଗଲାଣି। ଚାରବାଟିଆ ଏହାର ଏକ ବିକଳ୍ପ ଭାବରେ କାର୍ଯ୍ୟ କରିପାରିବ । ସୂଚନାଯୋଗ୍ୟ, ପୂର୍ବରୁ ବିଧାୟିକା ସୋଫିଆ ଫିର୍ଦୋସ ମଧ୍ୟ ଏହି ସ୍ଥାନର ୨୬୦ ଏକର ସରକାରୀ ଜମିରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ନେଇ ଦାବି କରିଥିଲେ ।
ଆଗକୁ ରହିଥିବା ଚ୍ୟାଲେଞ୍ଜ:
ARCର ସମ୍ମତି ହାସଲ କରିବା,ଏଥିପାଇଁ ପ୍ରମୁଖ ଚ୍ୟାଲେଞ୍ଜ । ଏହାସହ ଆଧୁନିକୀକରଣ ପାଇଁ ଆବଶ୍ୟକୀୟ ଅର୍ଥ ମଧ୍ୟ ଅନ୍ୟତମ ଚ୍ୟାଲେଞ୍ଜ ରହିଛି ।
ଅଧିକ ପଢ଼ନ୍ତୁ: ୯ ମାସ ପରେ ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ, ଭାରତ ଆସିବା ପାଇଁ ମୋଦିଙ୍କ ଆମନ୍ତ୍ରଣ

OTV is now on Whatsapp
ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ
Join Now