• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବଳ ଯୋଗାଡୁଛି ଭାରତର ନୌସେନା । ଏହାର ବିସ୍ତୀର୍ଣ୍ଣ ସାମୁଦ୍ରିକ ତଟକୁ ସୁରକ୍ଷିତ ରଖିବା ତଥା ସମୁଦ୍ରରେ ଚୀନର ପ୍ରଭୁତ୍ୱକୁ ମାତ ଦେବା ଉଦ୍ଦେଶ୍ୟରେ ନିଜକୁ ପ୍ରସ୍ତୁତ କରୁଛି ଭାରତୀୟ ନୌସେନା ବାହିନୀ । ଅନ୍ୟପଟେ ପାକିସ୍ତାନ ବି ତାର ନୌସେନାକୁ ଶକ୍ତିଶାଳୀ କରୁଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇର ନାଭାଲ ଡକୟାର୍ଡରେ ତିନୋଟି ଯୁଦ୍ଧପୋତ ଆଇଏନଏସ ସୁରତ, ଆଇଏନଏସ ନୀଳଗିରି ଏବଂ ବୁଡ଼ା ଜାହାଜ ଆଇଏନଏସ ବାଘାଶିରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରତିରକ୍ଷା ଉତ୍ପାଦନ ତଥା ସାମୁଦ୍ରିକ ସୁରକ୍ଷାରେ ଭାରତର ବିଶ୍ୱ ନେତା ହେବା ଦୃଷ୍ଟିକୋଣରୁ ଦେଖିଲେ ନୌସେନାରେ ଏହି ଯୁଦ୍ଧପୋତ ସାମିଲ ହେବା ବେଶ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

ଅଧିକ ପଢ଼ନ୍ତୁ: Arakan Army: ଏସିଆ ମାନଚିତ୍ର ବଦଳାଇ ଦେବ ଆରାକାନ ଆର୍ମି

ଆଇଏନଏସ ସୁରତ P15B ଗାଇଡେଡ ମିସାଇଲ ବିଧ୍ୱଂସକ ପ୍ରୋଜେକ୍ଟର ୪ର୍ଥ ଏବଂ ଶେଷ ଜାହାଜ । ଏହା ବିଶ୍ୱର ସବୁଠାରୁ ବଡ ଏବଂ ଉନ୍ନତ ବିଧ୍ୱଂସକ ମଧ୍ୟରୁ ଗୋଟିଏ । ଏହାର ନିର୍ମାଣରେ ୭୫ ପ୍ରତିଶତ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି । ଏଥିରେ ଅତ୍ୟାଧୁନିକ ଅସ୍ତ୍ର ଏବଂ ସେନ୍ସର ପ୍ୟାକେଜ ତଥା ଉନ୍ନତ ନେଟୱର୍କ କେନ୍ଦ୍ରିତ କ୍ଷମତା ବି ରହିଛି । ସେହିପରି ଆଇଏନଏସ ନୀଳଗରି P17A ଷ୍ଟିଲ୍ଥ ଫ୍ରିଗେଟ ପ୍ରୋଜେକ୍ଟର ପ୍ରଥମ ଜାହାଜ ଅଟେ । ଏହା ଭାରତୀୟ ନୌସେନାର ୱାରସିପ ଡିଜାଇନ ବ୍ୟୁରୋ ଦ୍ୱାରା ଡିଜାଇନ କରାଯାଇଛି । ଏହାକୁ ଏପରି ତିଆରି କରାଯାଇଛି ଯାହା ନୌସେନାର କ୍ଷମତା ଏବଂ ଶକ୍ତି ବୃଦ୍ଧି କରିବ । ସେହିପରି ଆଇଏନଏସ ବାଘଶୀର P75 ସ୍କାର୍ପିନ ପ୍ରୋଜେକ୍ଟର ୬ଷ୍ଠ ଏବଂ ଅନ୍ତିମ ବୁଡାଜାହାଜ ଅଟେ ଯାହା ଫ୍ରାନ୍ସର ସହଯୋଗରେ ନିର୍ମାଣ କରାଯାଇଛି । ଏହି ତିନି ଯୁଦ୍ଧପୋତ ନିର୍ମାଣ ଏବଂ ଏହାର ଦକ୍ଷତାରୁ ଏତିକି ସ୍ପଷ୍ଟ ହେଉଛି ଯେ, ଯୁଦ୍ଧପୋତ ନିର୍ମାଣରେ ଭାରତର ଦକ୍ଷତା ବୃଦ୍ଧି ପାଇଛି ।

