‘କ୍ୟାନ୍ସର ମୋତେ ବାଛିଲା ମୁଁ ମୃତ୍ୟୁକୁ ବାଛିଲି’ । ଏହି ଉକ୍ତି ଆପଣଙ୍କୁ ସାମାନ୍ୟ ବିଚଳିତ କରୁଥିବ । ହେଲେ ଏହା ଏକ ନିରାଟ ସତ କହାଣୀ । ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ କହିବୁ, ଯିଏ ନିଜର ଏକ ବ୍ଲଗ୍ରେ ଏଭଳି ଲେଖିଛନ୍ତି ।
ମେ’ ମାସରେ ଯେତେବେଳେ ଚିକା କାପାଡ଼ିଆ ଜାଣିଲେ, ସେ କ୍ୟାନ୍ସରରେ ପୀଡ଼ିତ, ତା’ପରଠୁ ବ୍ଲଗ୍ ଲେଖିବା ଆରମ୍ଭ କଲେ । ପ୍ରତ୍ୟେକ ଦିନ ନଜେ ଅନୁଭବ କରୁଥିବା ଛୋଟ ଛୋଟ ମୁହୁର୍ତ୍ତକୁ ଶବ୍ଦରେ ବାନ୍ଧିବାକୁ ଚେଷ୍ଟା କଲେ । ଆଉ ତାଙ୍କର ଏହି ବ୍ଲଗ୍ ଏବେ ଇଣ୍ଟରନେଟ୍ରେ ସେନ୍ସେନ୍ ପାଲଟିଛି । ଯେତେବେଳେ ସେ ଜାଣିଲେ ତାଙ୍କୁ ଟରମିନାଲ କ୍ୟାନ୍ସର ଗ୍ରାସ କରିଛି, ସେତେବଳେ ସେ ସ୍ଥିର କଲେ ତାଙ୍କର ମୃତ୍ୟୁର ଦିନ । ସ୍ୱିଜରଲ୍ୟାଣ୍ଡରେ ଅଗଷ୍ଟ ୨୩ରେ ସେ ମୃତ୍ୟୁବରଣ କରିବେ ବୋଲି ଦିନ ବାଛିନେଲେ । ସେବେଠାରୁ ସେ ଡାକ୍ତରଙ୍କ ପରାମର୍ଶ ସହ ବଞ୍ଚିବା ମଧ୍ୟ ଆରମ୍ଭ କଲେ । ଆଉ ଅନୁଭୂତିକୁ ଶବ୍ଦରେ ବଖାଣିଲେ ।
Also Read
ଅଧିକ ପଢ଼ନ୍ତୁ: କ୍ୟାନ୍ସରରେ ନଷ୍ଟ ହୋଇଗଲା ଆଖି; ଡାକ୍ତର ଦେଲେ ବରଦାନ, ତା’ପରେ..
ମେ’ ୧୫ ତାରିଖରୁ ସେ ଲେଖିବା ଆରମ୍ଭ କଲେ । କ୍ୟାନ୍ସରରେ ପୀଡ଼ିତ ହେବା ପରେ ମାନସିକ ଓ ଶାରୀରିକ ସ୍ଥିତ କିଭଳି ରହୁଛି ତାର ଅନୁଭବକୁ ସେ ଲେଖିଲେ ।
ମେ’ ୧୫ ପୂର୍ବର କାହାଣୀ
ଡାକ୍ତରଙ୍କ କହିବା କଥା ୫-୬ ମାସ ହେବ ମୁଁ କ୍ୟାନ୍ସରରେ ପୀଡ଼ିତ । ପ୍ରଥମେ ଏପ୍ରିଲ୍ରେ ମୋ ବେକରେ କିଛି ଅନୁଭବ ହେଲା । ମୋତେ ଲାଗିଲା ରୁଟ୍ କେନାଲ କରିଥିବା ଯୋଗୁଁ ଏମିତି ଅନୁଭବ ହେଉଛି। ତେଣୁ ଡେଣ୍ଟିଷ୍ଟଙ୍କ ପାଖକୁ ଗଲି । ସେ ମୋତେ ଡାକ୍ତରଙ୍କୁ ଦେଖାଇବା ପାଇଁ କହିଲେ । ମୁଁ ଡାକ୍ତରଙ୍କ ପାଖକୁ ଗଲି । ସେ ବିଭିନ୍ନ ପ୍ରକାର ପରୀକ୍ଷା କରିବାକୁ କହିଲେ । ସୋନୋଗ୍ରାମ, ବାୟୋସ୍ପି, ପେଟ୍ସ୍କାନ୍, ସିଟି ସ୍କାନ୍ ଏବଂ ଶେଷରେ ଅନ୍କୋପାନ୍ଥୋଲୋଜୀ ମଧ୍ୟ ପରୀକ୍ଷା କରାଗଲା ।
