• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅବିବାହିତ ମହିଳା ବି କରିପାରିବେ ଗର୍ଭପାତ । ଗର୍ଭପାତ ଆଇନ୍‌ରେ ହଜବ୍ୟାଣ୍ଡ ସ୍ଥାନରେ ରହିବ ପାର୍ଟନର । ଗର୍ଭପାତ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ସମସ୍ତ ମହିଳା ସୁରକ୍ଷିତ ଓ ଆଇନତଃ କରିପାରିବେ ଗର୍ଭପାତ । ବିବାହିତ ଓ ଅବିବାହିତ ମହିଳାଙ୍କ ଭିତରେ କୌଣସି ଭେଦଭାବ କରାଯାଇପାରିବ ନାହିଁ । ଯଦି ଏଭଳି କରାଯାଏ ତେବେ ଏହାକୁ ଅସମ୍ବିଧାନିକ ବୋଲି ଧରାଯିବ । ଯଦି ବିବାହିତ ମହିଳାଙ୍କୁ ୨୦ରୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ଅନୁମତି ଦିଆଯାଉଛି, ତେବେ ଅବିବାହିତ ମହିଳାମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ଆଇନ୍ ଲାଗୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ।

ଅବିବାହିତ ବୋଲି କୌଣସି ମହିଳାଙ୍କୁ ଗର୍ଭପାତ କ୍ଷେତ୍ରରେ ବାଛବିଛାର କରାଯାଇପାରିବ ନାହିଁ । ଯଦି କୌଣସି ଅବିବାହିତ କିମ୍ବା ଏକୁଟିଆ ରହୁଥିବା ମହିଳାଙ୍କୁ ଗର୍ଭପାତ ନେଇ ବାଛବିଚାର କରାଯାଏ ତେବେ ଏହା ମୌଳିକ ଅଧିକାରର କ୍ଷୁର୍ଣ୍ଣ ବୋଲି ଧରାଯିବ । ଏହାସହ ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନାନ୍ସି ଆକ୍ଟରେ ଥିବା ଦୁଷ୍କର୍ମର ସଂଜ୍ଞାରେ ମାରିଟାଲ୍ ରେପ୍‌କୁ ସାମିଲ୍ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗର୍ଭପାତ ଆଇନ୍ ୨୦୨୧ରେ ସଂଶୋଧନ କରି ହଜ୍‌ବ୍ୟାଣ୍ଡ ଲେଖାଥିବା ସ୍ଥାନରେ ପାର୍ଟନର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଆଇନରେ ବିବାହିତ ଓ ଅବିବାହିତ ମହିଳାଙ୍କୁ ଅବାଞ୍ଛିତ ଗର୍ଭକୁ ଅସ୍ୱୀକାର କରିବା ଓ ଗର୍ଭପାତ ପାଇଁ ସମାନ ଅଧିକାର ଦେବ । ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଏ.ଏସ୍. ବୋପାନ୍ନା ଓ ଜଷ୍ଟସ୍ ଜି.ବି. ପରଦିଓ୍ୱାଲାଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଂଜ କରି ଜଣେ ୨୫ ବର୍ଷୀୟ ଅବିବାହିତ ମହିଳା, ଯେ କି ୨୩ ସପ୍ତାହର ଗର୍ଭବତୀ ଥିଲେ, ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । 

ସୁରକ୍ଷିତ ଗର୍ଭପାତ ଓ ମହିଳାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୧୯୭୧ ମସିହାରେ ପ୍ରଥମେ ଆସିଥିଲା ଗର୍ଭପାତ ଆଇନ୍ । ୨୦୨୧ରେ ଏହି ଆଇନ୍‌ରେ ସଂଶୋଧନ କରାଯାଇଥିଲା । ଗର୍ଭପାତ ଆଇନ୍ ଅନୁୟାୟୀ ଜଣେ ମହିଳା ୨୦ ସପ୍ତାହର ଗର୍ଭଧାରଣ ଭିତରେ ଚାହିଁଲେ ଗର୍ଭପାତ କରିପାରିବେ । ତେବେ ଏଥିପାଇଁ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ମତାମତ ଆବଶ୍ୟକ ।

ତେବେ ୨୦ରୁ ୨୪ ସପ୍ତାହର ଗର୍ଭବତୀ ଯଦି ଗର୍ଭପାତ କରିବାକୁ ଚାହିଁବେ ତେବେ ୨ଜଣ ବିଶେଷଜ୍ଞ ଡାକ୍ତରଙ୍କ ସହମତି ଆବଶ୍ୟକ । ସେହିପରି ୨୪ ସପ୍ତାହରୁ ଅଧିକ ଗର୍ଭଧାରଣ କରିଥିଲେ ମେଡିକାଲ ବୋର୍ଡର ଅନୁମତି ଆବଶ୍ୟକ । ଅସୁରକ୍ଷିତ ଗର୍ଭପାତ ବଢୁଥିବାରୁ ମହିଳାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଗର୍ଭପାତ ଆଇନ୍ ଆଣିଥିଲେ କେନ୍ଦ୍ର ସରକାର ।