ଅହମ୍ମଦାବାଦ ବିମାନ ଟ୍ରାଜେଡିକୁ ବିତିଲାଣି ୩ ଦିନ । ଏବେ ବି ଶୁଖୁନି ଆତ୍ମୀୟ ସ୍ବଜନଙ୍କ ଲୁହ, ଏବେ ବି ବନ୍ଧୁ ପରିଜନଙ୍କ ମୃତଦେହ ଅପେକ୍ଷାରେ ଅଧିକାଂଶ । DNA ପରୀକ୍ଷାର ବିଧି ବ୍ୟବସ୍ଥା ଭିତରେ ୨୪୮ଟି ମୃତଦେହ ମଧ୍ୟରୁ ଏଯାଏଁ ୪୧ଟିର ନମୂନା ମ୍ୟାଚ୍ କରିଛି । ତା ଭିତରେ ଅଛି, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ମରଶରୀର । ସିଭିଲ୍ ହସ୍ପିଟାଲ୍ ପକ୍ଷରୁ ଆଜି ୧୬ ଜଣଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି ସେମାନଙ୍କ ପରିବାରକୁ । ଅପରପକ୍ଷେ ବିମାନ ଦୁର୍ଘଟଣାଗ୍ରସ୍ତ ମେଘାନୀ ନଗରରେ ସ୍ଥିତି ସ୍ବାଭାବିକ ହେଉଛି ସତ, କିନ୍ତୁ ମୁଣ୍ଡ ଉପରେ ଉଡ଼ୁଥିବା ବିମାନ ଦେଖିଲେ ଏବେ ବି ଛାତିରେ ଛନକା ପଶୁଥିବା କହିଛନ୍ତି ଅଞ୍ଚଳବାସୀ ।
ଅଧିକ ପଢନ୍ତୁ: ଭୁଶୁଡିଲା ବ୍ରିଜ, ନଈରେ ଭାସିଗଲେ ୨୦ ପର୍ଯ୍ୟଟକ...
Also Read
ସରୁନି ପ୍ଲେନ୍ କ୍ରାସରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିଚୟ ଖୋଜା । DNA ଟେଷ୍ଟର ବିଧିବ୍ୟବସ୍ଥା ଭିତରେ ବଢ଼ିବାରେ ଲାଗିଛି ଆତ୍ମୀୟ ସ୍ବଜନଙ୍କ ଭିଡ଼ । କାରଣ DNA ରିପୋର୍ଟ ହିଁ କହୁଛି, ଦୁର୍ଘଟଣା ପରେ ଜଳିପୋଡ଼ି କଳାକାଠ ପାଲଟିଯାଇଥିବା ମରଶରୀରଟି କାହାର । ଆଉ ଯେଉଁ DNA ମ୍ୟାଚ୍ କଲା, ସଂପର୍କୀୟଙ୍କୁ ଡାକି ସ୍ବତନ୍ତ୍ର ଆମ୍ବୁଲାନ୍ସରେ ସିଭିଲ୍ ହସ୍ପିଟାଲ୍ ପକ୍ଷରୁ ହସ୍ତାନ୍ତର କରାଯାଉଛି ମରଶରୀର ଅବଶେଷ ।
ରାଜସ୍ଥାନର ଖୁସବୁ, ଯିଏ ଗତ ଜାନୁୟାରୀରେ ବିବାହ କରିଥିଲେ ଆଉ ବ୍ରିଟେନରେ ଚାକିରି କରିଥିବା ସ୍ବାମୀଙ୍କ ପାଖକୁ ଯାଉଥିଲେ । ଯିବା ପୂର୍ବରୁ ବାପା ମଦନ ସିଂ ଝିଅ ସହ ଉଠାଇଥିଲେ ଫଟୋ ଖଣ୍ଡିକ । ଆଶୀର୍ବାଦ ଦେଇ ସୋସିଆଲ୍ ମିଡ଼ିଆରେ ଏକ ବାର୍ତ୍ତା ବି ଦେଇଥିଲେ । କିନ୍ତୁ ଦୁର୍ଘଟଣାରେ ଲିଭିଗଲା ସବୁକିଛି । ଏବେ ଡିଏନଏ ମ୍ୟାଚ୍ କରିବା ପରେ ସଂପର୍କୀୟ ପହଞ୍ଚିଛନ୍ତି ମୃତଦେହକୁ ନେବାକୁ ।
ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ DNA ବି ମ୍ୟାଚ୍ କରିଛି ସମ୍ପର୍କୀୟଙ୍କ ସହ । ତେଣୁ ମରଶରୀର ନେବାକୁ ପହଞ୍ଚିଥିଲେ ସଂପର୍କୀୟ । ରାଜକୋଟରେ ପରିବାର ଲୋକେ ତାଙ୍କ ଶେଷକୃତ୍ୟ କରିବେ ବୋଲି ଜଣାପଡ଼ିଛି । ଏଭଳି ଭାବେ DNA ଟେଷ୍ଟ କରାଯାଉଥିବା ମୋଟ୍ ୨୪୮ଟି ମୃତଦେହ ମଧ୍ୟରୁ ଶେଷ ସୂଚନା ଯାଏଁ ୪୧ ଜଣଙ୍କ ନମୁନା ମ୍ୟାଚ୍ କରିଛି । ତା ମଧ୍ୟରୁ ପ୍ରାୟ ୧୬ ଜଣଙ୍କ ଡେଡବଡ଼ି ହସ୍ତାନ୍ତର କରାଯାଇଛି ସଂପର୍କୀୟଙ୍କୁ ।
ଜୁନ୍ ୧୨, ସମୟ ୧ଟା ୪୦ ମିନିଟ୍ । ବିମାନ ଦୁର୍ଘଟଣା ପରେ କେମିତି ଥିଲା ରେସ୍କ୍ୟୁ ଅପରେସନ୍, ବଖାଣିଛନ୍ତି ଅହମ୍ମଦାବାଦ ମ୍ୟୁନସିପାଲଟିର ଓଡ଼ିଆ କମିଶନର ବାଞ୍ଛାନିଧି ପାଣି । କହିଛନ୍ତି, ରେସ୍କ୍ୟୁ ଅପରେସନ୍ ପାଇଁ ପ୍ରଥମେ କରାଯାଇଥିଲା ଗ୍ରୀନ୍ କରିଡର୍। ଶତାଧିକ ଆଗ୍ନିକ, ଶହେରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ କରି ଆହତ ଓ ମୃତକଙ୍କୁ ନିଆଯାଇଥିଲା ସିଭିଲ୍ ହସ୍ପିଟାଲ । ତାହାରି ଭିତରେ ଥିଲେ ୨୮ ମେଡ଼ିକାଲ ଛାତ୍ର, ଅନ୍ୟ ୨ ସାଧାରଣ ଲୋକ । କିନ୍ତୁ ବିମାନରୁ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ସମ୍ଭବ ନଥିଲା। ତଥାପି ଅଗ୍ନିଶମ ବିଭାଗର ସ୍ବତନ୍ତ୍ର ଯାନ ରୋବୋ ଏବଂ ୩୪ରୁ ଅଧିକ ଗଜରାଜ ଜରିଆରେ ପ୍ରାୟ ସାଢ଼େ ୭ ଲକ୍ଷ ଲିଟର ପାଣି ପ୍ରୟୋଗ କରି ନିଆଁ ଲିଭାଇ ଉଦ୍ଧାର କରାଯାଇଥିଲା ଯାତ୍ରୀଙ୍କୁ ।
ସାମ୍ନାକୁ ଆସିଛି ଦୁର୍ଘଟଣାବେଳର ସେହି LIVE ଚିତ୍ର, ଯାହାକୁ ନେଇ ସାରା ବିଶ୍ବରେ ହଲଚଲ୍ । କୁହାଯାଉଛି, ଏହି ଛାତିଥରା ଭିଡ଼ିଓକୁ ନିଜ ମୋବାଇଲରେ ସୁଟ୍ କରିଥିଲେ ଲକ୍ଷ୍ମୀନଗରର ଆର୍ଯ୍ୟନ୍ ଅସାରୀ । ସେ ଭାବୁଥିଲେ ପ୍ଲେନଟି ହଠାତ୍ କାହିଁକି ଓହ୍ଲାଉଛି ? ଆଉ ଏହାକୁ ରେକର୍ଡିଂ କରିବା ଭିତରେ ବିମାନଟି ଖସିପଡ଼ିବା ସହ ଭୟଙ୍କର ବିସ୍ଫୋରଣରେ ଘଟି ଜଳିଯାଇଥିଲା । ସେପଟେ ଆଜି ବି ଅତି ନିକଟରେ ଲ୍ୟାଣ୍ଡିଂ ଓ ଟେକ-ଅଫ୍ କରୁଥିବା ବିମାନ ଦେଖିଲେ ଭୟ ଲାଗୁଥିବା କହିଛନ୍ତି ମେଘାନୀନଗର ବସ୍ତି ବାସିନ୍ଦା ।