• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲୋକସଭାରେ ବିବୃତ୍ତି ରଖି କରୋନା କୁ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । କେତେକ ଦେଶରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଚୀନ୍ ଓ ଜାପାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି ବୋଲି ମାଣ୍ଡଭୀୟ କହିଛନ୍ତି । ପାର୍ବଣ ଋତୁ ସହ ନୂଆବର୍ଷକୁ ଆଖି ଆଗରେ ରଖି ଲୋକମାନଙ୍କୁ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେବାକୁ ସେ ସତର୍କ କରାଇଛନ୍ତି । ତେବେ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଲଗାତର କମୁଥିବାବେଳେ ଏହାକୁ ମୁକାବିଲା ନେଇ କେନ୍ଦ୍ର ପ୍ରସ୍ତୁତ ରହିଥିବା ସେ କହିଛନ୍ତି ।

ରାଜ୍ୟମାନେ ଜିନମ୍ ସିକ୍ୟୁଏନ୍ସିଂ ଜରିଆରେ ନୂଆ ଭାରିଏଣ୍ଟ ଚିହ୍ନଟ କରନ୍ତୁ । ରାଜ୍ୟମାନଙ୍କୁ କେନ୍ଦ୍ର ମହାମାରୀ ବାବଦ ଆର୍ଥିକ ସହାୟତା ଦେଉଛି । ଏଯାବତ୍ ରାଜ୍ୟମାନଙ୍କୁ ୨୨୦ କୋଟି ଡୋଜ୍ କୋଭିଡ ଟିକା ଦିଆଯାଇଛି ବୋଲି ସେ କହିଛନ୍ତି । ଏହାସହ ପୁଣିଥରେ ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ଆରଟିପିସିଆର୍ କରାଯାଉଥିବା ନେଇ ସୂଚନା ଦେଇଛନ୍ତି । ମହାମାରୀ ମୁକାବିଲା ନେଇ ଆମେ ବଦ୍ଧ ପରିକର ବୋଲି କହିଛନ୍ତି ମାଣ୍ଡଭୀୟ ।

ଅଧିକ ପଢ଼ନ୍ତୁ: ପାର୍ଲାମେଣ୍ଟରେ କରୋନା ପ୍ରଭାବ: ଗୃହକୁ ମାସ୍କ ପିନ୍ଧି ଆସିଲେ ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ ଉପରାଷ୍ଟ୍ରପତି

ସେପଟେ ପାର୍ଲାମେଣ୍ଟକୁ ପୁଣି ଫେରିଲା ମାସ୍କ । ଚୀନ୍, ଜାପାନ, ଦକ୍ଷିଣ କୋରିଆ ଓ ଆମେରିକା ଭଳି ଦେଶରେ ଉଦବେଗଜନକ ହାରରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଆଲର୍ଟରେ ଭାରତ । ସଂସଦରେ ବି ପୁଣି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକଡ଼ ଆଜି ମାସ୍କ ପିନ୍ଧି ପାର୍ଲାମେଣ୍ଟକୁ ଆସିବା ସହ ସବୁ ସାଂସଦକୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ସଂସଦର ଉଭୟ ଗୃହକୁ ପ୍ରବେଶ ପୂର୍ବରୁ ସାଂସଦମାନଙ୍କୁ ମାସ୍କ ବଣ୍ଟାଯାଇଛି । କିଛି ଦେଶରେ କୋଭିଡ୍ ମାମଲା ବଢୁଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଅପିଲ୍ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା ।

ଅନ୍ୟପଟେ ଚୀନରେ ହୁ ହୁ ହୋଇ ମାଡ଼ୁଛି କରୋନା । ନୂଆ ଭ୍ୟାରିଏଣ୍ଟ BF.7ରେ ଏବେ ତ୍ରାହି ତ୍ରାହି ଡାକିଲେଣି ଚୀନ ବାସି । କରୋନାର ପ୍ରଥମ ଲହର ବେଳେ ମାତ୍ର କିଛି ଦିନରେ ମେଡିକାଲ୍ ତିଆରି କରି ବାହା ବାହା ନେଇଥିବା ଚୀନରେ ଏବେ ମେଡିକାଲ୍ ସେବା ବିପର୍ଯ୍ୟସ୍ତ । ସ୍ୱାସ୍ଥ୍ୟ ସେବା ନପାଇ ଛଟପଟ ହେଉଛନ୍ତି ଲୋକେ । ମେଡିକାଲ୍ ଭିତରେ ବେଡ୍ ପାଇଁ ଯେତେ ଭିଡ଼, ମେଡିକାଲ୍ ବାହାରେ ତାଠୁ ଅଧିକ । ଚିକିତ୍ସା ପାଇବାକୁ ବହୁ ଲୋକେ ଅପେକ୍ଷା କରି ରହିଛନ୍ତି ।

ଭେଣ୍ଟିଲେଟର ନଥିବାରୁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି । କିଛି ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆସନ୍ତା କିଛି ମାସରେ ଚୀନରେ କରୋନା ସଂଖ୍ୟା ବିସ୍ଫୋରଣ ସୃଷ୍ଟି କରିପାରେ । ଚୀନର ୬୦ ପ୍ରତିଶତ ଓ ବିଶ୍ୱର ୧୦ ପ୍ରତିଶତ କୋଭିଡରେ ଆକ୍ରାନ୍ତ ହେବେ । ଏହି ତଥ୍ୟ ଏବେ ଚୀନର ସ୍ଥିତିକୁ ଦର୍ଶାଉଛି ।