• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାର୍ଲାମେଣ୍ଟକୁ ପୁଣି ଫେରିଲା ମାସ୍କ । ଚୀନ୍, ଜାପାନ, ଦକ୍ଷିଣ କୋରିଆ ଓ ଆମେରିକା ଭଳି ଦେଶରେ ଉଦବେଗଜନକ ହାରରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସତର୍କ ଭାରତ । ଗତକାଲି କେନ୍ଦ୍ର ପକ୍ଷରୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଆଜି ସଂସଦରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକଡ଼ ଆଜି ମାସ୍କ ପିନ୍ଧି ପାର୍ଲାମେଣ୍ଟକୁ ଆସିବା ସହ ସବୁ ସାଂସଦକୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସଂସଦକୁ ମାସ୍କ ପିନ୍ଧି ଆସିଥିବା ଦେଖିବାକୁ ମିଳିଛି । ଏଥିସହ ସଂସଦର ଉଭୟ ଗୃହକୁ ପ୍ରବେଶ ପୂର୍ବରୁ ସାଂସଦମାନଙ୍କୁ ମାସ୍କ ବଣ୍ଟାଯାଇଛି । କିଛି ଦେଶରେ କୋଭିଡ୍ ମାମଲା ବଢୁଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଅପିଲ୍ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା ।

ଅଧିକ ପଢ଼ନ୍ତୁ: କରୋନାକୁ ନେଇ ସଂସଦରୁ ସତର୍କ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାଣ୍ଡଭୀୟ କୋଭିଡ୍ ସ୍ଥିତି ସମୀକ୍ଷା କରିଥିଲେ । ଭାରତରେ ଚୀନର ଘାତକ କୋଭିଡ୍ ଭାରିଆଣ୍ଟ BF-7 ଠାବ ପରେ ଚିନ୍ତା ବଢ଼ିଥିବା ବେଳେ ଆଗୁଆ ସତର୍କ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ସମ୍ଭାବ୍ୟ ସ୍ଥିତିକୁ ଦେଖି ମାସ୍କ ପିନ୍ଧିବା ସହ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଆଜି ଅନେକ ରାଜ୍ୟ ସରକାର କରୋନା ସ୍ଥିତି ନେଇ ବୈଠକ କରୁଛନ୍ତି। ଏହି କ୍ରମରେ ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ବୈଠକ କରୁଛନ୍ତି । ମହାରାଷ୍ଟ୍ରରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ମଧ୍ୟ ଆରମ୍ଭ ହୋଇଛି।