/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710082773.jpg)
Youth sets example by drawing paintings
ଆପଣ ଅନେକ ପ୍ରତିଭାବାନ ଚିତ୍ରଶିଳ୍ପୀ ଦେଖିଥିବେ, ଯିଏ ହାତରେ ଚିତାକର୍ଷକ ଚିତ୍ର ଆାଙ୍କିପାରନ୍ତି । ଯାହାକୁ ଦେଖିବେ ତାର ଛବିକୁ ଅବିକଳ ଉତାରି ଦିଅନ୍ତି କାନଭାସରେ । ହେଲେ କାହାକୁ ପାଦରେ ଚିତ୍ର ଆଙ୍କିବାର କେବେ ଦେଖିଛନ୍ତି, ତାହା ପୁଣି ଏକାସଙ୍ଗେ ଦୁଇ ଦୁଇଟି ଅଲଗା ଅଲଗା ଚିତ୍ର । ଆପଣ ଭାବୁଥିବେ ଏହା କେମିତି ସମ୍ଭବ । ତେବେ ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ସୁବର୍ଣ୍ଣପୁରର ଜଣେ ଯୁବ ଚିତ୍ରଶିଳ୍ପୀ ।
ହାତ ନୁହେଁ, ପାଦର ସ୍ପର୍ଶରେ ଜୀବନ ପାଉଛି ଚିତ୍ରକଳା । ଫଟୋ ଦେଖି କାନଭାସ୍ରେ ଆଙ୍କୁଛନ୍ତି ଅବିକଳ ଚିତ୍ର । ଆଶ୍ଚର୍ଯ୍ୟ..ଅତୁଳନୀୟ..ଅବିଶ୍ବସନୀୟ । ଖଣ୍ଡିଏ କାଠର ଦୁଇ ମୁଣ୍ଡରେ ବାନ୍ଧି ହୋଇଛି ଦୁଇଟି ଡଟ୍ ପେନ୍ । ସେହି କାଠକୁ ପାଦରେ ବାନ୍ଧି ଅନାୟାସରେ ଆଙ୍କୁଛନ୍ତି ଚିତାକର୍ଷକ ଚିତ୍ର।
ଏକାସଙ୍ଗେ ଦୁଇ ଦୁଇଟି ଚିତ୍ର । ଆଉ ଦୁଇ ଚିତ୍ର ବି ଅଲଗା ଅଲଗା । ଏହି ଅସମ୍ଭବ ପ୍ରତିଭାର ଅଧିକାରୀ ହେଉଛନ୍ତି ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ୍ ବାଗବର ଗାଁର ରାଧେଶ୍ୟାମ ରଣା । ଅବର୍ଣ୍ଣନୀୟ ତାଙ୍କ ପ୍ରତିଭା, ଅଭିନବ ତାଙ୍କ ଚିତ୍ରକଳା । ଦେବା ଦେବୀଙ୍କ ଠାରୁ ସିନେ ତାରକା ଏବଂ ଖୋଦ୍ ରାଷ୍ଟ୍ରପତି, ରାଧେଙ୍କ ପାଦରେ ଜୀବନ୍ତ ହୋଇ ଉଠିଛି ସମସ୍ତଙ୍କ ଚିତ୍ର ।
ଏବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ରାଧେଶ୍ୟାମ । ପରିବାର ଅତି ଗରିବ । ତୁଳସୀ ଦୁଇ ପତ୍ରରୁ ବାସେ ଭଳି ଛୋଟବେଳୁ ହିଁ ରାଧେଙ୍କ ପ୍ରତିଭା ଜଣାପଡି ଯାଇଥିଲା । ଚିତ୍ର ପ୍ରତି ତାଙ୍କ ଆଗ୍ରହ ଦେଖି ଅଭାବୀ ପରିବାର ବି ବଢାଇଥିଲେ ହାତ। ପ୍ରଥମେ ହାତରେ ଏବଂ ପରେ ପାଦରେ ଆରମ୍ଭ ହୋଇଥିଲା ରାଧେଙ୍କ ଚିତ୍ରାଙ୍କନ । ସଫଳ ବି ହେଲେ। ଆର୍ଟ କଲେଜରେ ପାଠ ପଢି ଆଗକୁ ବଢିବାକୁ ଆଶା ରଖିଛନ୍ତି ରାଧେଶ୍ୟାମ । ହେଲେ ପାଖରେ ଅର୍ଥ ଅଭାବ । ତେଣୁ ସରକାରୀ ସହାୟତା ମିଳିଲେ ରାଧେ ତାର ଭବିଷ୍ୟତ ଗଢିପାରିବ ବୋଲି କହିଛନ୍ତି ପରିବାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)