Advertisment

କଂଗ୍ରେସ କ୍ଷମତାକୁ ଆସିଲେ ବଦଳିବ ମୋଦି ଷ୍ଟାଡିୟମର ନାଁ

ଗୁଜରାଟରେ କ୍ଷମତାସୀନ ବିଜେପି ସରକାର ଦୁର୍ନୀତିରେ ଲିପ୍ତ ଥିବା ଶ୍ରୀ ଗେହଲଟ ଅଭିଯୋଗ କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Narendra Modi Stadium

Congress Manifesto

କ୍ଷମତାକୁ ଆସିଲେ 'ମୋଦି ଷ୍ଟାଡିୟମ'ର ନାଁ ବଦଳାଇଦେବ କଂଗ୍ରେସ। କଂଗ୍ରେସ ଯଦି ଗୁଜରାଟ ବିଧାନସଭା ନିର୍ବାଚନରେ କ୍ଷମତା ଦଖଲ କରିବ, ତା’ହେଲେ ଅହମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମର ନାଁ ବଦଳିବ। ନରେନ୍ଦ୍ର ମୋଦି ବଦଳରେ ଷ୍ଟାଡିୟମର ନାଁ ସର୍ଦ୍ଦାର ପଟେଲ ରଖାଯିବ ବୋଲି କହିଛି କଂଗ୍ରେସ। କଂଗ୍ରେସ ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ ଏହି ପ୍ରତିଶ୍ରୁତି ଦେଇଛି। କେବଳ ସେତିକି ନୁହେଁ, ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ମାଳ ମାଳ ପ୍ରତିଶ୍ରୁତି ଦେଇଛି।

Advertisment

ଅହମଦାବାଦରେ ରହିଛି ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ। ଏହି ଷ୍ଟାଡିୟମଟି ପ୍ରଥମେ ମୋଟେରା ଷ୍ଟାଡିୟମ ନାଁରେ ପରିଚିତ ଥିଲା। ନବୀକରଣ ପରେ ୨୦୨୧ରେ ଏହି ଷ୍ଟାଡିୟମର ନାଁ ନରେନ୍ଦ୍ର ମୋଦି ଷ୍ଟାଡିୟମ ରଖାଯାଇଛି। କଂଗ୍ରେସ କିନ୍ତୁ ଏହାର ନାମକରଣକୁ ବିରୋଧ କରିଛି। ଏଥିସହ କ୍ଷମତାକୁ ଆସିଲେ ଷ୍ଟାଡିୟମର ନାଁ ବଦଳିବ ବୋଲି କହିଛି।

ଆସନ୍ତା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ଜାରି କରିଛି କଂଗ୍ରେସ। ଦଳର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, “ଯଦି କଂଗ୍ରେସ ସରକାର ଗଠନ କରିବ, ତା’ହେଲେ ଦଳର ନିର୍ବାଚନୀ ଇସ୍ତାହାରକୁ ପ୍ରଥମ କ୍ୟାବିନେଟ ବୈଠକର ଦସ୍ତାବିଜ ଭାବେ ବ୍ୟବହାର କରିବ। ଏଥିରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟରେ ମୋହର ଲଗାଯିବ।”

Advertisment

ନରେନ୍ଦ୍ର ମୋଦି ଷ୍ଟାଡିୟମର ନାଁ ବଦଳିବା ସହ ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି କଂଗ୍ରେସ। ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ରହୁଥିବା ସବୁ ଗୁଜରାଟୀଙ୍କ ପାଇଁ ୧୦ ଲକ୍ଷ ନିଯୁକ୍ତି ଦେବ। ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ରହିବ। ସେହିପରି ସିଙ୍ଗଲ ମହିଳା, ବିଧବା ଓ ବୃଦ୍ଧାଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ମିଳିବ। ୩ ଲକ୍ଷ ଯାଏ ଋଣ ଛାଡ଼, ୩୦୦ ୟୁନିଟ ଯାଏ ମାଗଣା ବିଜୁଳି, ଯୁବଗୋଷ୍ଠୀଙ୍କୁ ମାସିକ ୩ ହଜାରର ଭତ୍ତା ଓ ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦେବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି। ଏହାସହ ରାଜ୍ୟରେ କଂଗ୍ରେସ ସରକାର ଗଠନ କଲେ ୩ ହଜାର ଇଂରାଜୀ ମିଡିୟମ ସ୍କୁଲ ଖୋଲିବ ଓ ପୋଷ୍ଟ ଗ୍ରାଜ୍ୟୁଏଟ ଯାଏ ଝିଅମାନଙ୍କୁ ମାଗଣାରେ ପାଠ ପଢ଼ିବାକୁ ସୁଯୋଗ ପାଇବେ। 

ଗୁଜରାଟବାସୀଙ୍କୁ ମାଗଣା ୧୦ ଲକ୍ଷ ଟଙ୍କା ଯାଏ ଚିକିତ୍ସା, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ୫ ଲକ୍ଷ ଟଙ୍କା ଯାଏ ମେଡିସନ କଂଗ୍ରେସ ମାଗଣାରେ ଦେବ ବୋଲି କହିଛି। କରୋନା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ମଧ୍ୟ କଂଗ୍ରେସ ତା’ର ଇସ୍ତାହାରରେ ଉଲ୍ଲେଖ କରିଛି।

ଗୁଜରାଟରେ କ୍ଷମତାସୀନ ବିଜେପି ସରକାର ଦୁର୍ନୀତିରେ ଲିପ୍ତ ଥିବା ଶ୍ରୀ ଗେହଲଟ ଅଭିଯୋଗ କରିଛନ୍ତି। ଏଥିସହ ଯଦି କଂଗ୍ରେସ କ୍ଷମତାକୁ ଆସିବ, ତା’ହେଲେ ୨୭ ବର୍ଷ ମଧ୍ୟରେ ଆସିଥିବା ସମସ୍ତ ଦୁର୍ନୀତି ଅଭିଯୋଗର ତଦନ୍ତ କରାଯିବ ଓ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ଗେହଲଟ କହିଛନ୍ତି।

Narendra Modi Stadium Gujarat Polls
Advertisment
Advertisment