ମେ’ ୧୦ ତାରିଖରେ ଜଣେ କ୍ୟାନ୍ସର ସ୍ପେସିଆଲିଷ୍ଟଙ୍କ ପାଖକୁ ଯାଇଥିଲି । ସେ ଆନାପ୍ଲାଷ୍ଟିକ୍ ଥାଇରଡ୍ କାର୍ସିନୋମା ଭଳି ରୋଗରେ ପୀଡ଼ିତ ଥିବା କଥା କହିଥିଲେ । ଚତୁର୍ଥ ଷ୍ଟେଜ୍ରେ ପହଞ୍ଚିବା ପରେ ଏହି ରୋଗର କୌଣସି ଉପଚାର ନାହିଁ ବୋଲି କ୍ୟାନ୍ସର ସ୍ପେସିଆଲିଷ୍ଟ କହିଲେ । ଡାଇଗ୍ନୋସିସ୍ କରିବା ପରେ ବି ଅତି ବେଶିରେ ୪ ରୁ ୪ ମାସ ଜଣେ ମଣିଷ ବଞ୍ଚିପାରିବ ।
ମେ ୧୫ ତାରିଖ ବେଳକୁ ଡାକ୍ତର ମୋତେ ସ୍ପଷ୍ଟ ଭାବେ କହିସାରିଥିଲେ ଏହା କ୍ୟାନ୍ସର । ଯାହାର ଉପଚାର ନାହିଁ କହିଲେ ଚଳେ । ତେବେ ପୁରା ମେ’ ମାସ ସରିବା ପର୍ଯ୍ୟନ୍ତ ମୋତେ ବିଶେଷ କିଛି ବି ଅନୁଭବ ହେଲାନାହିଁ । କେବଳ ମୋ ବେକରେ ଯାହା କିଛି ଆରମ୍ଭରୁ ସ୍ୱଳ୍ପ ପ୍ରଭାବ ରହିଥିଲା । ମେ’ ମାସ ସରିବା ପର୍ଯ୍ୟନ୍ତ କ୍ୟାନ୍ସରର କୌଣସି ବିଶେଷ ପ୍ରଭାବ ମୋ ଉପରେ ନଥିଲା । ପ୍ରତ୍ୟେକ ଦିନ ସୁସ୍ଥ ଅନୁଭବ କରିବା ସହ ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ କୌଣସି ବ୍ୟତିକ୍ରମ ନଥିଲା । ସୁରୁଖୁରୁରେ ସାଧାରଣ ଭାବେ କଟୁଥିଲା ଦିନ ।
ଜୁନ୍ ଆରମ୍ଭ
ଜୁନ୍ ମାସ ଆରମ୍ଭ ବେଳକୁ ମୋ ଶରୀର ଭିତରେ ଏମିତି କିଛି ଅନୁଭବ ହେବା ଆରମ୍ଭ ହେଲା । ଯାହାକୁ ନେଇ ମୁଁ ବିଚଳିତ ହେଲି । ହେଲେ ବାସ୍ତବରେ କ’ଣ ଅନୁଭବ ହେଉଛି ତାହା ଜାଣିପାରୁ ନଥିଲି । କିନ୍ତୁ ଶରୀର ସାମାନ୍ୟ ଦୁର୍ବଳ ଅନୁଭବ ହେଉଥିଲା। ଦିନ ଯେତିକି ଯେତିକି ଗଡ଼ୁଥିଲା ସେତିକି ଭୟ ବି ବଢ଼ୁଥିଲା । ଶରୀର ଦୁର୍ବଳ ହେବାରୁ ମନରେ ଆଶଙ୍କା ବି ବଢ଼ିଲା । ଏହାପରେ ଜଣେ ସାଙ୍ଗଙ୍କ ସହ ଯୋଗାଯୋଗ କଲି । ସେ ଜଣେ ଭଲ ଡାକ୍ତର ମଧ୍ୟ । ସେ ମୋତେ ଆର୍ୟୁବେଦ୍ ଚିକିତ୍ସା କରାଇବା ପାଇଁ ପରାମର୍ଶ ଦେଲା । ଏମିତିକି ଆୟୁର୍ବେଦ ଚିକିତ୍ସା ଦ୍ୱାରା ମୋ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ଆଶା ସଂଚାର କରାଇଲା । ମୁଁ ଆର୍ୟୁବେଦ୍ ଚିକିତ୍ସା ମଧ୍ୟ ଆରମ୍ଭ କଲି । ଏଲୋପାଥିକ ଔଷଧ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦେଲି । ତେବେ ଆର୍ୟୁବେଦିକ ଚିକିତ୍ସା ଭଲ ଚାଲିଥିଲେ ବି ମନ କିନ୍ତୁ ବିଚଳିତ ହେଉଥିଲା । ପ୍ରତ୍ୟେକ ମୁହୁର୍ତ୍ତରେ ମୃତ୍ୟୁର ନିକଟତର ହେଉଥିବା ଭଳି ଅନୁଭବ ହେଉଥାଏ ।
