• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗଣେଶ ଓ ଲକ୍ଷ୍ମୀ; ନା ଶିବାଜୀ, ନେତାଜୀ ଓ ଆମ୍ବେଦକର? ଟଙ୍କାରେ ରହିବ କାହାର ଫଟୋ? ନୂଆ ନୋଟରୁ ହଟିବ କି ଗାନ୍ଧିଜୀଙ୍କ ଚିତ୍ର? କେହି କେହି ତ ନୋଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଛାପିବାକୁ ବି ଦାବି କରୁଛନ୍ତି । ଏଭଳି ବିବାଦ ପୁଣି ଥରେ ଜୋର୍ ଧରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ମନ୍ତବ୍ୟ ପରେ ନୂ‌ଆ ନୋଟରେ ଗୋଟିଏ ପଟେ ବାପୁଙ୍କ ଫଟୋ ଓ ଅନ୍ୟପଟେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ଛାପିବାକୁ ସେ କେନ୍ଦ୍ର ସରକାରଙ୍କୁ ଅପିଲ୍ କରିଛନ୍ତି ।

ଇଣ୍ଡୋନେସିଆ ମୁସଲିମ୍ ବହୁଳ ରାଷ୍ଟ୍ର ହୋଇଥିବା ସତ୍ତ୍ୱେ ସେଠାକାର ନୋଟରେ ଗଣେଶଙ୍କ ଫଟୋ ରହିଛି । ତେଣୁ ଭାରତରେ ମଧ୍ୟ ଏଭଳି ପଦକ୍ଷେପ ନିଆଯାଉ ବୋଲି ସେ ଅପିଲ୍ କରିଛନ୍ତି । ତେବେ କେଜ୍ରିଓ୍ୱାଲଙ୍କ ଏହି ମନ୍ତବ୍ୟ ପରେ ଜୋର ଧରିଛି ରାଜନୀତି । ବିଜେପି ତାଙ୍କୁ ଦୋମୁହାଁ ବୋଲି କହିଥିବା ବେଳେ କଂଗ୍ରେସ ତାଙ୍କୁ ବିଜେପି ର B ଟିମ୍ ବୋଲି କହିଛି ।

ତେବେ ଏହି ପ୍ରସଙ୍ଗ ଏତିକିରେ ଥମିନି । ନୂଆ କରେନ୍ସି ନୋଟରେ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ଫଟୋ କାହିଁକି ରହିବନି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ମନୀଷ ତିଓ୍ୱାରୀ । ଗୋଟିଏ ପଟେ ମହାତ୍ମା ଗାନ୍ଧି ଓ ଅନ୍ୟପଟେ ଆମ୍ବେଦକରଙ୍କ ଫଟୋ ରଖାଯାଉ ବୋଲି ଟୁଇଟ୍ କରିଛନ୍ତି । ତେଣେ ମହାରାଷ୍ଟ୍ରର ବିଜେପି ବିଧାୟକ ନିତେଶ ରାଣେ ଛତ୍ରପତି ଶିବାଜୀଙ୍କ ଫଟୋ ନୋଟରେ ଛପାଯାଉ ବୋଲି ଦାବି କରିବା ସହିତ ସେଭଳି ଏକ ପ୍ରତିକାତ୍ମକ ନୋଟର ଫଟୋ ଟୁଇଟ୍ କରିଛନ୍ତି ।

ଏହା ଭିତରେ ବିଜେପି ନେତା ରାମ୍ କଦମଙ୍କ ଟୁଇଟକୁ ନେଇ ବି ରାଜନୀତି ଜୋର୍ ଧରିଛି । ସେ ଛତ୍ରପତି ଶିବାଜୀ, ଆମ୍ବେଦକର, ସଭରକର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଥିବା ଭିନ୍ନ ଭିନ୍ନ ୪ଟି ୫ଶହ ଟଙ୍କିଆ ନୋଟର ଫଟୋ ସେୟାର୍ କରିଛନ୍ତି ।

ପୂର୍ବରୁ ବହୁଥର ଗାନ୍ଧିଜୀଙ୍କ ପରିବର୍ତ୍ତେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋକୁ ବ୍ୟାଙ୍କ ନୋଟରେ ସ୍ଥାନ ଦେବାକୁ ଦାବି ଉଠିଥିଲା । କିଛି ଦିନ ତଳେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ମଧ୍ୟ ଏହି ଦାବିକୁ ଦୋହରାଇଛି ।

ସୂଚନାଯୋଗ୍ୟ, ସମସ୍ତଙ୍କ ଧାରଣା ଭାରତ ସ୍ୱାଧୀନ ହେବା ପରଠୁ ଟଙ୍କାରେ ମହାତ୍ମା ଗାନ୍ଧିଙ୍କ ଚିତ୍ର ଛପାହୋଇ ଆସୁଛି । କିନ୍ତୁ ନା ଏକଥା ସମ୍ପୂର୍ଣ୍ଣ ଭୁଲ୍ । ପୂର୍ବରୁ ବ୍ୟାଙ୍କ୍ ନୋଟରେ ମହାତ୍ମାଗାନ୍ଧିଙ୍କ ଚିତ୍ର ରହୁନଥିଲା । ଭାରତ ସ୍ୱାଧୀନ ହେବା ପରେ ସାରନାଥ ସିଂହମୂର୍ତ୍ତି ଏବଂ ଜାତୀୟ ଓ ଧାର୍ମିକ ଦୃଷ୍ଟିକୋଣରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଚିତ୍ର ନୋଟରେ ଛପା ହୋଇଆସୁଥିଲା ।