• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik
ବିଦାୟ ନେଉଛି ୨୦୨୩ । ହାତରେ ଆଉ ମାତ୍ର କେଇଟା ଦିନ । ହେଲେ ଶେଷ ହେବାକୁ ଥିବା ୨୦୨୩ ବର୍ଷରେ ଓଡ଼ିଶାରେ ଘଟିଛି ବଡ଼ ବଡ଼ ଘଟଣା ଆଉ ଦୁର୍ଘଟଣା । ଯେଉଁ ଖବର ଜାତୀୟ ସ୍ତରରେ ମଧ୍ୟ ଆଲୋଚନା ହୋଇଛି । ସେ ବାଲେଶ୍ୱରର ବାହାନଗା ଦୁର୍ଘଟଣା ହେଉ କି ମନ୍ତ୍ରୀ ନବ ଦାସ ହତ୍ୟା କି ଶହ ଶହ କୋଟିର ମଦ ଟଙ୍କା, କିମ୍ବା ରାଜ୍ୟ ରାଜନୀତି ହେଉ କି ଓଲିଉଡ୍‌ ବିବାଦ । ଏ ସବୁ ଘଟଣା ଗଣମାଧ୍ୟମରେ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଥିଲା । ତେବେ ଆସନ୍ତୁ ଜାଣିବା ୨୦୨୩ରେ ଓଡ଼ିଶାର କେଉଁ ସବୁ ଖବର ଗଣମାଧ୍ୟମର ଶିରୋନାମା ପାଲଟିଥିଲା ।...

ମନ୍ତ୍ରୀ ନବ ଦାସ ହତ୍ୟା

ବର୍ଷର ଆରମ୍ଭ । ବର୍ଷର ପ୍ରଥମ ମାସ । ସେ ଦିନ ଥିଲା ଜାନୁଆୟୀ ୨୯ ତାରିଖ । କେହି କିଛି ଜାଣିବା ଆଗରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଛାତିରେ ବାଜିଲା ଗୁଳି । ଗୁଳିମାଡ଼ରେ ଜୀବନ ହାରିଲେ ମନ୍ତ୍ରୀ ନବ ଦାସ । ପୋଲିସ ବର୍ଦ୍ଦିରେ ଥାଇ ASI ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ଗୁଳି ଚାଳନା କରିବା ପରେ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲକୁ ନିଆଯାଇଥିଲା । ହେଲେ ନବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାରଲିପ୍ଟ କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଦୀର୍ଘ ସମୟ ଚିକିତ୍ସା କରାଯିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଯଦିଓ ଘଟଣାସ୍ଥଳରେ ନବଙ୍କ ମୃତ୍ୟୁ ହଇଥିଲା କାହିଁ କି ତାଙ୍କୁ ଭୁବନେଶ୍ୱର ଏୟାରଲିପ୍ଟ କରାଗଲା ଓ ଅନେକ ବିଳମ୍ବପରେ ତାଙ୍କ ମୃତ୍ୟୁ ଘୋଷଣା କରାଗଲା ସେନେଇ ରାଜ୍ୟ ରାଜନୀତି ସରଗରମ ଦେଖିବାକୁ ମିଳିଥିଲା । ତେବେ ଓଡ଼ିଶା ରାଜନୀତିରେ ଜଣେ ଆଗ ଧାଡ଼ିର ନେତାଙ୍କୁ ଗୁଳି କରି ହତ୍ୟା କରିବା ରାଜ୍ୟ ରାଜନୀତି ପାଇଁ ଇତିହାସ ପାଲଟିଗଲା । କାରଣ ପୂର୍ବରୁ ଏଭଳି ଘଟଣା କେବେ ଦେଖାଯାଇ ନାହିଁ । କୌଣସି ପୋଲିସ କେବେ ବି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ନଜିର ନାହିଁ । ଏହି ଘଟଣାରେ ASI ଗୋପାଳ ଦାସଙ୍କୁ ଗିରଫ କରି ତଦନ୍ତ କରିଥିଲା । ଆଉ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯିବା ଖବର ଜାତୀୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହୋଇଥିଲା ।

