/odishatv-khabar/media/post_attachments/uploadimage/library/16_9/16_9_0/Kumbh_Mela_1734103543.jpg)
Kumbh Mela
ଉତ୍ତର ପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ମେଳା ପାଇଁ ସାଢ଼େ ୫ ହଜାର କୋଟିର ଉନ୍ନୟନ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି ଏଥରର ମେଳା ହେବ ଦିବ୍ୟ-ଭବ୍ୟ ଓ ଡିଜିଟାଲ୍, ଏଠି ଚାଲିବ ଏକତାର ମହାଯଜ୍ଞ । ସାରା ବିଶ୍ୱର ନଜର ରହିଥିବାରୁ ଶ୍ରଦ୍ଧାଳୁଙ୍କୁ ସବୁ ସୁବିଧା ପହଞ୍ଚାଇବା ଆମ ଦାୟିତ୍ୱ । ତୀର୍ଥରାଜ ପ୍ରୟାଗରେ ଚାଲିଛି ବିଶ୍ୱର ସବୁଠୁ ବଡ଼ ଆୟୋଜନ ।
ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଥିବା ମହାକୁମ୍ଭ ମେଳା ପାଇଁ ୫୭୦୦ କୋଟିର ୧୬୭ଟି ଉନ୍ନୟନମୂଳକ ଯୋଜନାର ଲୋକର୍ପଣ କରିଛନ୍ତି। ତାସହ ନିଜ ଅଭିଭାଷଣରେ ଏ ମେଳାକୁ ଏକ ଭାରତ, ଶ୍ରେଷ୍ଠ ଭାରତର ଛବି ବୋଲି ବର୍ଣ୍ଣନା କରି ମୋଦି କହିଥିଲେ ମହାକୁମ୍ଭ ଦେଶର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରିଚୟକୁ ଶୀର୍ଷକୁ ନେଇଥାଏ। କୁମ୍ଭ ମେଳାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି। ହେଲେ ପୂର୍ବ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ୱ ଦେଉ ନଥିଲେ, ଯେହେତୁ ଏଠି ବିଶ୍ୱର ସବୁଠୁ ବଡ଼ ଆୟୋଜନ ଚାଲିଛି ତେଣୁ ଆମ ସରକାର ଏହାକୁ ଭବ୍ୟ କରିବାକୁ ସବୁ ଉଦ୍ୟମ କରୁଛନ୍ତି। ଶ୍ରଦ୍ଧାଳୁଙ୍କୁ ସବୁ ପ୍ରକାର ସୁବିଧା ପହଞ୍ଚାଇବା ଆମ ସରକାରଙ୍କ ଦାୟିତ୍ୱ। ମୋଦିଙ୍କ ଦ୍ୱାରା ଲୋକାର୍ପିତ ପ୍ରକଳ୍ପ ମଧ୍ୟରେ ୧୦ଟି ନୂଆ ରୋଡ୍ ଓଭର ବ୍ରିଜ୍ ସହ ଫ୍ଲାଇ ଓଭର ଓ ସ୍ଥାୟୀ ସ୍ନାନ ଘାଟ ରହିଛି।
ପ୍ରଧାନମନ୍ତ୍ରୀ ଆଜି ପ୍ରୟାଗ କ୍ଷେତ୍ରରେ ପହଞ୍ଚି, କୁମ୍ଭ ମେଳାର ସଫଳତା କାମନା କରି ପ୍ରଥମେ କୁମ୍ଭ କଳସର ପୂଜନ କରିଥିଲେ। ଯାହାକୁ ପୁରାଣ ବର୍ଣ୍ଣିତ ଅମୃତ କଳସର ପ୍ରତୀକ ଭାବେ ବିବେଚନା କରାଯିବ। ତାପରେ ବଡ଼େ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ସହ ଅକ୍ଷୟ ବଟ ପରିକ୍ରମା ସହ ବୋଟ୍ ରେ ବସି ସଙ୍ଗମ ସ୍ଥଳ ବି ବୁଲିଥିଲେ ପ୍ରଧାନମନ୍ତ୍ରୀ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଥିରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଏଥର କୁମ୍ଭମେଳା ବିଶ୍ୱରେ ପରିଚିତ ହେବ।
ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଆହ୍ଲାବାଦର ତ୍ରିବେଣୀ ସଂଗମରେ ଚାଲିବାକୁ ଥିବା ମହାକୁମ୍ଭ ମେଳାରେ ଏଥର ପ୍ରାୟ ୪୦ କୋଟି ଲୋକଙ୍କ ସମାଗମର ସମ୍ଭାବନା ରହିଛି। ତେଣୁ ସେଥିପାଇଁ ରେଳ ଷ୍ଟେସନରୁ ସଂଗମ ସ୍ଥଳ ଯାଏଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି। ପ୍ରୟାଗରାଜ ରେଲୱେ ଜଙ୍କସନରେ କୁମ୍ଭମେଳା ପାଇଁ ସାରା ଦେଶରୁ ଗଡ଼ିବ ୩ ହଜାର ସ୍ୱତନ୍ତ୍ର ଟ୍ରେନ୍ ସାଙ୍ଗକୁ ମୋଟ୍ ୧୦ ହଜାର ଟ୍ରେନ୍। ୧୬୧୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ବି ଆଜି ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ୨୦୧୯ରେ ପ୍ରୟାଗରାଜ କୁମ୍ଭ ମେଳାକୁ ୟୁନେସ୍କ ପକ୍ଷରୁ ବିଶ୍ୱ ସାଂସ୍କୃତିକ ଐତିହ୍ୟର ମାନ୍ୟତା ମିଳିସାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)