• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତେଲେଙ୍ଗାନାର ସିକନ୍ଦରାବାଦ ଲଜ୍ ଅଗ୍ନିକାଣ୍ଡରେ ୨ ଓଡ଼ିଆଙ୍କର ମୃତ୍ୟୁ । ଦୁଇ ଓଡ଼ିଆ ହେଲେ କଟକ କାଫଲାବଜାର ମହାନ୍ତିପଡ଼ାର ଚନ୍ଦନ ଜେଠୀ ଓ ପତ୍ନୀ ମିତାଲି ମହାପାତ୍ର ଜେଠୀ । ଚନ୍ଦନ ଓ ମିତାଲି ଏକ ଟ୍ରେନିଂରେ ଯୋଗଦେବାକୁ ସିକନ୍ଦରାବାଦ୍ ଯାଇଥିଲେ । ଦୁହେଁ ରେଲୱେ ଷ୍ଟେସନ ନିକଟ ଗୁରୁଦ୍ୱାରା ସାମନାରେ ଥିବା ରୁବି ଲଜ୍‌ରେ ରହିଥିଲେ । ଖବର ପାଇବା ପରେ ପରିବାର ଲୋକ ଆଜି ସିକନ୍ଦରାବାଦ୍ ଗସ୍ତ କରିଛନ୍ତି । ଗତ ରାତିରେ ଲଜ୍ ତଳେ ଥିବା ଇଲେକ୍ଟ୍ରିକ୍‌ ସ୍କୁଟି ସୋରୁମ୍‌ରେ ଲାଗିଥିଲା ନିଆଁ ।

ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି । ସିକନ୍ଦରାବାଦ୍‌ର ଏହି ୪ ମହଲା କୋଠାରେ ନିଆଁ ଲାଗିବା ପରେ ୮ ଜଣଙ୍କ ଜୀବନ ଯାଇଛି । ୪ ମହଲା କୋଠାର ତଳ ଫ୍ଲୋରରେ ଥିବା ଇଲେକ୍ଟ୍ରିକ୍‌ ସ୍କୁଟି ସୋରୁମ୍‌ରେ ଲାଗିଥିଲା ନିଆଁ । ଏହି ନିଆଁ ଉପର ମହଲାକୁ ବ୍ୟାପିବା ପରେ ଲଜ୍‌ରେ ରହୁଥିବା ଲୋକେ ଏଥିରେ ପ୍ରଭାବିତ ହୋଇଥିଲେ ।

ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍‌ରେ କାମ କରୁନଥିବାରୁ ଲୋକେ ସେଠୁ ବାହାରି ପାରିନଥିଲେ । ଧୂଆଁ ଏତେ ହୋଇଥିଲା କି ଲୋକେ ଗେଟ୍ ପାଖ ଯାଏଁ ବି ପହଞ୍ଚି ପାରିନଥିଲେ । ଏପରିକି, କିଛି ଲୋକ କୋଠାର ପାଇପ୍ ଧରି ଓହଲି ଥିବା ଦେଖିବାକୁ ମିଳିଥିଲା । ଜୀବନ ବଞ୍ଚାଇବାକୁ ବହୁ ସମୟ ଧରି ବାହାରେ ଝୁଲି ରହିଥିଲେ ଲୋକେ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ସମେତ ପୋଲିସ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲା । ଗତକାଲି ରାତି ସାରା ଏହି ରେସ୍‌କ୍ୟୁ ଅପରେସନ୍ ଚାଲିଥିଲା । କୋଠାର ପାର୍କିଂ ଏରିଆରେ କେମିତି ଇ-ସ୍କୁଟି ରିର୍ଚାଜିଂ ପଏଣ୍ଟ କରାଗଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ପୋଲିସ୍ ଏହି ମାମଲାରେ ଆରମ୍ଭ କରିଛି ତଦନ୍ତ ।

ଏହି ଅଘଟଣ ପରେ ତେଲେଙ୍ଗାନା ଗୃହମନ୍ତ୍ରୀ ମେହବୁବ ଅଲୀ ଘଟଣାସ୍ଥଳ ବୁଲି ଦେଖିଥିଲେ । ବଆଇନ ଭାବେ ପାର୍କିଂ ଏବଂ ରିଚାର୍ଜିଂ ପଏଣ୍ଟରୁ ସଂଯୋଗ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ମନ୍ତ୍ରୀ କହିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ ଗୃହମନ୍ତ୍ରୀ । ଏଥିସହିତ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିବ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି ।