୨୧ ଜଣ ଅରବପତିଙ୍କ ପାଖରେ ଯେତିକି ସମ୍ପତ୍ତି ଅଛି, ତାହା ୭୦ କୋଟି ଭାରତୀୟଙ୍କ ସମ୍ପତ୍ତିଠାରୁ ବି ଅଧିକ । ୧ ପ୍ରତିଶତ ଧନୀଙ୍କ ପାଖରେ ରହିଛି ଦେଶର ମୋଟ ସମ୍ପତ୍ତିର ୪୦.୫ ପ୍ରତିଶତ । ନିମ୍ନସ୍ତରରେ ଥିବା ୫୦ ପ୍ରତିଶତ ଲୋକଙ୍କ ପାଖରେ ଅଛି ଦେଶର ମାତ୍ର ୩ ପ୍ରତିଶତ ସମ୍ପତ୍ତି । ଅକ୍ସଫାମ୍ ଇଣ୍ଡିଆ ନିଜର ସଦ୍ୟତମ ସର୍ଭାଇଭାଲ ଅଫ୍ ଦ ରିଚେଷ୍ଟ: ଦ ଇଣ୍ଡିଆ ଷ୍ଟୋରୀ ରିପୋର୍ଟରେ ଏହା ଦର୍ଶାଇଛି ।
ରିପୋର୍ଟ କହୁଛି, ଦେଶର ୧୦ ପ୍ରତିଶତ ଉପର ସ୍ତରର ଲୋକଙ୍କ ପାଖରେ ରହିଛି ଦେଶର ୭୨.୪ ପ୍ରତିଶତ ସମ୍ପତ୍ତି । ଅର୍ଥାତ୍ ବଳକା ୯୦ ପ୍ରତିଶତ ଲୋକଙ୍କ ପାଖରେ ରହିଛି ମାତ୍ର ୨୭.୬ ପ୍ରତିଶତ ସଂପତ୍ତି । ଖାଲି ସେତିକି ନୁହେଁ, କୋଭିଡ୍ ମହାମାରୀ ସତ୍ତ୍ୱେ ଦେଶରେ ବଢ଼ିଚାଲିଛି ୧୦୦ କୋଟିରୁ ଅଧିକ ସଂପତ୍ତି ଥିବା ବ୍ୟକ୍ତି ବା ଅରବପତିଙ୍କ ସଂଖ୍ୟା । ୨୦୨୦ରେ ୧୦୨ ଜଣ ଅରବପତି ଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୧୬୬ରେ ପହଞ୍ଚିଛି ।
Also Read
ମହାମାରୀ ଆରମ୍ଭରୁ ୨୦୨୨ ନଭେମ୍ବର ମଧ୍ୟରେ ଭାରତୀୟ ଅରବପତିଙ୍କ ସମ୍ପତ୍ତି ମୂଲ୍ୟ ୧୨୧ ପ୍ରତିଶତ ବା ଦିନକୁ ୩ ହଜାର ୬୦୮ କୋଟି ଟଙ୍କା ଲେଖାଏଁ ବଢ଼ିଛି । ମହାମାରୀ ସମୟରେ କେବଳ ଆଦାନି ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନିଙ୍କ ସମ୍ପତ୍ତି ମୂଲ୍ୟ ୮ ଗୁଣା ବଢ଼ିଛି । ଅକ୍ସଫାମ୍ ଇଣ୍ଡିଆ କହିଛି, ଧନୀ ଓ ଗରିବଙ୍କ ମଧ୍ୟରେ ବଢ଼ୁଥିବା ଅର୍ଥନୈତିକ ତାରତମ୍ୟ ହ୍ରାସ ଲାଗି ସରକାର ପ୍ରମୁଖ ୧ ପ୍ରତିଶତ ଧନୀଙ୍କ ଉପରେ ସମ୍ପତ୍ତି କର ବୃଦ୍ଧି କରିବା ଉଚିତ ।
ରିପୋର୍ଟରେ କୁହାଯାଇଛି ୨୦୧୭ରୁ ୨୦୨୧ ମଧ୍ୟରେ ଅରବପତି- ଗୌତମ ଆଦାନିଙ୍କ ବର୍ଦ୍ଧିତ ସମ୍ପତ୍ତି ଉପରେ ୱାନ୍-ଅଫ୍ ଟାକ୍ସ ଲାଗୁ କରିଥିଲେ ୧ ଲକ୍ଷ ୭୯ ହଜାର କୋଟି ଟଙ୍କା ମିଳିଥାନ୍ତା, ଯାହାକି ଦେଶର ୫ କୋଟି ପ୍ରାଥମିକ ଶିକ୍ଷକଙ୍କୁ ବର୍ଷେ କାଳ ନିଯୁକ୍ତି ଯୋଗାଇବାକୁ ଯଥେଷ୍ଟ । ଏମିତିକି ଅରବପତିଙ୍କ ମୋଟ ସମ୍ପତ୍ତି ଉପରେ ଯଦି ଥରୁଟିଏ ୨ ପ୍ରତିଶତ ଟିକସ ଆଦାୟ ହୁଏ, ତାହା ସାରା ଦେଶରେ କୁପୋଷଣ ଦୂର ପାଇଁ ଚାଲିଥିବା କାର୍ଯ୍ୟକ୍ରମକୁ ୩ ବର୍ଷ ଯାଏଁ ପାଣ୍ଠି ଯୋଗାଇପାରିବ । ସେହିପରି ଯଦି ୩ ପ୍ରତିଶତ ସମ୍ପତ୍ତି କର ଲାଗେ, ସେହି ଅର୍ଥରେ ଆୟୁଷ୍ମାନ ଭାରତ ଯୋଜନା ୫ ବର୍ଷ ଚାଲିପାରିବ । ଅର୍ଥନୀତି ବିଷାରଦଙ୍କ ମତରେ କେବଳ ଟିକସ ନୁହେଁ, ନୀତିଗତ ପରିବର୍ତ୍ତନ ଅଣାଯାଇ କିପରି ଧନୀ- ଗରିବଙ୍କ ମଧ୍ୟରେ ଅର୍ଥନୈତିକ ତାରତମ୍ୟ ହ୍ରାସ କରାଯାଇପାରିବ, ସେନେଇ ସରକାରଙ୍କୁ ବିଚାର କରିବାକୁ ପଡ଼ିବ ।