Maoists Killed : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୮ ନକ୍ସଲ ନିପାତ...

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ । ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ ହୋଇଥିବା ସୂଚନା।

Maoists Killed In Odisha-Chhattisgarh Border

ବଡ଼ ଖବର । ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା...ବଡ଼ ଅପରେସନ୍‌...ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ । ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ ହୋଇଥିବା ସୂଚନା। ବିଜାପୁର ଜିଲ୍ଲା ଗାଙ୍ଗାଲୁରରେ ସର୍ଚ୍ଚ ଅପରେସନ୍‌ ଜାରି ଏବେ ବି ରହିଛି ବୋଲି ସୂଚନା ମିଳିଛି। 

ନିକଟରେ ଦଶନ୍ଧି ଦଶନ୍ଧି ଧରି ଚକମା ଦେଉଥିବା ଟପ୍ ମାଓ ନେତାର ଖେଳ ଖତମ୍ କରିଥିଲା ଗୋଟିଏ ସେଲ୍ଫି । ନୂଆପଡ଼ା ସୀମାନ୍ତ ଗରିଆବନ୍ଧ ଜଙ୍ଗଲରେ ୧୩ ସହଯୋଗୀଙ୍କ ସହ ନିପାତ ହୋଇଥିଲା ସେଣ୍ଟ୍ରାଲ୍ କମିଟି ମେମ୍ବର ଚଲପତି ଓରଫ୍ ଜୟୀରାମ। ଏହାପରେ ଖୋଲିଥିଲା ଜୟୀରାମର ଜନ୍ମକୁଣ୍ଡଳୀ। ସେ କିଭଳି ସରକାରୀ କର୍ମଚାରୀରୁ ସଶସ୍ତ୍ର ମାଓବାଦୀ ପାଲଟିଥିଲା, କିଭଳି ୨୦୦୮ ନୟାଗଡ଼ ଅସ୍ତ୍ରାଗାର ଲୁଟର ମାଷ୍ଟରମାଇଣ୍ଡ ସାଜିଥିଲା, ସେସବୁକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।

ଅଧିକ ପଢ଼ନ୍ତୁ: ମିଳିତ ଅପରେସନରେ ୧୪ ମାଓବାଦୀ ସଫା

ଚଲପତି ଓରଫ୍ ରାମଚନ୍ଦ୍ର ଓରଫ୍ ଆପ୍ପାରା ଓ ଓରଫ୍ ରାମୁ ଓରଫ୍ ଜୟୀରାମ୍। ଯାହାର ଏତେ ଛଦ୍ମ ନାଁ...ଏ ଜଙ୍ଗଲରୁ ସେ ଜଙ୍ଗଲକୁ ବଦଳୁଥାଏ ଠିକଣା...ଯାହା ମୁଣ୍ଡ ଉପରେ କୋଟିଏ ଟଙ୍କାର ବାଉଣ୍ଟି...ଜଗୁଥାନ୍ତି ୮ରୁ ୧୦ ଜଣିଆ ବ୍ୟକ୍ତିଗତ ସୁରକ୍ଷା ବାହିନୀ...ଏଭଳି ଟପ୍ ମାଓ ନେତାର, କେମିତି ଟେର୍ ପାଇଲେ ସୁରକ୍ଷା କର୍ମୀ ? ଚର୍ଚ୍ଚା ହେଉଛି- ଜୟୀରାମ ପାଇଁ କାଳ ସାଜିଲା କପଲ୍ ସେଲ୍ଫି ! ମହଙ୍ଗା ପଡ଼ିଲା ପତ୍ନୀ ସହ ଫଟୋ ଉଠା ! ମୋବାଇଲ୍ ଫଟୋରୁ ମିଳିଲା ବଡ଼ ସୁରାକ୍ ! 

ନିଜ ପତ୍ନୀ ତଥା ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ଡେପୁଟି କମାଣ୍ଡର୍ ଚୈତନ୍ୟ ଭେଙ୍କଟ ରବି ଓରଫ୍ ଅରୁଣା ସହ ନଜର ଆସିଥିଲା ସେଣ୍ଟ୍ରାଲ୍ କମିଟି ମେମ୍ବର ଜୟୀରାମ। ସୂଚନା ଅନୁସାରେ, ଦଶନ୍ଧି ଦଶନ୍ଧି ଧରି ପୋଲିସକୁ ଚକମା ଦେଉଥିବା ଜୟୀରାମକୁ ଧରିବାରେ, ସବୁଠୁ ବଡ଼ ଚାଲେଞ୍ଜ ଥିଲା ତାର ଚେହେରା। କାରଣ ନା ତ ତାକୁ ନିକଟ ଅତୀତରେ କେହି ଦେଖିଥିଲା, ନା ପୋଲିସ ପାଖରେ ତାର କୌଣସି ଭଲ ଫଟୋ ଥିଲା। କାହାକୁ ଜଣାନଥିଲା, ଏବେ କେମିତି ଦିଶୁଛି ୬୨ ବର୍ଷୀୟ ଜୟୀରାମ।

