/odishatv-khabar/media/post_attachments/uploadimage/library/16_9/16_9_0/crash_1749741317.jpg)
crash
ମାତ୍ର ଦୁଇ ମିନିଟରେ ଦୋହଲିଗଲା ଦୁନିଆ। ଆକାଶକୁ ଉଠୁ ଉଠୁ କ୍ରାସ୍ ହେଇଗଲା ଏୟାର ଇଣ୍ଡିଆର ସବୁଠୁ ସୁରକ୍ଷିତ ଓ ଅତ୍ୟାଧୁନିକ ଡ୍ରିମ୍ ଲାଇନର୍, ଯାହାକି ୨୦୧୧ରେ ଡେବ୍ୟୁ ପରଠୁ କେବେ ବି ଦୁର୍ଘଟଣାର ସାମ୍ନା କରିନଥିଲା। ବଡ଼ ପ୍ରଶ୍ନ, କେମିତି ଘଟିଗଲା ଏତେ ବଡ଼ ଅଘଟଣ? ଅଭିଜ୍ଞ ପାଇଲଟ୍ ଥାଇ ବି କେମିତି ଫ୍ଲାଇଟ୍ ଉପରୁ ହଟିଗଲା କଣ୍ଟ୍ରୋଲ୍? ଅହମ୍ମଦାବାଦ ଭୟଙ୍କର ବିମାନ ଦୁର୍ଘଟଣା ପରେ ଏବେ ଆରମ୍ଭ ହୋଇଛି କାରଣ ଖୋଜା।
ଅପରାହ୍ଣ ଗୋଟାଏ ୩୯ରେ ଟେକଅଫ୍। ଗୋଟାଏ ୪୦ରେ MAY DAY କଲ୍। ଆଉ ତାପରେ ଯାହା ଘଟିଲା- ସାରା ଦୁନିଆ ସ୍ତବ୍ଧ। ହୁତୁହୁତୁ ହୋଇ ଜଳିଗଲା ବିମାନ, ଧୂଆଁଧୂଆଁ ଅହମ୍ମଦାବାଦ ଆକାଶ। ମାତ୍ର ଦୁଇ ମିନିଟରେ ଦୋହଲିଗଲା ପୂରା ଦୁନିଆ। ତେବେ କ'ଣ ଥିଲା ସେହି ଦୁଇ ମିନିଟର କାଳ କାହାଣୀ ? ଏୟାର ଇଣ୍ଡିଆର ସବୁଠୁ ସୁରକ୍ଷିତ ଏୟାରକ୍ରାପ୍ଟ ଡ୍ରିମ୍ ଲାଇନର ସହ କଣ ଘଟିଗଲା
ଅଧିକ ପଢ଼ନ୍ତୁ: ଅହମ୍ମଦାବାଦ ପୋଲିସ୍ କମିଶନରଙ୍କ ବଡ଼ ବୟାନ; କହିଲେ, ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା
ମାତ୍ର ୧୨୦ ସେକେଣ୍ଡ ଭିତରେ? କାହିଁକି ଟେକଅଫ୍ କରି କ୍ରାସ୍ ହୋଇଗଲା ଫ୍ଲାଇଟ୍? ଗ୍ରାଉଣ୍ଡରୁ ମାତ୍ର ୮୨୫ ଫୁଟ ଉପରକୁ ଉଠିବା ପରେ କି ପରିସ୍ଥିତିର ସାମ୍ନା କରିଥିଲେ ପାଇଲଟ୍? ଡିଜିସିଏର କହିବା କଥା- ଗୋଟାଏ ୩୯ରେ ଅହମ୍ମଦାବାଦ ଏୟାରପୋର୍ଟରୁ ଲଣ୍ଡନ ଅଭିମୁଖେ ଟେକଅଫ୍ କରିଥିଲା ଏୟାର ଇଣ୍ଡିଆ ବିମାନ AI-171। ଏହାର ମାତ୍ର ଗୋଟିଏ ମିନିଟ୍ ପରେ ଏଟିସିକୁ ପାଇଲଟ୍ ପଠାଇଥିଲେ MAYDAY କଲ୍। ଅର୍ଥାତ ଲାଇଫ୍ ଥ୍ରେଟନିଂ ଏମରଜେନ୍ସିଂ। ବିମାନରେ ନିଆଁ ଲାଗିଲେ, ଇଞ୍ଜିନ ଫେଲ ହେଲେ କିମ୍ବା କୌଣସି ବିପଦ ଆସିଲେ ଦିଆଯାଇଥାଏ MAYDAY କଲ୍।
