ଚାଲିଛି ଜାତୀୟ ସଡ଼କ ସୁରକ୍ଷା ମାସ । ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ସଚେତନତା ସାଙ୍ଗକୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ହେଲେ ବାଲେଶ୍ବରରେ ସବୁ କଟକଣାକୁ ଫୁ କରିଦେଉଛନ୍ତି ଗାଡ଼ି ଚାଳକ । କଟକଣା ଯେତିକି କଡାକଡି ହେଉଛି, ନିୟମ ଉଲଂଘନକରୀଙ୍କ ସଂଖ୍ୟା ମଧ୍ୟ ସେତିକି ବଢିବାରେ ଲାଗିଛି । ଏମିତିକି ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରୀସେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବିଭାଗୀୟ ଅଧିକାରୀଙ୍କ ଗୋଟିଏ ଉତ୍ତର, ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି ।
Also Read
ଭିତର ଫୁଲ, ବାହାରେ ବି ଅଖାବସ୍ତା ଭଳି ଝୁଲିଛନ୍ତି ଯାତ୍ରୀ....ଅତି ବିପଦଶଙ୍କୁଳ ଅବସ୍ଥାରେ ବର୍ଷସାରା ଏମିତି ଯାଆସ କରୁଛନ୍ତି ଯାତ୍ରୀ । ବାଲେଶ୍ବର ସହରର ରାସ୍ତାରେ ପ୍ରତିଦିନ ଏମିତି ଚାଲେ ଯାତ୍ରୀ ସେବା । ବାଲେଶ୍ବରରୁ ମିତ୍ରପୁର ଯାଉଥିବା ଗାଡିରେ ନାହିଁ ନଥିବା ଭିଡ଼ । ଭିଡ଼ ଏମିତି ହୁଏ ଯେ ଗାଡିରେ ସୋରିଷ ପକାଇବାକୁ ଜାଗା ନଥାଏ । ଗାଡ଼ି ଭିତରେ ଯେତିକି ବସିଛନ୍ତି ତାଠୁ ଅଧିକ ଓହଳିଛନ୍ତି ବାହାରେ ।
ଏମିତି ଗୋଟିଏ ଗାଡି ନୁହେଁ ଏମିତି ଶତାଧିକ ଗାଡି ବାଲେଶ୍ବର ସହରରୁ ଯାତ୍ରୀଙ୍କୁ ଧରି ଗୋପାଳପୁର, ରେମୁଣା, ମିତ୍ରପୁର ଆଦି ଆଦି ଅଞ୍ଚଳକୁ ବାହାରିଥାଏ । ସାରା ସହର ଏ ବିପଦପୂର୍ଣ୍ଣ ଯାତ୍ରାର ସାକ୍ଷୀ, ହେଲେ ପ୍ରତିବାଦ କରିବାକୁ ଯେମିତି କାହାର ଆଗ୍ରହ ନାହିଁ । ସେପଟେ ସହରର ଟ୍ରାଫିକ ବ୍ୟବସ୍ଥା ବି ଜରାଜୀର୍ଣ୍ଣ ଅବସ୍ଥାରେ। କେଉଁଠି ଟ୍ରାଫିକ ଲାଇଟ ଜଳୁନି ତ ଆଉ କେଉଁଠି ଜେବ୍ରା ଲାଇନ ଲିଭି ଗଲାଣି । ଏପଟେ କିନ୍ତୁ ପରିବହନ ବିଭାଗ ଓ ଟ୍ରାଫିକ କର୍ମଚାରୀ ମାନେ ସଡ଼କ ସୁରକ୍ଷା ସଚେତନତା ଆଳରେ ଫାଇନ କାଟିବାରେ ବ୍ୟସ୍ତ ।...
ଗୋଟିଏ ପଟେ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ, ଅନ୍ୟପଟେ ନିୟମ ଉଂଲଘନକାରୀଙ୍କ ସଂଖ୍ୟା ବି ବଢିଛି । ୨୦୨୪ରେ ଟ୍ରାଫିକ୍ ନିୟମ ଉଲଂଘନ ଅଭିଯୋଗରେ ପରିବହନ ବିଭାଗ ଓ ଜିଲ୍ଲା ପୋଲିସ ତରଫରୁ ୧୭୮ଟି ଚାଲାଣ ସହ ୮୮ଟି ଡ଼୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇଛି । ସ୍ପିଡ୍ ଡ୍ରାଇଭିଂ ପାଇଁ ୬୫୨୨, ଓଭରଲୋଡ୍ ପାଇଁ ୧୫୬, ମାଲବାହୀ ଯାନରେ ଯାତ୍ରୀ ପରିବହନ ପାଇଁ ୩୨୨ଟି ଚାଲାଣ ହୋଇଛି । ସେହିପରି ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା ପାଇଁ ୨୯୨, ହେଲମେଟ ବ୍ୟବହାର ନକରିବା ଓ ଅନ୍ୟାନ ଅଭିଯୋଗରେ ୪୯୭୦ ଚାଲାଣ କଟିଥିବା ବେଳେ, ୮୭୨ଟି ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ ହୋଇଛି ।
ଚାଲିଛି ଜାତୀୟ ସଡ଼କ ସୁରକ୍ଷା ମାସ । ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ସଚେତନତା ସାଙ୍ଗକୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ହେଲେ ବାଲେଶ୍ବରରେ ସବୁ କଟକଣାକୁ ଫୁ କରିଦେଉଛନ୍ତି ଗାଡ଼ି ଚାଳକ । #Balasore #RoadSafety #OTV pic.twitter.com/w4zkmn0UbN
— ଓଟିଭି (@otvkhabar) January 22, 2025