ବାରଣାସୀରେ ଉଦ୍ଧାର ହେଲା ସିଦ୍ଧେଶ୍ୱର ମହାଦେବ ମନ୍ଦିର । ଏହି ମନ୍ଦିରଟି ଜଣକ ଘର ଅଗଣାରେ ଭିତର ପଟୁ ତାଲା ପଡିଥିଲା । ମଦନପୁର ଅଞ୍ଚଳର ଏହି ମନ୍ଦିରଟି ଦୁଇ ଶହ ବର୍ଷରୁ ଅଧିକ ପୁରୁଣା । ଏହି ମନ୍ଦିରଟି ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ବ୍ୟକ୍ତିଙ୍କ ଦଖଲରେ ଥିଲା । ଗତ କିଛି ଦଶନ୍ଧି ଧରି ଏହି ମନ୍ଦିରକୁ ସର୍ବସାଧାରଣ ଯାଇପାରୁନଥିଲେ କି ପୂଜାର୍ଚ୍ଚନା କରିପାରୁନଥିଲେ । କିନ୍ତୁ ଏବେ ଏହି ମନ୍ଦିରଟି ଉଦ୍ଧାର ହୋଇଛି ।
ଏହି ମନ୍ଦିରଟି ବହୁତ ପୁରୁଣା । ମନ୍ଦିରର ଦେଖାଶୁଣା କରୁଥିଲେ ଗୋଟିଏ ବେଙ୍ଗଲି ପରିବାର । ମନ୍ଦିରଟି ଏହି ବେଙ୍ଗଲି ପରିବାରର ଅଗଣା ଭିତରେ ରହିଥିଲା । ପରେ ସେ ଏହି ସଂପତ୍ତିକୁ ଜଣେ ସଂଖ୍ୟାଲଘୁ ପରିବାରକୁ ବିକ୍ରି କରି ଅନ୍ୟତ୍ର ଚାଲିଯାଇଥିଲେ । ସେ ଜମି ବିକ୍ରି କରିବା ପରେ ସଂଖ୍ୟାଲଘୁ ସଂପ୍ରଦାୟର ଏହି ବ୍ୟବସାୟୀଜଣକ ଏହାକୁ ତାଲା ପକାଇ ରଖିଥିଲେ । ନିଜ ଘର ସହ ପ୍ରାୟତଃ ଏହାକୁ ମିଶାଇ ଦେଇଥିଲେ । ତେବେ ସନାତନ ରକ୍ଷକ ଦଳ ପକ୍ଷରୁ ଏ ସଂପର୍କରେ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ପ୍ରଶାସନ ପଦକ୍ଷେପ ନେଇଥିଲା । ଏହି ମନ୍ଦିରକୁ ଠାବ କରାଯାଇଥିଲା । ସଂଖ୍ୟାଲଘୁବହୁଳ ଏହି ଅଞ୍ଚଳରେ କିଛି ଲୋକ ପହଞ୍ଚି ମନ୍ଦିର ବାହାରେ ପୂଜାର୍ଚ୍ଚନା କରିଛନ୍ତି । ଶଙ୍ଖ ଫୁଙ୍କି ହର ହର ମହାଦେବ ନାରା ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ମନ୍ଦିର ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ।
ଅଧିକ ପଢନ୍ତୁ:ମହାକୁମ୍ଭ ପାଇଁ ଆସିବେ ୪୦ କୋଟି ଶ୍ରଦ୍ଧାଳୁ, ଭବ୍ୟ-ଦିବ୍ୟ ଓ ଡିଜିଟାଲ୍ କରିବାକୁ ଲାଗିଛି ସରକାରଙ୍କ ଜୀ-ଜାନ୍
ଦୁଇଦିନ ତଳେ ସମ୍ଭଲରେ ମଧ୍ୟ ଏକ ଶିବ ମନ୍ଦିର ପୁଣି ଥରେ ଖୋଲା ଯାଇଥିଲା । ଉତ୍ତରପ୍ରଦେଶରେ ସମ୍ବଲ ହିଂସା ପରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ବିଦ୍ୟୁତ ଚୋରିର ଅବସ୍ଥା ଦେଖି ଏସପି କୃଷ୍ଣ କୁମାର ବିଷ୍ଣୋଇ ରାଗି ଯାଇଥିଲେ । କାରଣ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଏସପିଙ୍କୁ ଅଭିଯୋଗ କରିଥିଲେ, ‘ଯେତେବେଳେ ଆମେ ଯାଞ୍ଚ କରିବାକୁ ଯାଉଛୁ, ଗୁଣ୍ଡାଗିରି କରୁଥିବା ଲୋକମାନେ ଆମକୁ ଧମକ ଚମକ ଦେଉଛନ୍ତି । କହୁଛନ୍ତି ଆମେ ତମକୁ ଦେଖିଦେବୁ ।’
ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ବେଆଇନ ଜବରଦଖଲ ଏବଂ ବିଦ୍ୟୁତ ଚୋରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଜବରଦଖଲ ଉଚ୍ଛେଦ ବେଳେ ବଡ଼ ଧରଣର ବିଦ୍ୟୁତ ଚୋରି ସାମ୍ନାକୁ ଆସିଥିଲା । କିନ୍ତୁ ଶନିବାର ସକାଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାରା ଦେଶରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଚେକିଂ ବେଳେ ସାମ୍ନାକୁ ଆସିଲା ଏମିତି ଏକ ମନ୍ଦିର, ଯାହାକି ୧୯୭୮ ମସିହାରୁ ବନ୍ଦ ଥିଲା ବୋଲି କୁହାଯାଉଛି । ଦୀପା ରାଏ ଅଞ୍ଚଳରୁ ଏହି ମନ୍ଦିର ସାମ୍ନାକୁ ଆସିଛି । ଏହି ମନ୍ଦିର ଜବରଦଖଲରେ ଥିଲା ।
ଯେତେବେଳେ ଏହି ମନ୍ଦିର ସାମ୍ନାକୁ ଆସିଲା, ସେତେବେଳେ ଏକ ବଡ଼ ପୋଲିସ ଫୋର୍ସ ସେଠାରେ ଥିଲା । ଗତ ୪୬ ବର୍ଷ ହେବ ଏହି ମନ୍ଦିର ବନ୍ଦ ରହିଥିଲା । ସମାଜବାଦୀ ପାର୍ଟି ସାଂସଦ ଜିୟା ଉର୍ ରେହମାନ ବର୍କଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ରହିଛି ଏହି ମନ୍ଦିର । ମନ୍ଦିର ଭିତରେ ଶିବ ଲିଙ୍ଗ, ହନୁମାନ, ଏବଂ ନନ୍ଦୀଙ୍କ ମୂର୍ତ୍ତି ରହିଛି । ଏଠି ମନ୍ଦିର ଥିବା ଜଣାପଡିବା ପରେ ପୋଲିସ ଅଧିକାରୀମାନେ ମନ୍ଦିରର ଭିତର ସଫା କରିଥିଲେ ।