ପାଇଲଟ୍ ସୁମିତ ସବ୍ରୱାଲ ଏଟିସିକୁ ଲଗାତାର ତିନିଥର MAYDAY କଲ୍ ଦେବା ପରେ ବିଚ୍ଛିନ୍ନ ହୋଇଯାଇଥିଲା ଯୋଗାଯୋଗ। ତୁରନ୍ତ ସହାୟତା ପାଇଁ କୌଣସି ପଦକ୍ଷେପ ନେବା ଆଗରୁ କ୍ରାସ୍ ହୋଇଯାଇଥିଲା ଫ୍ଲାଇଟ୍। ବିଶେଷଜ୍ଞଙ୍କ କହିବା ଅନୁସାରେ, MAYDAY କଲ୍ ଦେବା ବେଳକୁ ଫ୍ଲାଇଟ୍ ଉପରୁ କଣ୍ଟ୍ରୋଲ ହରାଇସାରିଥିଲେ ପାଇଲଟ୍। ରନୱେରୁ ହିଁ ହୋଇଥାଇପାରେ ଯାନ୍ତ୍ରିକ କିମ୍ବା ମନୁଷ୍ୟକୃତ ତ୍ରୁଟି। ବାୟୁମଣ୍ଡଳରେ ଅତ୍ୟଧିକ ତାପମାତ୍ରା କାରଣରୁ ବିମାନଟି ଉପରକୁ ଉଠିବାରେ ସମସ୍ୟା ହୋଇଥାଇପାରେ। ଅନ୍ୟପଟେ ଟେକଅଫ୍ ବେଳେ ବିମାନରେ ପକ୍ଷୀ ମାଡ଼ ହେବା ଯୋଗୁ ବଡ଼ ଦୁର୍ଘଟଣା ଘଟିଥାଇପାରେ ବୋଲି ମଧ୍ୟ ଆଶଙ୍କା କରୁଛନ୍ତି ବିଶେଷଜ୍ଞ।
କ୍ରାସ ହୋଇଥିବା ଏୟାରଇଣ୍ଡିଆ ବୋଇଂ 787-8 ବିମାନଟି ମାତ୍ର ୧୧ ବର୍ଷର। ଏହାକୁ ଚଳାଉଥିବା ପାଇଲଟ୍ ସୁମିତ ବେଶ୍ ଅଭିଜ୍ଞ। ୮ ହଜାର ୨୦୦ ଘଣ୍ଟା ବିମାନ ଉଡ଼ାଣର ଅନୁଭବ ଥିଲା ସୁମିତଙ୍କର। ଅନ୍ୟପଟେ ଫାଷ୍ଟ ଅଫିସର ସିଲଭି କୁନ୍ଦାର ମଧ୍ୟ ୧୧ ଶହ ଘଣ୍ଟା ବିମାନ ଉଡ଼ାଇବାର ଅନୁଭୂତି ରଖିଥିଲେ । ତଥାପି କାହିଁକି ଫ୍ଲାଇଟ୍ ଟେକଅପ୍ ସମୟରେ କଣ୍ଟ୍ରୋଲ ହରାଇଦେଲେ? ଫ୍ଲାଇଟ୍ କ୍ରାସ ସମୟର ଦୃଶ୍ୟ କହୁଛି- କ୍ରାସ୍ ବେଳକୁ ବିମାନର ଲ୍ୟାଣ୍ଡିଂ ଗିୟର ତଳକୁ ହିଁ ରହିଥିଲା। ଏଣୁ ଟେକ୍ନିକାଲ୍ ଓ ଷ୍ଟ୍ରକଚରାଲ୍ ଷ୍ଟ୍ରାଟେଜି ଫେଲ୍ ଯୋଗୁ ଟେକଅଫରେ ହିଁ ଗୁରୁତର ସମସ୍ୟା ହୋଇଥିବା କହିଛନ୍ତି ବିଶେଷଜ୍ଞ।
ଦୁର୍ଘଟଣାର ଶିକାର ହୋଇଥିବା ବୋଇଂ 787-8 ଡ୍ରିମଲାଇନର୍ ହେଉଛି ବିଶ୍ବର ସବୁଠୁ ସୁରକ୍ଷିତ ଏବଂ ଅତ୍ୟାଧୁନିକ ବିମାନ। ୨୦୧୧ରେ ଡେବ୍ୟୁ କରିଥିବା ଏହି ଏୟାର କ୍ରାଫ୍ଟ ଏହା ପୂର୍ବରୁ କେବେ ବି ଦୁର୍ଘଟଣାର ଶିକାର ହୋଇନଥିଲା। ଗତ ୧୪ ବର୍ଷରେ ଏଭଳି ପ୍ରାୟ ଏକ ହଜାର ବିମାନ ବିକ୍ରି କରିଛି ବୋଇଂ। ୱାଇଡ୍ ବଡି ସାଙ୍ଗକୁ କମ୍ ଇନ୍ଧନରେ ଉଡ଼ାଣର ରହିଛି ଦକ୍ଷତା। ତେବେ ସବୁଠୁ ସୁରକ୍ଷିତ କୁହାଯାଉଥିବା ଏହି ବିମାନରେ ଭୟଙ୍କର ଦୁର୍ଘଟଣା ଘଟିବା ବୋଇଂ ଉପରେ ଲାଗିଛି ପ୍ରଶ୍ନ ଚିହ୍ନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)