Budget Session: କାଲିଠୁ ବଜେଟ୍‌ ଅଧିବେଶନ ଆରମ୍ଭ, ୧ରେ ଆଗତ ହେବ ବଜେଟ୍‌

ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବ୍ରୁଆରୀ ୧ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

କାଲିଠୁ ବଜେଟ୍‌ ଅଧିବେଶନ

ଆସନ୍ତାକାଲିଠୁ ଆରମ୍ଭ ହେବ ପାର୍ଲାମେଣ୍ଟ ବଜେଟ୍ ଅଧିବେଶନ । ତା ପୂର୍ବରୁ ଆଜି ବସିଥିଲା ସର୍ବଦଳୀୟ ବୈଠକ । ଚଳିତ ଅଧିବେଶନକୁ ସୁରୁଖୁରୁରରେ ଚଳାଇବା ନେଇ ସବୁ ଦଳର ସହଯୋଗ ଲୋଡିଛନ୍ତି କେନ୍ଦ୍ର ସରକାର । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବାସ୍ଥ୍ୟମନ୍ତ୍ରୀ ଜେ. ପି ନଡ୍ଡାଙ୍କ ସମେତ ସବୁ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ । ଗୃହକୁ କିଭଳି ସୁରୁଖୁରୁରେ ପରିଚାଳନା କରାଯିବ ସେନେଇ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର ।

ସେପଟେ ବିରୋଧୀ ଚଳିତ ଅଧିବେଶନରେ ଦରଦାମ ବୃଦ୍ଧି, ନିଯୁକ୍ତି ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ସଜବାଜ ହୋଇଛନ୍ତି । ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବ୍ରୁଆରୀ ୧ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସୋମବାରରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଲୋଚନା ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ: କ୍ଲାସରୁମରେ ବରଣମାଳା ପକାଇ ଛାତ୍ରଙ୍କୁ ବିବାହ କଲେ ପ୍ରଫେସର, ଭିଡିଓ ଭାଇରାଲ୍

ଚଳିତ ଥର ଦୁଇଟି ପର୍ଯ୍ୟାୟରେ ସଂସଦର ବଜେଟ୍ ଅଧିବେଶନ ଚାଲିବ । ଆସନ୍ତାକାଲିଠୁ ଫେବ୍ରୁଆରୀ ୧୩ ଯାଏ ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ଯାଏ ଚାଲିବ । ଅଷ୍ଟମ ଥର ଅର୍ଥମନ୍ତ୍ରୀ ଭାବରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ସେ ଦେଶବାସୀଙ୍କୁ କି ଉପହାର ଦେବେ ତା ଉପରେ ସମସ୍ତଙ୍କର ନଜର ରହିଛି । ବିଶେଷ କରି ନିର୍ମଳାଙ୍କ ପେଡ଼ିରେ ମଧ୍ୟବିତ୍ତ ଓ ଆୟକରଦାତାଙ୍କ ପାଇଁ କ’ଣ ରହିଛି ତାକୁ ଅପେକ୍ଷା । ସେହିପରି ଶିଳ୍ପ ଜଗତ, ଗରିବ, ଚାଷୀ ଓ ମହିଳାଙ୍କ ପାଇଁ କଣ ଘୋଷଣା କରିବେ ସରକାର ତାକୁ ସମସ୍ତେ ଅନାଇ ବସିଛନ୍ତି ।

ସେହିପରି ପାର୍ଲାମେଣ୍ଟ ବଜେଟ୍ ଅଧିବେଶନରେ ଆଗତ ହୋଇପାରେ ସଂଶୋଧିତ ୱାକଫ ବିଲ୍ । ତା ପୂର୍ବରୁ ଯୁଗ୍ମ ସଂସଦୀୟ କମିଟି ବାଚସ୍ପତି ଓମ୍ ବିର୍ଲାଙ୍କୁ ରିପୋର୍ଟ ହସ୍ତାନ୍ତର କରିଛି । ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍ ଓ ଅନ୍ୟ ସଦସ୍ୟ ବାଚସ୍ପତିଙ୍କୁ ଭେଟି ୬୫୫ ପୃଷ୍ଠା ସମ୍ବଳିତ ରିପୋର୍ଟ ପ୍ରଦାନ କରିଛନ୍ତି । ଗତକାଲି ବହୁମତ ଆଧାରରେ ଜେପିସି ପ୍ୟାନେଲ୍ ରିପୋର୍ଟକୁ ଗ୍ରୀନ୍ ସିଗନାଲ୍ ଦେଇଥିଲା । ଏହାପରେ ଲୋକସଭା ବାଚସ୍ପତିଙ୍କୁ ରିପୋର୍ଟ ଦିଆଯାଇଛି । ଏଥିରେ ବାଚସ୍ପତିଙ୍କ ମୋହର ବାଜିବା ପରେ ଗୃହରେ ଆଗତ ହୋଇପାରେ ।

ୱାକଫ୍‌ ବିଲ୍ ୧୯୯୫ରେ ୧୪ଟି ସେକ୍ସନରେ ସଂଶୋଧନ କରାଯାଇଛି । ୨୦୨୪ ଅଗଷ୍ଟ ୮ ତାରିଖରେ ଲୋକସଭାରେ ଆଗତ ହୋଇଥିଲା ୱାକଫ୍‌ ସଂଶୋଧିତ ବିଲ୍ । ଏହାପରେ ଅଧିକ ସଂଶୋଧନ ପାଇଁ ଯୁଗ୍ମ ସଂସଦୀୟ ବୋର୍ଡକୁ ପଠାଯାଇଥିଲା ବିଲ୍ । ୱାକଫ୍‌ ୧୯୯୫ ଆଇନରେ ମୋଟ୍ ୪୪ଟି ସଂଶୋଧନ ବିରୋଧୀ ଓ କମିଟି ଦ୍ୱାରା ପ୍ରସ୍ତାବ ଦିଆଯାଇଥିଲା। ଭୋଟିଂ ପରେ ୧୪ଟି ସଂଶୋଧନ କରାଯାଇଛି ।

ଅଧିକ ପଢ଼ନ୍ତୁ: ବ୍ୟାପିଲା GBS ରୋଗ, ପୁଣେ ପରେ କୋଲକାତାରେ ୩ ଜଣଙ୍କ ମୃତ୍ୟୁ ସନ୍ଦେହ