ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିୟନ୍ ଡି ଗୁକେଶ ବା ଗୁକେଶ ଡୋମାରାଜୁ ଦେଶ ପାଇଁ ଗୌରବ ଆଣିଲେ । ଦେଶର ଟେକ ରଖିଲେ । ମାତ୍ର ୧୮ ବର୍ଷ ବୟସରେ ରଚିଲେ ଇତିହାସ । ତେବେ ସେ ଦେଶକୁ ଗୌରବାନ୍ୱିତ କରିବା ପରେ ଦୁଇ ରାଜ୍ୟ ମଧ୍ୟରେ ଚାଲିଛି ଶ୍ରେୟ ନେବାର ଲଢେଇ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗୁକେଶଙ୍କ ସଫଳତାରେ ଆନନ୍ଦିତ ହୋଇ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି, ‘ଉଲ୍ଲେଖନୀୟ ସଫଳତା… ଆଉ ଜଣେ ଚାମ୍ପିୟନଙ୍କୁ ଦେଇ ପୁଣିଥରେ ବିଶ୍ୱର ଚେସ୍ କ୍ୟାପିଟାଲ ଚେନ୍ନାଇ ନିଜର ସ୍ଥାନକୁ ଦୃଢୀଭୂତ କଲା । ଚେନ୍ନାଇ ତୁମ ପାଇଁ ଗର୍ବିତ’ । ଏହା ଲେଖି ସେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ନିଜେ ଷ୍ଟାଲିନ ଗୁକେଶଙ୍କ ବେକରେ ଏକ ଗୋଲ୍ଡ ମେଡାଲ୍ ପକାଉଛନ୍ତି । ଗୁରୁବାର ସନ୍ଧ୍ୟା ୭.୫୨ରେ ଏହା ପୋଷ୍ଟ କରିଥିଲେ ଷ୍ଟାଲିନ୍ ।
ଏହି ପୋଷ୍ଟ ହେବାର ଠିକ୍ ଦୁଇ ମିନିଟ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଟ୍ୱିଟ କରିଥିଲେ । ଏଥିରେ ଲେଖାଥିଲା, ‘ଆମ ନିଜ ତେଲୁଗୁ ପିଲାକୁ ଆନ୍ତରିକ ଶୁଭେଚ୍ଛା… । ସାରା ଦେଶ ତୁମର ଏହି ବିଶେଷ ସଫଳତାକୁ ପାଳନ କରୁଛି । ଆଗାମୀ ଦଶନ୍ଧିରେ ତୁମେ ଆହୁରି ବେଶୀ ସଫଳତା ପାଅ ବୋଲି ମୁଁ କାମନା କରୁଛି । ସିଙ୍ଗାପୁରରେ ଇତିହାସ ରଚିଥିବାରୁ ଅଭିନନ୍ଦନ’ । ଏହି ପୋଷ୍ଟରେ ଗୁକେଶଙ୍କ ଏକ ଫଟୋ ଲଗାଯାଇଥିଲା । ଅର୍ଥାତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଗୁକେଶଙ୍କୁ ଚେନ୍ନାଇର ବୋଲି କହିବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଆମ ତେଲୁଗୁ ପିଲା କହି ସମ୍ୱୋଧନ କରିଥିଲେ । ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ ।
Also Read
ଅଧିକ ପଢନ୍ତୁ:ପୋଲିସ ସାମ୍ନାରେ ନଇଁଲେ ପୁଷ୍ପା ! ଦଳାଚକଟା ଘଟଣାରେ ହେଲେ ଆରେଷ୍ଟ
