• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୭୪ତମ ସାଧାରଣତନ୍ତ୍ର ଦିବସ ପରେଡରେ ଏଥର ବିଶ୍ୱ ଦେଖିବ ଭାରତର ସ୍ୱଦେଶୀ ଶକ୍ତିର ଝଲକ୍ । ପରେଡରେ ଭାରତୀୟ ସ୍ଥଳସେନା ପ୍ରଦର୍ଶନ କରିବ କେବଳ ମେଣ୍ଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର । ଫାଇଟର ଜେଟ୍‌ରୁ ଅତ୍ୟାଧୁନିକ ଯୁଦ୍ଧ ଟ୍ୟାଙ୍କ, ଶକ୍ତିଶାଳୀ କ୍ଷେପଣାସ୍ତ୍ରରୁ କ୍ଷେପଣାସ୍ତ୍ର ବିଧ୍ୱଂସୀ ବ୍ୟବସ୍ଥା, କେବଳ ଭାରତରେ ପ୍ରସ୍ତୁତ ଆଉ ଭାରତରେ ବିକଶିତ ଯୁଦ୍ଧାସ୍ତ୍ର ହିଁ ସାଜିବ ଏଥର ସାଧାରଣତନ୍ତ୍ର ଦିବସ ପରେଡ୍‌ର ଆକର୍ଷଣ । ପରେଡରେ ଆତ୍ମନିର୍ଭର ଭାରତ ନାରାକୁ ଆଉ ପାଦେ ଆଗକୁ ନେବାକୁ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛି ସେନା । ବିଦେଶୀ ଅସ୍ତ୍ରଶସ୍ତ୍ର ବିନା କେବଳ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କେ-ନାଇନ୍ ବଜ୍ର ଓ MBT ଅର୍ଜୁନ୍ ଟ୍ୟାଙ୍କ୍ ସାମିଲ ହେବେ ।

ସେହିଭଳି ସ୍ଥଳସେନାର ଅନ୍ୟତମ ଶକ୍ତି ନାଗ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିଜାଇଲ ଓ ବ୍ରହ୍ମୋଷ ସୁପରସୋନିକ୍ କ୍ରୁଜ୍ ମିଜାଇଲକୁ ପ୍ରଦର୍ଶନ କରାଯିବ । ସେନାରେ ଏବେ ନୂଆକରି ସାମିଲ ହୋଇଥିବା ଅତ୍ୟାଧୁନିକ ଆକାଶ ଏୟାର ଡିଫେନ୍ସ ମିଜାଇଲ ବି ପରେଡରେ ମୁଖ୍ୟ ଆକର୍ଷଣ ସାଜିବ । ତାସହ କୁଇକ୍ ରିଆକ୍ସନ ଫାଇଟିଂ ଭେହିକିଲ ବି ସାମିଲ ହେବ । ପୂର୍ବରୁ ବ୍ୟବହାର ହେଉଥିବା ଭିନଟେଜ୍ ୨୫ ପାଉଣ୍ଡର୍ ଗନ୍ ବଦଳରେ ଏଥର ୧୦୫ ଏମଏମ୍ ଫିଲ୍ଡ ଗନ୍ ବ୍ୟବହାର କରାଯିବ । ଯାହାକୁ ୨୧ ତୋପ ସଲାମୀରେ ବ୍ୟବହାର କରାଯିବ ।

ଅଧିକ ପଢ଼ନ୍ତୁ: ବିଶ୍ୱ ଦେଖିବ ଭାରତର ଶକ୍ତି ଓ ସାମର୍ଥ୍ୟ : ପ୍ରସ୍ତୁତ ରହିଛି ନୂଆଦିଲ୍ଲୀର କର୍ତ୍ତବ୍ୟପଥ

ସାଧାରଣତନ୍ତ୍ର ଦିବସ ପରେଡ୍ ପୂର୍ବରୁ ଭାରତୀୟ ସ୍ଥଳସେନା, ଏହାର ସମସ୍ତ ସ୍ୱଦେଶୀ ଶକ୍ତିକୁ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ଫୁଲ ଡ୍ରେସ୍ ରିହର୍ସାଲରେ ପ୍ରଦର୍ଶିତ କରିଛି । ସେହିଭଳି ସ୍ଥଳ, ବାୟୁ ଓ ନୌସେନା ସହ ଅର୍ଦ୍ଧସାମରିକ ବାହିନୀ ମଧ୍ୟ ଫୁଲ ଡ୍ରେସ ରିହରସାଲରେ ନିଜ ନିଜର ଜଲଓ୍ୱା ପ୍ରଦର୍ଶନ କରିଛନ୍ତି । ବାୟୁସେନାର ଫ୍ଲାଇ ପାଷ୍ଟରେ ଏଥର ୯ଟି ରାଫେଲ ସହ ମୋଟ ୪୫ଟି ଯୁଦ୍ଧ ବିମାନ ଓ ୪ଟି ହେଲିକପ୍ଟର ସାମିଲ ହେବ । ପରେଡରେ ୧୭ଟି ରାଜ୍ୟର ୨୩ଟି ପ୍ରଜ୍ଞାପନ ମେଢ଼ ସାମିଲ ହେବ ।

ଏଥର ସାଧାରଣତନ୍ତ୍ର ଦିବସରେ ଅତିଥି ହେବାକୁ ଯାଉଛନ୍ତି ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଅଲସିସି । ଇଜିପ୍ଟର ୧୪୪ ସଦସ୍ୟ ବିଶିଷ୍ଟ ମାର୍ଚ୍ଚିଂ କଣ୍ଟିଜେଣ୍ଟ ମଧ୍ୟ ପରେଡରେ ଭାଗ ନେବ । ୯୦ ମିନିଟର ପରେଡରେ ୧୬ଟି ମାର୍ଚ୍ଚି କଣ୍ଟିଜେଣ୍ଟ ଏବଂ ୧୯ଟି ବ୍ୟାଣ୍ଡ୍ ସାମିଲ ହେବେ ।

ଏପଟେ ସାଧାରଣତନ୍ତ୍ର ଦିବସ ପରେଡ୍ ପୂର୍ବରୁ କେମିତି ରହିଥିଲା ସ୍ଥଳସେନା ଯବାନଙ୍କ ପ୍ରସ୍ତୁତି, ତାର ଏକ ଭିଡିଓ ରିଲିଜ୍ ହୋଇଛି । ଯେଉଁଥିରେ ରାତି ୩ଟାରୁ ମାର୍ଚ୍ଚି କଣ୍ଟିଜେଣ୍ଟର ସଦସ୍ୟମାନେ ଶଯ୍ୟାତ୍ୟାଗରୁ ଆରମ୍ଭ କରି କର୍ତ୍ତବ୍ୟ ପଥରେ ପହଞ୍ଚି ଅଭ୍ୟାସ କରିବା ପର୍ଯ୍ୟନ୍ତ ପ୍ରତିଟି ମୂହୁର୍ତ୍ତକୁ ରେକର୍ଡ କରାଯାଇଛି । ଯାହା ପରେଡ୍ ପାଇଁ ଯବାନଙ୍କ ନିଷ୍ଠା ଓ ସମୟାନୁବର୍ତ୍ତିତାକୁ ପ୍ରଦର୍ଶିତ କରୁଛି ।