• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା ରାଜଧାନୀ ଏକ୍ସପ୍ରେସ୍‌ । ଖୁବ୍‌ ସ୍ପିଡ୍‌ରେ ଥିଲା । ଫୁଲ୍‌ ଦମ୍‌ରେ ଗନ୍ତବ୍ୟ ସ୍ଥଳ ଆଡ଼କୁ ମାଡ଼ି ଚାଲିଥିଲା । ଯାତ୍ରୀ ମଧ୍ୟ ଟ୍ରେନ୍‌ ଯାତ୍ରାର ଆନନ୍ଦ ନେଉଥିଲେ । କିଏ ଖାଇ ପିଇ ଶୋଇଥିଲା ତ ଆଉ କିଏ କିଏ ମେଳି ବାନ୍ଧି ଖେଳୁଥିଳେ ତାସ୍ । ସମସ୍ତେ ନିଜ ନିଜ ଅନ୍ଦାଜରେ ବିତାଉଥିଲେ ସମୟ । ହେଲେ କେହି ଜାଣିନଥିଲେ ତାଙ୍କ ପାଇଁ ଆଗରେ ଛିଡ଼ା ହୋଇରହିଥିଲା ବଡ଼ ବିପଦ । ଟ୍ରାକ୍ଟର ରୂପରେ ଟ୍ରାକ୍ ଛପରେ ଛିଡ଼ା ହୋଇଥିଲା ଯମ । ହେଲେ ସୌଭାଗ୍ୟବଶତଃ ବଞ୍ଚିଗଲା ଅନେକଙ୍କ ଜୀବନ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ହଜାର ହଜାର ଯାତ୍ରୀ ।

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଝାରଖଣ୍ଡ ଭୋଜୁଡି ଅଞ୍ଚଳରୁ । ଏହି ଟ୍ରେନ୍‌ଟି ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ଭୋଜୁଡି ଷ୍ଟେସନର ସନ୍ଥାଲଡିହ ରେଳ କ୍ରସିଂରେ ଏକ ଟ୍ରାକ୍ଟର ସହ ଟ୍ରେନ ଧକ୍କା ହୋଇଥିଲା । ହେଲେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ଆଉ ଏହାର ସବୁ ଶ୍ରେୟ ଯାଉଛି ଟ୍ରେନ୍‌ ଚାଳକଙ୍କୁ । ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି ।

ଅଧିକ ପଢ଼ନ୍ତୁ: ସବୁ ମୃତଦେହ ଭୁବନେଶ୍ୱର AIIMSରେ ଥିବା କଣ୍ଟେନରରେ ରହିଛି

ଆଗରେ ଟ୍ରାକ୍ଟର ଥିବା ଜାଣିବା ପରେ ଟ୍ରେନ୍‌ ଚାଳକ ନିଜର ଉପସ୍ଥିତ ବୁଦ୍ଧି ଆପଣାଇ ବ୍ରେକ୍‌ ମାରିଥିଲେ । ଆଉ ଏମିତି ଢ଼ଙ୍ଗଳରେ ବ୍ରେକ୍‌ ମାରିଥିଲେ ଯେ, ଗାଡ଼ିଟି ସମ୍ପୂର୍ଣ୍ଣ ଧୀମା ହୋଇଯାଇଥିଲା । ଟ୍ରାକ୍ଟରକୁ ଧକ୍କା ଦେବା ପୂର୍ବରୁ ଟ୍ରେନ୍ ନିୟନ୍ତ୍ରଣକୁ ଚାଲିଆସିଥିଲା । ଶେଷରେ ଟ୍ରାକ୍ଟର ସହ ଧକ୍କା ହୋଇଥିଲେ ବି କାହାର କିଛି କ୍ଷତି ହୋଇନଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଟ୍ରାକ୍ଟରର ଡାଲା ଲେବୁଲ କ୍ରସିଂରେ ଫସିଥିଲା । ସେଥିପାଇଁ ସେଠୁ ବାହାରି ପାରିନଥିଲା । ଟ୍ରେନ୍ ଅଟକିବା ପରେ ଟ୍ରାକ୍ଟରକୁ ଯେନତେନ ଲେବୁଲ କ୍ରସିଂରୁ ବାହାର କରାଯାଇଥିଲା ଓ ଟ୍ରେନ୍‌କୁ ସୁରକ୍ଷିତ ଭାବେ ଯିବାକୁ ଦିଆଯାଇଥିଲା । ଏହି ସମୟରେ ସେଠାରେ ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ରାଜଧାନୀ ଏକ୍ସପ୍ରେସ୍‌ ଅଟକି ରହିଥିଲା । ଅନ୍ୟପଟେ ରେଲ୍‌ୱେ ଅଧିକାରୀଙ୍କ ପକ୍ଷରୁ ଗେଟ୍‌ରେ ନିୟୋଜିତ ଥିବା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

ଏହି ଘଟଣା ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୪.୪୫ରେ ଘଟିଥିଲା । ଟ୍ରେନ୍ ଆସୁଥିବା ଜାଣି ମଧ୍ୟ ଗେଟ୍‌ ମ୍ୟାନ୍‌ ଫାଟକ ପକାଇବାରେ ବିଳମ୍ବ କରିଥିଲେ । ତେଣୁ ଫାଟକ ବନ୍ଦ ହେଉ ହେଉ ସେହି ଭିତରେ ଟ୍ରାକ୍ଟରଟି ପଶିଯାଇଥିଲା । ଆଉ ଏହାରି ଭିତରେ ଟ୍ରେନ୍ ମଧ୍ୟ ଆସିସାରିଥିଲା । ଏହା ଦେଖି ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । 

ଏଘଟଣା ନେଇ ଭୋଜୁଡି ଷ୍ଟେସନରେ ଖବର ପହଞ୍ଚିବା ମାତ୍ରେ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ସମସ୍ତେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆରପିଏଫ୍ ଯବାନଙ୍କୁ ମଧ୍ୟ ଡକାଯାଇଥିଲା । ରେଳ କର୍ମଚାରୀମାନେ ବହୁ ପରିଶ୍ରମ କରି ଟ୍ରାକ୍ଟର ଡାଲାରୁ ଟ୍ରେନର ବଗି ଅଲଗା କରିଥିଲେ । ପରେ ଟ୍ରେନଟି ସନ୍ଧ୍ୟା ୫.୨୭ ରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ।