• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ତାଙ୍କ ସହ ଶପଥ ନେଇଥିଲେ ଏନଡିଏ ସରକାରର ୭୨ ଜଣ ମନ୍ତ୍ରୀ । ଏମାନଙ୍କ ଭିତରେ ୩୦ ଜଣ କ୍ୟାବିନେଟ୍, ୫ ଜଣ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଓ ୩୬ ଜଣ ଅଛନ୍ତି ରାଷ୍ଟ୍ରମନ୍ତ୍ରୀ । ବିଜେପିର ୬୧ ଓ ସହଯୋଗୀ ଦଳର ୧୧ ଜଣଙ୍କୁ ମିଳିଛି ମନ୍ତ୍ରୀପଦ। ଏଥିରୁ ୯୯ ପ୍ରତିଶତ ହେଉଛନ୍ତି କୋଟିପତି । ଏମାନଙ୍କ ମଧ୍ୟରୁ ୬ ଜଣ ୧୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ । ଏମାନଙ୍କ ଭିତରେ ସବୁଠାରୁ ଆଗରେ ଅଛନ୍ତି- ତେଲଗୁ ଦେଶମ ପାର୍ଟି ବା ଟିଡିପିରୁ ଆନ୍ଧ୍ରର ଗୁଣ୍ଟୁର ଆସନରୁ ବିଜୟୀ ହୋଇଥିବା ସାଂସଦ ଡାକ୍ତର ପେମାସାନି ଚନ୍ଦ୍ରଶେଖର। ପେମାସାନିଙ୍କ ପାଖରେ ୫,୭୦୫ କୋଟି ଟଙ୍କାର ସମ୍ପତ୍ତି ରହିଛି । ସେ ଆମେରିକାରେ ଡାକ୍ତରୀ ପରୀକ୍ଷା ପାଇଁ ଏକ ଅନଲାଇନ୍ କୋର୍ସ କମ୍ପାନୀ ଗଢ଼ି ଏତେ ସମ୍ପତ୍ତିର ମାଲିକ ହୋଇଛନ୍ତି ।

ପେମାସାନି ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗ୍ରାମ୍ୟ ଉନ୍ନୟନ ଓ ସଂଚାର ରାଷ୍ଟ୍ର ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ତାଙ୍କ ପରେ ସମ୍ପତ୍ତିରେ ଦ୍ବିତୀୟ ସ୍ଥାନରେ ଅଛନ୍ତି କେନ୍ଦ୍ର ସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମଧ୍ୟପ୍ରଦେଶ ଗୁନାରୁ ଜିତିଥିବା ସିନ୍ଧିଆଙ୍କ ପାଖରେ ୪୨୫ କୋଟି ଟଙ୍କାର ସମ୍ପତ୍ତି ରହିଛି । ତୃତୀୟ ସ୍ଥାନରେ ଅଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଇସ୍ପାତ ଓ ଭାରୀଶିଳ୍ପ ମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀ । କୁମାରସ୍ବାମୀଙ୍କ ପାଖରେ ୨୧୭ କୋଟି ଟଙ୍କାର ସମ୍ପତ୍ତି ରହିଛି।

ଅଧିକ ପଢ଼ନ୍ତୁ: ମୋଦି ସରକାର ୩.୦: ଜାଣନ୍ତୁ କେନ୍ଦ୍ରମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ...

        କେନ୍ଦ୍ରମନ୍ତ୍ରୀଙ୍କ ନାମ              ସମ୍ପତ୍ତିର ମୂଲ୍ୟ
  ଡାକ୍ତର ପେମାସାନି ଚନ୍ଦ୍ରଶେଖର ( ଟିଡିପି )           ୫,୭୦୫ କୋଟିରୁ ଅଧିକ
   ଜ୍ୟୋତିରାଦିତ୍ୟ ସିନ୍ଧିଆ  ( ବିଜେପି )                   ୪୨୫ କୋଟିରୁ ଅଧିକ 
   ଏଚ୍.ଡି କୁମାରସ୍ବାମୀ  ( ଜେଡିଏସ୍‌ )             ୨୧୭ କୋଟିରୁ ଅଧିକ
     ରାଓ ଇନ୍ଦ୍ରଜିତ ସିଂହ ( ବିଜେପି )             ୧୨୧ କୋଟିରୁ ଅଧିକ 
       ପିୟୁଷ ଗୋଏଲ ( ବିଜେପି )                ୧୧୦ କୋଟିରୁ ଅଧିକ

 

ହରିୟାଣା ଗୁରଗାଓଁରୁ ଆସିଥିବା କେନ୍ଦ୍ର ପରିସଂଖ୍ୟାନ ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହଙ୍କ ପାଖରେ ୧୨୧ କୋଟି ଟଙ୍କାର ସମ୍ପତ୍ତି ରହିଛି । ମହାରାଷ୍ଟ୍ର ଉତ୍ତର ମୁମ୍ବାଇରୁ ଆସିଥିବା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ପାଖରେ ୧୧୦ କୋଟି ଟଙ୍କାର ସମ୍ପତ୍ତି ରହିଛି।

ଅନ୍ୟପଟରେ କେନ୍ଦ୍ର ମନ୍ତ୍ରୀମାନଙ୍କ ଭିତରୁ ୧୯ ଜଣ ମନ୍ତ୍ରୀଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି। ୫ ବର୍ଷରୁ ଅଧିକ ଦଣ୍ଡ ମିଳିବାର ଆଶଙ୍କା ଥିବା ମାମଲାକୁ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍‌ ବା ଏଡିଆର ପକ୍ଷରୁ ଗୁରୁତର ଅପରାଧ ମାମଲା ବୋଲି ଦର୍ଶାଯାଇଛି । ଏଥର କ୍ୟାବିନେଟରେ ୭୨ ଜଣ ମନ୍ତ୍ରୀଙ୍କ ଭିତରୁ ୭ ଜଣ ଅର୍ଥାତ୍ ୧୦ ପ୍ରତିଶତ ମହିଳା ମନ୍ତ୍ରୀ ଥିବା ଦେଖାଯାଇଛି।

OTV is now on Whatsapp

Join and get latest news update delivered to you via whatsapp

Join Now