ଚୀନର ଅବସ୍ଥିତି ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ରହିଛି  । ସାମୁଦ୍ରିକ ସ୍ଥିତି ଏବଂ ଭୌଗୋଳିକ ଦୃଷ୍ଟିରୁ ଦେଖିଲେ, ଏହା ଏକ ପ୍ରମୁଖ ଦେଶ । ପାକିସ୍ତାନର ସାମୁଦ୍ରିକ ସୀମା ଆରବ ସାଗରକୁ ଲାଗିଛି । କରାଚି ବନ୍ଦର ପାକିସ୍ତାନର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ବନ୍ଦର ଅଟେ । ସେହିପରି ଭାରତର ସାମୁଦ୍ରିକ ଶକ୍ତି ଦୃଷ୍ଟିରୁ ଦେଖିଲେ ଏହା ଏସିଆର ଏକ ପ୍ରମୁଖ ଶକ୍ତି ବୋଲି କହିହେବ । ଭାରତ ଏକ ଉପଦ୍ୱୀପ ଯାହାର ତିନିପଟେ ରହିଛି ବଙ୍ଗୋପସାଗର, ଭାରତ ମହାସାଗର ଏବଂ ଆରବ ସାଗର ।  ପାକିସ୍ତାନ ଓ ଚୀନ ସହ ଭାରତର ସମ୍ପର୍କ ଭଲ ନୁହେଁ । ଏପରି ସ୍ଥିତିରେ ଭାରତ ତାର ନୌବାହିନୀକୁ ସଶକ୍ତ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି । ତେଣୁ ଏହି ତିନି ଶକ୍ତିଶାଳୀ ଯୁଦ୍ଧପୋତ ଭାରତର ନୌସେନାରେ ସାମିଲ ହେବା ପରେ ଦେଶର ସାମୁଦ୍ରିକ ଶକ୍ତି ଯେ ଆହୁରି  ସଶକ୍ତ ହୋଇପାରିବ ଏଥିରେ ସନ୍ଦେହ ନାହିଁ । 

ତେବେ ଚୀନ ଆଉ ପାକିସ୍ତାନର ସାମୁଦ୍ରକ ଶକ୍ତି ସହ ତୁଳନା କଲେ ଭାରତର ସ୍ଥାନ କେଉଁଠି ?

ନୌସେନାର ଆକାର: ଚୀନ ସହ ତୁଳନା କଲେ ଭାରତର ନୌସେନା ଛୋଟ କିନ୍ତୁ ପାକିସ୍ତାନ ତୁଳନାରେ ବଡ । ଭାରତ ପାଖରେ ବିମାନବାହକ ପୋତ, ବିଧ୍ୱଂସକାରୀ, ଫ୍ରିଗେଟ, ବୁଡାଜାହାଜ ଏବଂ ଅନ୍ୟଜାହାଜ ସମେତ ଏକ ବିବିଧ ନୌବାହିନୀ ରହିଛି । ଭାରତ ଏହାର ଉନ୍ନତ ଯୁଦ୍ଧପୋତ ସହିତ ନୌସେନାର ଆଧୁନିକୀକରଣ କରୁଛି । ଅବଶ୍ୟ ଚୀନ ନିକଟରେ ଅଧିକ ଉନ୍ନତ ଏବଂ ଅଧିକ ସଂଖ୍ୟକ ଜାହାଜ ରହିଛି । ଏଥିରେ ବିମାନବାହକ ପୋତ ଏବଂ ପରମାଣୁ ବୁଡାଜାହାଜ ମଧ୍ୟ ସାମିଲ ଅଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନର ନୌସେନା ଅପେକ୍ଷାକୃତ ଛୋଟ ଏବଂ ଟେକ୍ନୋଲଜି ଦୃଷ୍ଟିରୁ କମ ଉନ୍ନତ ଅଟେ ।

ବୁଡାଜାହାଜ: ଜଳଯୁଦ୍ଧ ସମୟରେ ନୌସେନାଙ୍କ ପାଇଁ ବୁଡ଼ାଜାହାଜର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତ ଡିଜେଲ-ଇଲେକ୍ଟ୍ରିକ ଏବଂ ପରମାଣୁ ସଞ୍ଚାଳିତ ବୁଡ଼ା ଜାହାଜ ବ୍ୟବହାର କରିଥାଏ । ଚୀନ ପାଖରେ ବୁଡ଼ାଜାହାଜର ବିଶାଳ ଶକ୍ତି ରହିଛି । ଚୀନ ପାରମ୍ପରିକ ଏବଂ ପରମାଣୁ ସଞ୍ଚାଳିତ ଦୁଇ ପ୍ରକାର ବୁଡ଼ାଜାହାଜ ରଖିଛି । ଅନ୍ୟପକ୍ଷେ ପାକିସ୍ତାନର ବୁଡ଼ାଜାହାଜ ଶକ୍ତି ଚୀନ ଓ ଭାରତ ତୁଳନାରେ କମ ରହିଛି ।