Naba DasNaba Das

ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣା

୨୦୨୩ର ସବୁଠାରୁ ବଡ଼ ଦୁର୍ଘଟଣା କହିଲେ ମନେପଡ଼େ ସେଦିନର ସେହି କଳାରାତିର କଥା । ଜୁନ୍‌ ମାସ ୨ ତାରିଖ କାଳ ଅନ୍ଧାର ରାତିରେ ରକ୍ତର ଭୋଜି କରିଥିଲା ଲୌହ ଦାନବ । ଛୁକ୍‌ ଛୁକ୍‌ ଶବ୍ଦ କରି ଏକାଥରେ ନେଇଥିଲା ୨୯୬ ମୁଣ୍ଡ । ଶୁଭୁଥିଲା ଚିତ୍କାର, ଉଦ୍ଧାର ପାଇଁ ପଡୁଥିଲା ହୁରି । ଲୋକଙ୍କ ଜୀବନ ବଞ୍ଚାଇବାକୁ ଧାଡ଼ି ଧାଡ଼ି ହୋଇ ଲାଗିଥିଲା ଆମ୍ବୁଲାନ୍ସ । ବାଲେଶ୍ୱର, ଭଦ୍ରକ, ସୋରୋ, ଗୋପାଳପୁର ଏବଂ ଖନ୍ତାପଡାର ବିଭିନ୍ନ ହସ୍ପିଟାଲରେ ହଜାର ହଜାର ଆହତଙ୍କ ଚିକିତ୍ସା କରାଯଉଥିଲା । ଆଉ ଅତି ଗୁରୁତରଙ୍କୁ କଟକ ଏସ୍‌ସିବି ମଧ୍ୟ ସ୍ଥାନାନ୍ତର କରାଯାଇଥିଲା ।

ଏହି ଖବର କେବଳ ଜାରତୀୟ ଗଣମାଧ୍ୟମରେ ନୁହେଁ ବରଂ ଆନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାରେ ରହିଥିଲା । ଏମିତିକି ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପହଞ୍ଚିଥିଲେ । ତାଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଘଟଣାସ୍ଥଳରେ ଅନୁଧ୍ୟାନ କରି ହସ୍ପିଟାଳରେ ଚିକିତ୍ସିତ ହେଉଥିବା ଆହତ ଓ ଗୁରୁତରଙ୍କୁ ଭେଟିଥିଲେ । ଆଉ ପରେ ପରେ ମୃତକଙ୍କ ପରିବାର ଓ ଗୁରୁତର ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଥିଲେ । ହେଲେ କିଛି ଦିନର ବ୍ୟବଧାନ ପରେ ମୃତକଙ୍କ ଦାବିଦାରକୁ ନେଇ ବିବାଦ ଦେଖା ଦେଇଥିଲା । ଆଉ କିଛି ମୃତକଙ୍କ ପରିଚୟ ମଧ୍ୟ ମିଳିପାରିନଥିଲା । ଫଳରେ ଦୁର୍ଘଟଣାର ୧୩୦ ଦିନ ପରେ ୨୮ ଅଜଣା ମୃତଦେହକୁ ବିଏମ୍‌ସି ସତ୍କାର କରିଥିଲା ।

