ମହିଳାଙ୍କ ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ । ଗର୍ଭପାତ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ଏଣିକି ସବୁ ମହିଳା ନିରାପଦ ଓ ବୈଧ ପ୍ରକ୍ରିୟାରେ ଗର୍ଭପାତ କରିପାରିବେ। ବିବାହିତ କିମ୍ବା ଅବିବାହିତ ମହିଳା ମଧ୍ୟରେ ବାଛବିଚାର କରିବା ଅସାମ୍ବିଧାନିକ । ଅବିବାହିତ ମହିଳାମାନେ ମଧ୍ୟ ଅନିଚ୍ଛାକୃତ ଗର୍ଭଧାରଣ ହୋଇଥିଲେ ଗର୍ଭପାତ କରିପାରିବେ। ଭାରତର ସମସ୍ତ ମହିଳାମାନଙ୍କୁ ନିରାପଦ ତଥା ଆଇନଗତ ଗର୍ଭପାତ କରିବାର ଅଧିକାର ଦିଆଯାଇଥିବା କହିଛନ୍ତି ସୁପ୍ରିମକୋର୍ଟ । ଗର୍ଭଧାରଣ ଆଇନର ମେଡିକାଲ ଟର୍ମିନେସନ୍ ଆକ୍ଟକୁ ସଂଶୋଧନ କରି ସୁପ୍ରିମକୋର୍ଟ କହିଛନ୍ତି, ଜଣେ ବିବାହିତ ମହିଳାଙ୍କ ପରି ଜଣେ ଅବିବାହିତା ମହିଳାଙ୍କର ମଧ୍ୟ ଗର୍ଭପାତ କରିବାର ଅଧିକାର ରହିଛି । ଏମଟିପି ଆକ୍ଟ ଏବଂ ଏହା ସହ ଜଡିତ ନିୟମକୁ ପରବର୍ତ୍ତନ କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି ।
ଯଦି ବିବାହିତ ମହିଳାମାନଙ୍କୁ ୨୦ରୁ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ ପାଇଁ ଅନୁମତି ଦିଆଯାଉଛି, ସେତେବେଳେ ଅବିବାହିତ ମହିଳାମାନଙ୍କ ପାଇଁ ବାଛ ବିଚାର କରାଯିବା ଅନୁଚିତ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି । ଗର୍ଭଧାରଣ ନିୟମର ମେଡିକାଲ ଟର୍ମିନେସନ ନିୟମ 3-Bର ବିସ୍ତାର କରାଯାଇଛି । ଏହି ଅବସରରେ ସୁପ୍ରିମକୋର୍ଟ ଅସୁରକ୍ଷିତ ଗର୍ଭପାତକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।
ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଏକ ବେଞ୍ଚ କହିଛନ୍ତି, ବୈବାହିକ ମାନ୍ୟତାକୁ ନେଇ କୌଣସି ମହିଳାଙ୍କୁ ଗର୍ଭପାତରୁ ବଂଚିତ କରାଯାଇପାରିବ ନାହିଁ । ଏଥିସହ ଗର୍ଭପାତ ଆଇନରେ ଦୁଷ୍କର୍ମ ସହ ମାରିଟାଲ ରେପ୍କୁ ସାମିଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ଜଣେ ଅବିବାହିତା ମହିଳାଙ୍କୁ ଅବାଞ୍ଛିତ ଗର୍ଭଧାରଣର ଶିକାର ହେବାକୁ ଅନୁମତି ଦେବା ଗର୍ଭଧାରଣର ମେଡିକାଲ୍ ଟର୍ମିନେସନ୍ (MTP) ଆଇନର ଉଦ୍ଦେଶ୍ୟ ଏବଂ ଭାବନାର ବିରୁଦ୍ଧାଚରଣ ହେବ ବୋଲି କୁହାଯାଇଛି । ୨୦୨୧ର ସଂଶୋଧନ ପରେ ଗର୍ଭବତୀ ଆଇନର ମେଡିକାଲ ଟର୍ମିନେସନ୍ ଧାରା -3ରେ ସ୍ୱାମୀଙ୍କ ବଦଳରେ ପାର୍ଟନର ଶବ୍ଦ ବ୍ୟବହାର କରାଯାଉଥିବା ସୁପ୍ରିମକୋର୍ଟ କହିଛନ୍ତି ।
ଭାରତରେ ୬୦ ପ୍ରତିଶତ ମହିଳା ଅସୁରକ୍ଷିତ ଭାବେ ଗର୍ଭପାତ କରୁଛନ୍ତି । ଭାରତରେ ମାତୃ ମୃତ୍ୟୁହାର ବୃଦ୍ଧି ପାଇବାରେ ଅସୁରକ୍ଷିତ ଗର୍ଭପାତ ତୃତୀୟ ବଡ କାରଣ । ଗର୍ଭପାତ ଆଇନ ଅନୁଯାୟୀ, ଗର୍ଭଧାରଣର ୨୪ ସପ୍ତାହ ପର୍ଯ୍ୟନ୍ତ ମହିଳାମାନଙ୍କୁ ଗର୍ଭପାତ କରିବାକୁ ଅନୁମତି ଦିଆଯାଇଛି ।
ସୂଚନାଯୋଗ୍ୟ ଜଣେ ୨୫ ବର୍ଷୀୟା ଅବିବାହିତ ମହିଳାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେବାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କର ଦେଇଥିଲେ । ମହିଳାଜଣଙ୍କ ୨୩ ମାସର ଗର୍ଭବତୀ ଥିବା ଜଣାଇ ଏହାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସଂପୃକ୍ତ ମହିଳା ଜଣଙ୍କ ପୁରୁଷ ବନ୍ଧୁଙ୍କ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଥିଲେ । କିନ୍ତୁ ତାଙ୍କ ପୁରୁଷ ବନ୍ଧୁ ଜଣଙ୍କ ବିଭିନ୍ନ ଆଳ ଦେଖାଇ ବିବାହ କରିବାକୁ ମନା କରି ଦେଇଥିଲେ ।