ଆଣ୍ଟି  ସବମେରିନ ୱାରଫେୟାର(ଏଏସଡବ୍ଲୁ): ଶତ୍ରୁପକ୍ଷର ବୁଡ଼ାଜାହଜ ଆକ୍ରମଣର ମୁକାବିଲା କରିବା ପାଇଁ ଆଣ୍ଟି-ସବମେରାଇନ ୱାରଫେୟର (ଏଏସଡବ୍ଲ୍ୟୁ)ର କ୍ଷମତା ବେଶ ମହତ୍ୱପୂର୍ଣ୍ଣ ଅଟେ । ଭାରତ ଏଏସଡବ୍ଲ୍ୟୁରେ ନିବେଶ କରୁଛି । ହେଲେ ଚୀନ ପାଖରେ ଅଧିକ ଉନ୍ନତ ଏଏସଡବ୍ଲ୍ୟୁ ସିଷ୍ଟମ ରହିଛି ।

ନୌସେନା ବିମାନ:ଭାରତ ନୌବାହିନୀ ପାଖରେ ବିମାନବାହକ ପୋତ ଏବଂ ନୌସେନା ବିମାନର ଏକ ବିଶାଳ ସାମ୍ରାଜ୍ୟ ରହିଛି । ଚୀନ ପାଖରେ ମଧ୍ୟ ବିମାନ ବାହକ ପୋତ ଏବଂ ଏକ ବଡ ନୈସେନା ବିମାନ ଚଳାଚଳ ଶକ୍ତି ରହିଛି । ହେଲେ ଏହି ଦୁଇଦେଶ ତୁଳନାରେ ପାକିସ୍ତାନ ପାଖରେ ନୌସେନା ବିମାନ ଚଳାଚଳ କ୍ଷମତା ସୀମିତ ରହିଛି ।

ନୌସେନା ଘାଟି ଏବଂ ପାରିମ୍ପରିକ ଭିତ୍ତିଭୂମି:ଭାରତ ପାଖରେ ଉପକୂଳ ଇଲାକାରେ ରଣନୀତିକ ଭାବେ ଅବସ୍ଥାପିତ ଏକ ବିଶାଳ ନୌସେନା ଆଡ୍ଡା ରହିଛି । ଚୀନର ମଧ୍ୟ ଯଥେଷ୍ଟ ସଂଖ୍ୟକ ନୌସେନା ଘାଟି ରହଛି ।  ଅନ୍ୟପକ୍ଷେ ପାକିସ୍ତାନର ନୌସେନା ଭିତ୍ତିଭୂମି ଅପେକ୍ଷାକୃତ କମ ଅଟେ ।

ନୌସେନା ସଂଖ୍ୟା ଏବଂ ପ୍ରଶିକ୍ଷଣ: ଏକ ପ୍ରଭାବଶାଳୀ  ନୌସେନା ପାଇଁ ଉତ୍ତମ ପ୍ରଶିକ୍ଷଣ ସହ ଅଭିଜ୍ଞତାର ଆବଶ୍ୟକତା ରହିଛି । ଭାରତରେ ଏକ ଶକ୍ତିଶାଳୀ ନୌସୈନକ ପ୍ରଶିକ୍ଷଣ ପ୍ରତିଷ୍ଠାନ ରହିଛି । ହେଲେ ଚୀନ ପାଖରେ ଅଧିକ ସଂଖ୍ୟାରେ ନୌସେନା କର୍ମୀ ଅଛନ୍ତି ।

ନୌସେନା ବଜେଟ: ପ୍ରତିରକ୍ଷା ବଜେଟ ଏବଂ ନୌସେନାର ଆଧୁନିକିକରଣରେ ନିବେଶ ପରିମାଣ ନୌସେନାକୁ ଅଧିକ ଶକ୍ତିଶାଳୀ କରିଥାଏ । ଭାରତ ନିଜର ପ୍ରତିରକ୍ଷା ଖର୍ଚ୍ଚ ଲଗାତାର ବଢାଇ ଚାଲିଛି । ତେବେ ଚୀନର ପ୍ରତିରକ୍ଷା ବଜେଟ ଭାରତ ତୁଳନାରେ ଯଥେଷ୍ଟ ଅଧିକ  ।