ଦକ୍ଷିଣ ଭାରତର ଏଇ ଦୁଇ ରାଜ୍ୟ ଗୁକେଶଙ୍କୁ ନିଜ ରାଜ୍ୟର ବୋଲି ଦାବି କରୁଛନ୍ତି । ଅନେକ ସୋସିଆଲ ମିଡିଆ ୟୁଜର୍ ଲେଖିଛନ୍ତି ଯେ, ଏହି ଚେସ୍ ଷ୍ଟାରଙ୍କୁ ତାମିଲନାଡୁ ସରକାର ପୂର୍ବରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏପରିକି ଗତ ଏପ୍ରିଲ ମାସରେ ତାମିଲନାଡୁ ସରକାର ତାଙ୍କୁ ୭୫ ଲକ୍ଷ ଟଙ୍କା ଦେଇଥିବାର ନ୍ୟୁଜ୍ ରିପୋର୍ଟକୁ ଜଣେ ସ୍କ୍ରିନସଟ୍ ମାରି ପୋଷ୍ଟ କରିଛନ୍ତି । ଏହା କେବଳ ଗୋଟିଏ ଉଦାହରଣ ବୋଲି ସେ ଲେଖିଛନ୍ତି । ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ଏହି ତେଲୁଗୁ ଚେସ୍ ଗ୍ରାଣ୍ଡମାଷ୍ଟରଙ୍କୁ କ୍ୟାରିୟର୍ ଗଢିବାକୁ ତାମିଲନାଡୁ ସରକାର ଅନେକ ପ୍ରୋତ୍ସାହନ ଦେଇଛନ୍ତି । ଏବେ ତେଲୁଗୁ ରାଜ୍ୟମାନେ ଏହାକୁ ଅନୁସରଣ କରନ୍ତୁ । ଆଉ ଜଣେ ସୋସିଆଲ୍ ମିଡିଆ ୟୁଜର୍ ଲେଖିଛନ୍ତି, ମୋ ଭଳି ଗୁକେଶ ବି ଜଣେ ତାମିଲ୍ । ତାମିଲନାଡୁରେ ସେ ପଢିଛନ୍ତି ଓ ଚେସ୍ କଲଚରରେ ବଢିଛନ୍ତି । ତେଣୁ ତାମିଲନାଡୁ ଛଡା ଅନ୍ୟ କୌଣସି ରାଜ୍ୟ ତାଙ୍କୁ ତାଙ୍କ ରାଜ୍ୟ ବୋଲି ଦାବି କରିପାରିବେ ନାହିଁ ।
ଅନ୍ୟ ଜଣେ ସୋସିଆଲ୍ ମିଡିଆ ୟୁଜର୍ ଲେଖିଛନ୍ତି, ଗୁକେଶ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ବାହାରେ ରହୁଥିବା ତେଲୁଗୁ । ତାଙ୍କର ଭାଷା ତେଲୁଗୁ ଓ ତାଙ୍କର ବଂଶଧର ଆନ୍ଧ୍ରପ୍ରଦେଶରେ ରହୁଛନ୍ତି ।
ସୋସିଆଲ ମିଡିଆରେ ଆଉ ଏକ ଲେଖା ମଧ୍ୟ ଦ୍ରୁତଗତିରେ ପ୍ରସାରିତ ହେବାରେ ଲାଗିଛି ଯେଉଁଥିଲେ ଲେଖାଅଛି, ଗୁକେଶ ଜଣେ ଭାରତୀୟ । ବିତର୍କରୁ ଉର୍ଦ୍ଧ୍ୱରେ ରହି ତାଙ୍କର ସଫଳତାକୁ ସମସ୍ତେ ସାଲ୍ୟୁଟ୍ କରିବା ଉଚିତ ।
ବାସ୍ତବରେ ଗୁକେଶଙ୍କ ବାପାମାଆ ତେଲୁଗୁ କିନ୍ତୁ ସେମାନେ ଚେନ୍ନାଇରେ ରହୁଛନ୍ତି । ଉଭୟ ମେଡିକାଲ୍ ପ୍ରଫେସନାଲ୍ । ବିଶ୍ୱନାଥନ ଆନନ୍ଦଙ୍କ ପରେ ଗୁକେଶ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଯେ କି ବିଶ୍ୱ ଚେସ୍ ଚାମ୍ପିୟନସିପ୍ ହାସଲ କରିଛନ୍ତି । ଏହା ତାଙ୍କର ସ୍ୱପ୍ନ ଥିଲା ଓ ପୂରଣ ହୋଇଛି ବୋଲି କହିଛନ୍ତି ଗୁକେଶ ।