• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବିଶ୍ୱାସ ଓ ଆଶ୍ଚର୍ଯ୍ୟର ଶୈବ କ୍ଷେତ୍ର ଯାଜପୁରର ତ୍ରିଲେଚନେଶ୍ୱର । ହଂସରେଖା କୂଳରେ ଅବସ୍ଥିତ ଏହି ମନ୍ଦିରରେ ପୂଜା ପାଉଛନ୍ତି ପଶ୍ଚିମ ମୁଖା ଶିବ । ଆଉ ଏହି ଲିଙ୍ଗରେ ଯେତେ ପାଣି ଢାଳିଲେ ବି କୁଆଡେ ଯାଉଛି ପାଣି ତାହା କାହାକୁ ବି ଜଣାନାହିଁ । ଖାଲି ଏଇ ଶିବ ମନ୍ଦିର ନୁହେଁ ବରଂ ଏଠାରେ ପୂଜା ପାଉଛନ୍ତି ୯ ହାତ ଦେଉଳରେ ୧୮ ହାତ କାଳୀ । ଠିକ୍‌ ଏହାରି ପାଖକୁ ଲାଗିରହିଛି ରାବଣ ତପସ୍ୟାକୁଣ୍ଡ ସହ ପାତାଳକୁ ଯିବାକୁ ରାସ୍ତା । କିମ୍ବଦନ୍ତୀ କହେ ଏହି ବାଟ ଦେଇ ପାତାଳରୁ ମହୀରାବଣ ମାଆ କାଳୀ ଓ ଶିବଙ୍କୁ ଦର୍ଶନ ଲାଗି ଆସୁଥିଲା ।

ଏହାର ସତ୍ୟତା ଉନ୍ମୋଚନ ଲାଗି ବହୁ ବର୍ଷ ପୂର୍ବେ ପ୍ରଶାସନ ପକ୍ଷରୁ ତପସ୍ୟା କୁଣ୍ଡର ଖନନ କରାଯାଇଥିଲା । ହେଲେ ଭୟଙ୍କର ଶବ୍ଦ ଓ ଅଘଟଣ କାରଣରୁ ତାହାକୁ ବନ୍ଦ କରାଯାଇଥିଲା । ଯେଉଁଥି ପାଇଁ ଆଜି ବି ଗୁପ୍ତବାଟକୁ ପଥର ଦ୍ୱାରା ବନ୍ଦ କରି ରଖାଯାଇଛି । ଏଏସଆଇ ଏହି କ୍ଷେତ୍ରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା ପରେ ଏହାର ଖନନ କାର୍ଯ୍ୟ ହେବ ବୋଲି ଗବେଷକ ଓ ଶ୍ରଦ୍ଧାଳୁ ଆଶା ରଖିଥିବା ବେଳେ ଏଯାଏଁ ନହେବାରୁ ତୁରନ୍ତ କିଛି ପଦକ୍ଷେପ ନେବାକୁ ଜୋର ଧରିଛି ଦାବି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତ୍ରିଲୋଚନେଶ୍ୱର ମନ୍ଦିରରେ ପ୍ରତିଦିନ ଶିବଲିଙ୍ଗ ଆକାରରେ ବୃଦ୍ଧି ହେଉଥିବା ସେବାୟତମାନେ ଅନୁ‌ଭବ କରନ୍ତି । ମନ୍ଦିରର ମହିମା ଅନେକ ଥିବାରୁ ନିତିଦିନ ଶହଶହ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଏଠାକୁ ଆସନ୍ତି । କିଛି ବର୍ଷ ପୂର୍ବେ ଏଠାରେ ପ୍ରଶାସନ ପକ୍ଷରୁ ସୁନ୍ଦର ପାର୍କ ବି ନିର୍ମାଣ କରାଯାଇଥିଲା । ହେଲେ ଆଜି ଘାସ ବଣରେ ସବୁ ରହିଯାଇଛି । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

ମିଳିଥିବା ସୂଚନା ଅନୁସାରେ, ୧୯୯୬ ମସିହାରୁ ଏହି କ୍ଷେତ୍ରର ପୁନରୁଦ୍ଧାର ଓ ମରାମତି ଦାୟିତ୍ୱ ନେଇଛି ଆର୍କୋଲେଜି ସର୍ଭେ ଅଫ ଇଣ୍ଡିଆ । ହେଲେ ଆଜି ଯାଏ ଗୁପ୍ତ ରାସ୍ତାର ଖନନ କରାଯାଇନଥିବା ବେଳେ ସୌନ୍ଦର୍ଯ୍ୟକରଣ କେବଳ କାଗଜ କଲମରେ ସୀମିତ ଥିବା ନେଇ ଅଭିଯୋଗ ହୋଇଛି । ସେପଟେ ମନ୍ଦିରର ଉନ୍ନତି କେମିତି ହେବ? ବିକାଶ କେମିତି ହେବ ସେନେଇ ଏଏସଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନ ହେବା ସହିତ ଖୁବଶୀଘ୍ର ବିକାଶ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଐତିହ୍ୟର ସହର ଯାଜପୁର । ହେଲେ ବିକାଶ ଏଇଠି ଅପହଞ୍ଚ ହୋଇ ରହିଛି...ଯଦି ତୁରନ୍ତ ଏଇ ମନ୍ଦିରର ବିକାଶ ନହୁଏ ତେବେ ଆନ୍ଦୋଳନ କରଯିବ ବୋଲି କହିଲେଣି ସ୍ଥାନୀୟ ଲୋକେ ।

 

  • Reported by:
  • Sanjeeb Nayak