ତେବେ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ସୁରାକ୍ ମିଳିଲା ୯ ବର୍ଷ ତଳେ। ୨୦୧୬ ମେ ମାସରେ ଆନ୍ଧ୍ରର ଏକ ମାଓ ଏନକାଉଣ୍ଟର ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଲାଗିଥିଲା ଗୋଟିଏ ସ୍ମାର୍ଟ ଫୋନ। ସେଥିରୁ ମିଳିଥିଲା ଜୟୀରାମ ଉଠାଇଥିବା ସେଲଫି। ଯାହାକୁ ଆଧାର କରି, ତାକୁ ଚିହ୍ନଟ କରିବା ସହ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ। ଏବେବି ଗରିଆବନ୍ଧ ଜଙ୍ଗଲରେ କୋବ୍ରା ଓ STF କମ୍ବିଂ ଅପରେସନ୍ ଚଳାଇଥିବା କହିଛନ୍ତି ନୂଆପଡ଼ା ଏସ୍.ପି.। ସେପଟେ ଆଜି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତ କରି ମାଓ ବିରୋଧୀ ଅଭିଯାନର ସମୀକ୍ଷା କରିବା ସହ, ଗରିଆବନ୍ଧ ଅପରେସନ ସଫଳତା ପରେ ସୁରକ୍ଷାବଳଙ୍କ ଉତ୍ସାହ ବଢ଼ାଇଛନ୍ତି ପୋଲିସ ଡିଜି।

ନକ୍ସଲପନ୍ଥୀ ହେବା ପୂର୍ବରୁ, ନାଁ ଥିଲା ପ୍ରତାପ ରେଡ୍ଡି ରାମଚନ୍ଦ୍ର ରେଡ୍ଡି। ଘର- ଆନ୍ଧ୍ରପ୍ରଦେଶର ଚିତ୍ତୁର। ପାଠ- କିଏ କହୁଛି ଦଶମ, କିଏ କହୁଛି ଗ୍ରାଜୁଏଟ୍। ପେଶା ଥିଲା ସରକାରୀ କର୍ମଚାରୀ। ହଁ... ୮୦ ଦଶକରେ ବିଜୟନଗରମ୍‌ରେ ଟସର ବିଭାଗରେ କାର୍ଯ୍ୟ କରୁଥିବା ବେଳେ, ତାର ସରକାରୀ କ୍ବାର୍ଟର୍ସ ପାଲଟଥିଲା ପ୍ରତିବନ୍ଧିତ ସଂଗଠନ ପିପୁଲ୍ସ ୱାର୍ ଗ୍ରୁପ୍-PWGର ଆଡ୍ଡାସ୍ଥଳୀ। ୧୯୮୮ ବେଳକୁ ସେ ପାଲଟିଥିଲା PWGର ଫୁଲ୍-ଟାଇମ୍ ମେମ୍ବର। ୨୦୦୪ରେ PWG, CPI (ମାଓବାଦୀ)ରେ ମିଶିଯିବା ପରେ, କୋରାପୁଟ ଜିଲ୍ଲା ନାରାୟଣପାଟଣା ଓ ବନ୍ଧୁଗାଁ ଜଙ୍ଗଲରେ ସେ ଟ୍ରେନିଂ ଦେବା ସହ କନ୍ଧମାଳ ଓ କଳାହାଣ୍ଡିକୁ ଲମ୍ବାଇଥିଲା ନେଟୱର୍କ।

୨୦୦୮ରେ ନୟାଗଡ଼ ଅସ୍ତ୍ରାଗାର ଲୁଟ୍ ଓ ୧୩ ପୋଲିସ୍ କର୍ମଚାରୀ ସମେତ ୧୪ ଜଣଙ୍କୁ ହତ୍ୟା ଘଟଣାରେ ମାଷ୍ଟରମାଇଣ୍ଡ ଥିଲା ଜୟୀରାମ। ଲୁଟ୍ ବେଳେ ନୟାଗଡ଼ ଭିତରକୁ ପୋଲିସ ଫୋର୍ସ ପଶିବାକୁ ନଦେବା ଏବଂ ଲୁଟ୍ ପରେ ସେଠାରୁ ନକ୍ସଲଙ୍କୁ ସୁରକ୍ଷିତ ବାହାର କରିବା ଥିଲା ତାର ଦାୟିତ୍ବ। ଏଥିସହ ୨୦୧୧ରେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଭିନିଲ୍ କ୍ରିଷ୍ଣା ଅପହରଣ ପଛରେ ବି ଥିଲା ଭୂମିକା। କାରନାମା ବଢ଼ିବା ସହ ସଂଗଠନରେ ଦବଦବା ବଢ଼ିଥିଲା ଓ ସେ ବନିଥିଲା ସେଣ୍ଟ୍ରାଲ କମିଟି ମେମ୍ବର। ତେବେ ଅବୁଝମାଡ଼ ଏନକାଉଣ୍ଟର ପରେ, ସେ ଓଡ଼ିଶା ସୀମାନ୍ତ ଅଞ୍ଚଳକୁ ପଳାଇ ଆସିଥିଲା, ଯାହାକି ତାର ଶେଷ ଠିକଣା ପାଲଟିଲା।

ଜୟୀରାମ ନିପାତ ପରେ ଏବେ ମାଓବାଦୀ ସେଣ୍ଟ୍ରାଲ୍ କମିଟି ସଦସ୍ୟ ସଂଖ୍ୟା ପ୍ରାୟ ୧୮କୁ ହ୍ରାସ ପାଇଛି ବୋଲି କୁହାଯାଉଥିବା ବେଳେ, ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶର ମାଓବାଦୀଙ୍କ ମୂଳପୋଛ କରିବାକୁ ଶପଥ ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । 

ଅଧିକ ପଢ଼ନ୍ତୁ: ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଗାଡ଼ି ବାହାରେ ଓହଳି ହୋଇ ଯାଉଛନ୍ତି ଛାତ୍ରୀ