ଅହମଦାବାଦରୁ ଲଣ୍ଡନକୁ କେବେ ଉଡିବ ବିମାନ ? ଦୁର୍ଘଟଣା ପରେ ଏକ ନୂଆ ବିମାନ ଆଜିଠୁ ଏହି ରୁଟରେ ଉଡିବାର ଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ବିମାନକୁ ଆଜି ବାତିଲ୍ କରାଯାଇଛି ।
ଗତ ସପ୍ତାହରେ AI-171 ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ରୁଟରେ AI-159 ବିମାନ ଯାତ୍ରା କରିବ ବୋଲି ଘୋଷଣା ହୋଇଛି । ଅର୍ଥାତ AI-171 ବିମାନ ବଦଳରେ ଅହମଦାବାଦ ଓ ଲଣ୍ଡନ ମଧ୍ୟରେ ଉଡିବ AI-159 ବିମାନ । ଏହି ବିମାନ ଆଜି ଉଡାଣ ଭରିବାର ଥିଲା । ଦୁର୍ଘଟଣା ପରେ ଆଜି ଏହି ବିମାନ ଯାଇଥାଆନ୍ତା ଅହମଦାବାଦରୁ ଲଣ୍ଡନ । କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ଆଜି ଯାଇପାରିନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଏୟାର ଇଣ୍ଡିଆର ଏପରି ପଞ୍ଚମ ଘଟଣା । ଆଜି ଦିନ ଗୋଟାଏ ୧୦ ମିନିଟରେ ଏହା ଟେକଅଫ୍ କରିବାର ସ୍ଥିର ହୋଇଥିଲା । ପାସେଞ୍ଜରମାନଙ୍କୁ ଟଙ୍କା ଫେରାଇ ଦିଆଯିବ ବୋଲି ଏୟାରଲାଇନ୍ ପକ୍ଷରୁ କୁହାଯାଇଛି ।
Also Read
ପୁଣି ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ୍ ହୋଇଛି । ଦିଲ୍ଲୀରୁ ପ୍ୟାରିସ୍ ଯିବାକୁ ଥିବା ବିମାନ AI-143ରେ ଯାଞ୍ଚ ବେଳେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡିଥିଲା । ତେଣୁ ବିମାନଟି ବାତିଲ୍ ହୋଇଛି । ସେହିପରି ଜୁନ୍ ୧୮ରେ ପ୍ୟାରିସ୍ରୁ ଦିଲ୍ଲୀକୁ ଥିବା ରିଟର୍ଣ୍ଣ ଫ୍ଲାଇଟ୍ AI-142 ମଧ୍ୟ ବାତିଲ୍ ହୋଇଛି ।
ଅଧିକ ପଢ଼ନ୍ତୁ: ମଝି ଆକାଶରେ ଇଣ୍ଡିଗୋ ବିମାନକୁ ବୋମା ଧମକ, ନାଗପୁରରେ ଏମରଜେନ୍ସି ଲ୍ୟାଣ୍ଡିଂ
ଫ୍ଲାଇଟରାଡାର୨୪ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆଜି ଯିବାର ଥିବା ଏହି ବିମାନଟି ଥିଲା ବୋଇଂ ୭୮୭-୮ ଡ୍ରିମଲାଇନର୍ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ଏହା ହେଉଛି ସମାନ ମଡେଲ୍ । ବିମାନଗୁଡିକର ନିରାପତ୍ତାକୁ ନେଇ ଏବେ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ଏହିଭଳି ଘଟଣା ସବୁ ସାମନାକୁ ଆସୁଛି । ଆଜି ସକାଳେ ଏୟାର ଇଣ୍ଡିଆ ( AI-180) ବିମାନ ସାନଫ୍ରାନସିସ୍କୋରୁ ମୁମ୍ୱାଇ ଆସୁଥିଲା । କିନ୍ତୁ ଏହାର ଗୋଟିଏ ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା । ତେଣୁ ଯାତ୍ରୀମାନଙ୍କୁ କୋଲକାତା ବିମାନ ବନ୍ଦରରେ ଓହ୍ଲାଇ ଦିଆଯାଇଥିଲା । ଗତ ସୋମବାର ଦିନ ଏୟାର ଇଣ୍ଡିଆ ଡ୍ରିମଲାଇନର୍ ( AI-315) ହଂକଂ ରୁ ଦିଲ୍ଲୀ ଆସୁଥିବା ବେଳେ ଟେକ୍ ଅଫ୍ ପରେ ପରେ ତ୍ରୁଟି ଥିବାର ସନ୍ଦେହ କରାଯାଇଥିଲା । ତେଣୁ ବିମାନଟି ଫେରି ଯାଇଥିଲା । ସେହି ଭଳି ଦିଲ୍ଲୀରୁ ରାଞ୍ଚି ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଯାନ୍ତ୍ରିକ ତ୍ରୁଟି ସନ୍ଦେହରେ ପୁଣି ଦିଲ୍ଲୀ ଫେରିଯାଇଥିଲା ।
ଏୟାର ଇଣ୍ଡିଆ ବିମାନ ଅହମଦାବାଦରେ ବିଜେ ମେଡିକାଲ କଲେଜ ହଷ୍ଟେଲରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏବେ ପାଇଲଟଙ୍କ ମନରେ ଛନକା ପଶିଛି । ସାମାନ୍ୟ ତ୍ରୁଟି ସନ୍ଦେହ ହେଲେ ବି ବିମାନର ଉଡାଣ ଭରିବାକୁ ଚାହୁଁନାହାନ୍ତି । AI-171 ବିମାନରେ ଦୁଇଟିଯାକ ଇଞ୍ଜିନ କାମ କରିନଥିଲା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।