ତେବେ ଏହା ଭିତରେ ମୁଁ ମୋ ଅନ୍ତରଙ୍ଗ ମାନଙ୍କ ସହ ସମୟ ବିତାଇବା ପାଇଁ ଚାହିଁଲି । ସେମାନଙ୍କ ସହ ଲଞ୍ଚ-ଡିନର ମଧ୍ୟ କରିଲି । ଏହା ସବୁ କେବଳ ମନ ବୁଝାଇବା ପାଇଁ ଥିଲା । ଏମିତି ଏମିତି ଜୁନ ମାସ ମଧ୍ୟ ସରିଗଲା । ଶାରୀରିକ ଦୃଷ୍ଟିକୋଣରୁ ବିଶେଷ କିଛି ଖରାପ ଅନୁଭବ କରୁନଥିଲେ ମଧ୍ୟ ମାନସିକ ସ୍ଥିତିରେ ଅଧିକ ଦୁର୍ବଳ ହେଉଥିଲି । କେତେବେଳେ ସୁସ୍ଥ ହେଉଥିଲା ତ କେତେବେଳେ ଅସୁସ୍ଥ ଲାଗୁଥିଲା । ଅନୁଭବ ହେଉଥିଲା କ୍ୟାନ୍ସର ମୋ ସହ ଚେସ୍ ଖେଳୁଛି ।
ଜୁଲାଇ ଆରମ୍ଭ
ଧିରେ ଧିରେ ମନୋବଳ ଦୁର୍ବଳ ହେଉଥାଏ । ଆଉ ମୁଁ ଭାଙ୍ଗିପଡ଼ୁଥାଏ । ଡାକ୍ତର ପୁଣିଥରେ ବିଭିନ୍ନ ପରୀକ୍ଷା ପାଇଁ ପରାମର୍ଶ ଦେଲେ । ପରୀକ୍ଷା ସରିବା ପରେ ରିପୋର୍ଟ ବି ଆସିଲା । ମୋ ମନରେ ବିଶେଷ ଭାବେ ଦୁଇ ତିନୋଟି ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଥାଏ । ଡାକ୍ତରଙ୍କୁ ମଧ୍ୟ ତାହା ପଚାରିଲି ।
ପ୍ରଥମ ପ୍ରଶ୍ନ: ମୋ ପାଖରେ ଆଉ କେତେ ସମୟ ରହିଛି ?
ଦ୍ୱିତୀୟ ପ୍ରଶ୍ନ: ମୋ ସ୍ୱାସ୍ଥ୍ୟ କେମିତି ବିଗିଡ଼ିବ ?
ତୃତୀୟ ପ୍ରଶ୍ନ: ଇଚ୍ଛାମୃତ୍ୟୁ ପାଇଁ ଭାରତ ମୋତେ ଅନୁମତି ଦେବ କି ?
ଏମିତି ସୁସ୍ଥ ଏବଂ ଅସୁସ୍ଥତା ମଧ୍ୟରେ ଜୁଲାଇ ମାସ ମଧ୍ୟ ଅତିକ୍ରମ ହୋଇଗଲା । ମନ ଆଶା ଆଶଙ୍କା ମଧ୍ୟରେ ଛନ୍ଦି ହେଉଥିଲା ।
ଆଗଷ୍ଟ ଆରମ୍ଭ
ଅଗଷ୍ଟ ଆରମ୍ଭ ହେବା ବେଳକୁ ମୁଁ ସ୍ଥିର କଲି, ନିଜକୁ ଅଧିକରୁ ଅଧିକ ସୁସ୍ଥ ରଖିବାକୁ ହେବ । ଏଥିପାଇଁ ଯୋଗ ଏବଂ ବ୍ୟାୟାମ କରିବା ପାଇଁ ପ୍ରସ୍ତୁତ ହେଲି । ଏହା ସହ ମନକୁ ଖୁସି ରଖିବା ପାଇଁ ଲୋକ ସମ୍ପର୍କ ମଧ୍ୟ ବଢ଼ାଇଲି । ବ୍ୟକ୍ତିଗତ ସମ୍ପର୍କ ବଢ଼ାଇବା ପାଇଁ ଚେଷ୍ଟା ମଧ୍ୟ କଲି । ତେବେ ଅଗଷ୍ଟରେ ଏହି ସବୁ ପାଇଁ ଏକ ବିବରଣୀ ପ୍ରସ୍ତୁତ କରି ଏହାକୁ ପାଳନ କରିବାକୁ ଚେଷ୍ଟା ଆରମ୍ଭ କଲି ।
୧.ବ୍ୟକ୍ତିଗତ ସମ୍ପର୍କ ବୃଦ୍ଧି ସହ ହସ ଖୁସିରେ ଜୀବନ ବିତାଇବା ପାଇଁ ଚେଷ୍ଟା । ପ୍ରାକୃତିକ ପରିବେଶରେ ସମୟ ବିତାଇବା । ନେଗେଟିଭ୍ ଚିନ୍ତାଧାରାକୁ ଦୁରେଇବା ।
୨. ନିୟମିତ ବ୍ୟାୟାମ କରିବା ।
୩. ସଠିକ୍ ଡାଏଟ୍ ମେଣ୍ଟେନ୍ କରିବା ।
୪. କୌଣସି ନିଶା ଦ୍ରବ୍ୟ ସେବନଠାରୁ ଦୂରରେ ରହିବା ।
୫.ପଢ଼ିବା ଉପରେ ଗୁରୁତ୍ୱ ଦେବା ।
୬. ଧ୍ୟାନ କରିବା ।
୭. ଲେଖାଲେଖି କରିବା ।
୮. ଫଟୋଗ୍ରାଫି କରିବା ।
୯. ଆର୍ଥିକ ସ୍ଥିତି ସୃଦୃଢ଼ କରିବା ।
୧୦. ଘର ମରାମତି କରିବା ।
୧୧. ଅଯଥା ଖର୍ଚ୍ଚ କମ୍ କରିବା ସହ କେବଳ ଆବଶ୍ୟକୀୟ ଜିନିଷ କିଣିବା । ଜୀବନ ଶୈଳିକୁ ସଙ୍କୁଚିତ କରିବା ।
୧୨. ସୋସିଆଲ ମିଡିଆରେ ଆକ୍ଟିଭ୍ ରହିବା ।
୧୩. ସମୟାନୁବର୍ତ୍ତିତାକୁ ଆପଣେଇ ନେବା ।
୧୪. ଯାତ୍ରା ଉପରେ ଗୁରୁତ୍ୱ ।
୧୫. ନିଜ ରୋଜଗାରୁ କିଛି ଅର୍ଥ ଗରିବ ଅସହାୟଙ୍କୁ ପ୍ରଦାନ କରିବା ।
ଏହିଭଳି କିଛି ନିୟମ ମାନି ଚଳିବାକୁ ଚେଷ୍ଟା କରିଥିଲେ ଚିକା କାପାଡ଼ିଆ । ଯାହାଦ୍ୱାରା ତାଙ୍କ ଜୀବନ ଶୈଳି ଅତ୍ୟନ୍ତ ସହଜ ହେଲା । ଆଉ ଯେତିକି ଦିନ ସେ ବଞ୍ଚିଲେ ଖୁସିରେ ବଞ୍ଚିଲେ । ହେଲେ ଶେଷରେ ସେ ଅଗଷ୍ଟ ୨୩ ତାରିଖରେ ମୃତ୍ୟୁ ବରଣ କରିଥିଲେ । ସବୁଠାରୁ ବଡ଼ କଥା ହେଲା ସେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଏହି ଦିନ ଭାରତ ପାଇଁ ଏକ ବିଶେଷ ଦିନ ।
ଶେଷ ଦିନରେ ମଧ୍ୟ ସେ ଲେଖିଛନ୍ତି ଯେ, ‘ମୁଁ ଶାରୀରିକ ଭାବେ କୌଣସି ପ୍ରକାର ଅସୁସ୍ଥତା ଅନୁଭବ କରୁନାହିଁ । ସବୁଦିନ ଯେମିତି ଅନୁଭବ କରୁଥିଲି ଠିକ୍ ସେମିତି ହିଁ ଅନୁଭବ କରୁଛି । ୧୦୫ ଦିନ ଧରି ଡାଇଲିସିସ ହେବା ପରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ହିଁ ମୁଁ ଆଶା କରୁଥିଲି ।
ନିଜ ବ୍ଲଗ୍ ଶେଷରେ ସେ ସମସ୍ତଙ୍କ ପାଇଁ ଲଭ୍ ୟୁ ଅଲ୍ ଲେଖିଛନ୍ତି । କାପାଡ଼ିଆଙ୍କ କାହାଣୀ ଏବେ ସୋସିଆଲ୍ ମିଡିଆ ରେ ଭାଇରାଲ ହେବାରେ ଲାଗିଛି।