Manipur Violence: ପୁଣି ମଣିପୁରରେ ହିଂସା, CRPF ଙ୍କ ଗୁଳିରେ ୧୦ ଆତଙ୍କୀ ନିହତ

ପୁଣି ମଣିପୁରରେ ହିଂସା । CRPF କ୍ୟାମ୍ପ ଉପରେ ଆକ୍ରମଣ କଲେ କୁକି ସମ୍ପ୍ରଦାୟର କେତେକ ଆତଙ୍କୀ ।

Manipur Violence

ପୁଣି ମଣିପୁରରେ ହିଂସା । CRPF କ୍ୟାମ୍ପ ଉପରେ ଆକ୍ରମଣ କଲେ କୁକି ସମ୍ପ୍ରଦାୟର କେତେକ ଆତଙ୍କୀ । ଗତ ସୋମବାର ଦିନ ମଣିପୁରର ଜିରିବାମରେ ଅତି କମରେ ୧୦ ଜଣ କୁକି ଆତଙ୍କବାଦୀ CRPF କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଫଳରେ CRPF ମଧ୍ୟ ପାଲଟା ଜବାବ୍ ଦେଇଥିଲା । ଶିବିରରେ ହୋଇଥିବା ଆକ୍ରମଣ ପରେ CRPF ତରଫରୁ ଗୁଳିଚାଳନାରେ ୧୦ ଜଣ କୁକି ଆତଙ୍କୀ ପ୍ରାଣ ହରାଇଥିଲେ । ଏହା ସହ ସେମାନଙ୍କ ନିକଟରୁ ବ୍ୟାପକ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଥିଲା ।

ତେବେ ଏହି ଘଟଣାରେ ଜଣେ CRPF ଯବାନ ଗୁରୁତର ଆହତ ହୋଇଛନ୍ତି । ଏହା ପୂର୍ବରୁ କୁକି ଆତଙ୍କବାଦୀମାନେ ବୋରୋବେକ୍ରା ସ୍ଥିତ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ । ଅନ୍ୟପଟେ ସଶସ୍ତ୍ର ଆତଙ୍କୀମାନେ ଜାକୁରାଡୋରର ମେତେଇ ସମ୍ପ୍ରଦାୟର ତିନି-ଚାରିଟି ଘରେ ମଧ୍ୟ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ଲଗାତର ଭାବେ ମଣିପୁରରେ ତୃତୀୟ ଦିନରେ ମଧ୍ୟ ହିଂସା ଜାରି ରହିଛି । ଗତ ରବିବାର ଦିନ ଇମ୍ଫାଲ ପୂର୍ବ ଜିଲ୍ଲାର ସାନାସାବି ଧାନ କ୍ଷେତରେ ସନ୍ଦିଗ୍ଧ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଚତୁର୍ଥ ମହାର ରେଜିମେଣ୍ଟର ଜଣେ ଯବାନ ଆହତ ହୋଇଥିଲେ ।

ଗତ ରବିବାର ଦିନ ପ୍ରାୟ ୧୦ ଟା ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ କୁକି ଆତଙ୍କୀମାନେ ସାନାସାବି ଲୁକୋଲରେ ଥିବା ମେତେଇ ବହୁଳ ଅଞ୍ଚଳରେ ଓ ନିକଟସ୍ଥ ଥାମନାପୋକପି ଗାଁରେ ଧାନ ଅମଳ କରୁଥିବା ଚାଷୀଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ । ସପ୍ତାହେ ପୂର୍ବରୁ ଏହି ଅଞ୍ଚଳରେ ହିଂସା ଆହୁରି ତୀବ୍ର ହୋଇଥିଲା । ହିଂସା ଫଳରେ ଗତ ଶୁକ୍ରବାର ଏବଂ ଶନିବାର ଦିନ ଦୁଇଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି ।

ଜିରିବାମ ଜିଲ୍ଲାରେ ହୋଇଥିବା ଏହି ଆକ୍ରମଣରେ ୩୧ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବିଷ୍ଣୁପୁର ଜିଲ୍ଲାରେ ଧାନ କ୍ଷେତରେ କାମ କରୁଥିବା ୩୪ ବର୍ଷ ବୟସ୍କା ମହିଳା ଗୁଳିରେ ଆହତ ହୋଇଥିଲେ । ସଂପୃକ୍ତ ଘଟଣାରେ ଶନିବାର ରାତିରେ ସୁରକ୍ଷା ବାହିନୀ ଏବଂ ଥାମନାପୋକପି ଏବଂ ସାନାସାବିରେ କୁକି ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ରାତି ପ୍ରାୟ ୯.୩୦ ରୁ ଆରମ୍ଭ ହୋଇଥିବା ଏହି ଗୁଳି ବିନିମୟ ରବିବାର ଦିନ ୨ ଟା ପର୍ଯ୍ୟନ୍ତ ଜାରି ରହିଥିଲା । ସୂଚନାଯୋଗ୍ୟ, ରାଜ୍ୟରେ ଚାଲିଥିବା ହିଂସାରେ ଏପର୍ଯ୍ୟନ୍ତ ୨୦୦ ରୁ ଅଧିକ ଲୋକେ ପ୍ରାଣ ହରାଲେଣି ।