କିଏ କେତେ ଶକ୍ତିଶାଳୀ: ଚୀନର ନୌସେନା ବିଶାଳ । ଟେକ୍ନୋଲଜି ଦୃଷ୍ଟିରୁ ଦେଖିଲେ ଯଥେଷ୍ଟ ଉନ୍ନତ ଏବଂ ଅଧିକ ଶକ୍ତିଶାଳୀ । ଅନ୍ୟପକ୍ଷେ ଭାରତ ଯଦିଓ ଚୀନର ପଛରେ ରହିଛି ତେବେ ଏହି ବ୍ୟବଧାନ କମାଇବା ପାଇଁ ଲଗାତାର ଉଦ୍ୟମ କରିଚାଲିଛି ଏବଂ ନୌସେନାକୁ ଆଧୁନିକୀକରଣ କରୁଛି । ଏଥିସହିତ ସ୍ୱଦେଶୀ ଟେକ୍ନଲଜିର ବିକାଶ କରୁଛି । ଭାରତର ନୌସେନା ଆକାର, ଟେକ୍ନଲଜି କ୍ଷମତା ଏବଂ ଶକ୍ତି ତୁଳନାରେ ପାକିସ୍ତାନ ଯଥେଷ୍ଟ ପଛରେ ରହିଛି ।

ଅଧିକ ପଢ଼ନ୍ତୁ: ଜାପାନକୁ ପଛରେ ପକାଇ ଏସିଆର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ହେଲା ଭାରତ

କାହା ପାଖରେ କେତେ ଅଛି?

୧-ଭାରତ ପାଖରେ ମୋଟ ୨୯୪ ଜାହାଜ ଥିବାବେଳେ  ଚୀନ ପାଖରେ ୭୩୦ ଏବଂ ପାକିସ୍ତାନ ପାଖରେ ୧୧୪ଟି ଜାହାଜ  ରହିଛି ।

୨-ବିମାନବାହକ: ଭାରତ ଓ ଚୀନ ପାଖରେ ୨ଟି ଲେଖାଏ ଥିବାବେଳେ ପାକିସ୍ତାନ ପାଖରେ ଆଦୌ ନାହିଁ

୩-ହେଲିକ୍ୟାପ୍ଟର ବାହକ: ଚୀନ ପାଖରେ ୩ଟି ଥିବାବେଳେ ଭାରତ ଓ ପାକିସ୍ତାନ ପାଖରେ ଆଦୌ ନାହିଁ

୪-ବିଧ୍ୱଂସକ: ଭାରତ ପାଖରେ ୧୨ଟି ଥିବାବେଳେ ଚୀନ ପାଖରେ ୪୯ଟି ବିଧ୍ୱଂସକ ରହିଛି । ଅନ୍ୟପକ୍ଷେ ପାକିସ୍ତାନ ପାଖରେ ୨ଟି ବିଧ୍ୱଂସକ ରହିଛି  । 

୫-ଫ୍ରିଗେଟ ବା ମଧ୍ୟମ ଧରଣର ଯୁଦ୍ଧପୋତ: ଭାରତ ପାଖରେ ୧୨ଟି ଥିବାବେଳେ ଚୀନ ପାଖରେ ୪୨ଟି ଓ ପାକିସ୍ତାନ ପାଖରେ ୯ଟି ରହିଛି ।

୬-କରଭେଟ ବା ଛୋଟ ଯୁଦ୍ଧପୋତ: ଭାରତ ପାଖରେ ୧୮ଟି ଥିବାବେଳେ ଚୀନ ପାଖରେ ୭୨ଟି ଏବଂ ପାକିସ୍ତାନ ପାଖରେ ୭ଟି ରହିଛି ।

୭-ପେଟ୍ରୋଲ ଭେସେଲ: ଭାରତ ପାଖରେ ୧୩୭ଟି ଥିବାବେଳେ ଚୀନ ପାଖରେ ୧୫୦ ଏବଂ ପାକିସ୍ତାନ ପାଖରେ ୬୫ଟି ରହିଛି ।

୮-ମାଇନ ୱାରଫେୟାର: ଚୀନ ପାଖରେ ୩୬ଟି ଥିବାବେଳେ ପାକିସ୍ତାନ ପାଖରେ ୩ଟି ରହିଛି । ଭାରତ ପାଖରେ ଆଦୌ ନାହିଁ ।

୯-ବୁଡ଼ାଜାହାଜ: ଭାରତ ପାଖରେ ୧୮ଟି ଥିବାବେଳେ ଚୀନ ପାଖରେ ୭୮ଟି ଏବଂ ପାକିସ୍ତାନ ପାଖରେ ୯ଟି ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now