Bahanaga Train AccidentBahanaga Train Accident

ବଲାଙ୍ଗୀର ମଦ ଟଙ୍କାର ପାହାଡ଼

ଗରିବ ରାଜ୍ୟ ଓଡ଼ିଶା । ହେଲେ ମଦ ଟଙ୍କାରେ ସବୁଠୁ ଆଗରେ । ରାଜ୍ୟର ବଲାଙ୍ଗୀର ଜିଲ୍ଲାରେ ଜବତ ହୋଇଥିବା ମଦ ଟଙ୍କାର ପାହଡ଼କୁ ନେଇ ମଧ୍ୟ ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚା ହୋଇଥିଲା । ଜାତୀୟ ଗଣମାଧ୍ୟମ ହେଉ କି ରାଜ୍ୟର ଗଣମାଧ୍ୟମ ସମସ୍ତେ ଏତେ ପରିମାଣର ଟଙ୍କାକୁ ଦେଖି ଟେରା ହୋଇଥିଲେ । ଆଉ ଶୀତ ଦିନରେ ଟଙ୍କା ଗଣି ଗଣି ଆୟକର ବିଭାଗ ଓ ବ୍ୟାଙ୍କ କର୍ମଚାରୀଙ୍କ ଦେହରୁ ବାହାରିଥିଲା ଝାଳ । ଏମିତି କି ମେଶିନ୍‌ ମଧ୍ୟ ଟଙ୍କା ଗଣି ଖରାପ ହୋଇଯାଇଥିଲା । ଡିସେମ୍ବର ୬ ତାରିଖରୁ ଜବତ ହୋଇଥିବା ଏହି ଟଙ୍କାର ଗଣତି ଚାଲିଥିଲା ଲଗାତର ୫ ଦିନରୁ ଅଧିକ । ମୋଟ୍‌ ୩୫୧ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ଦିଆଯାଇଥିଲା । ଆଉ ଏହି ସମସ୍ତ ଟଙ୍କାକୁ ରଖିବାକୁ ବ୍ୟାଙ୍କରେ ମଧ୍ୟ ଜାଗା ନଥିବା କୁହାଯାଇଥିଲା ।

ଏକାଥରେ ଏତେ ପରିମାଣ ଟଙ୍କା ଦେଖି ବ୍ୟାଙ୍କ କର୍ମଚାରୀ ଏହା ଟଙ୍କା ନୁହେଁ ବରଂ କାଗଜ ବୋଲି କହିଥିଲେ । ମଦ ସାମ୍ରାଜ୍ୟ ଉପରେ ଆୟକର ଚଢ଼ାଉ ଘଟଣାରେ ସାମ୍ନାକୁ ଆସିଥିଲା ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ନାଁ । ପରେ ଗଣମାଧ୍ୟମ ପକ୍ଷ ରଖିଥିଲେ ଧୀରଜ । ସେ, କହିଲେ ଜବତ ହୋଇଥିବା ଟଙ୍କା ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ଟଙ୍କା । ସେଗୁଡ଼ିକ ମୋ ପାରିବାରିକ ବ୍ୟବସାୟର ଟଙ୍କା ଏବଂ ମୁଁ ଏବେ ବ୍ୟବସାୟରେ ନାହିଁ । ଆୟକର ବିଭାଗ ଆଗରେ ମୋ ପରିବାର ଲୋକେ ଜବାବ ରଖିବେ । ଏହି ପ୍ରସଙ୍ଗକୁ ଏନଇ ରାଜ୍ୟ ରାଜନୀତି ହୋଇଥିଲା ହୁଲୁସ୍ତୁଲ । ବିଧାନସଭାର ଶୀତ ଅଧିବେଶନରେ ଗୃହ ମଧ୍ୟ ସରଗରମ ହୋଇଥିଲା । ଏମିତିକି ଲୋକସଭାରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଏହି ଘଟଣାକୁ ଉଠାଇ କଂଗ୍ରେସ ଉପରେ ବର୍ଷିଥିଲେ ।

liquor moneyliquor money

ଓଡ଼ିଶା ରାଜନୀତିରେ ପାଣ୍ଡିଆନ୍‌ଙ୍କ ଏଣ୍ଟ୍ରି

୨୦୨୩ରେ ରାଜନୀତିକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭିକେ ପାଣ୍ଡିଆନ୍‌ । ଅକ୍ଟୋବର ୨୩ ରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ । ହେଲେ ମାତ୍ର ୨୪ ଘଣ୍ଟା ନ ବିତୁଣୁ ଅର୍ଥାତ୍‌ ଅକ୍ଟୋବର ୨୪ ତାରିଖରେ ବିଜେଡି ତାଙ୍କୁ 5T ଅଧ୍ୟକ୍ଷ ଓ ନବୀନ ଓଡ଼ିଶାର ଚେୟାରମ୍ୟାନ କରାଇଥିଲେ । ପରେ ନଭେମ୍ବର ୨୭ ତାରିଖରେ ରାଜନୀତି ପଙ୍କରେ ପାଦ ଥୋଇଥିଲେ ପାଣ୍ଡିଆନ । କାର୍ତ୍ତିକ ପୂର୍ଣ୍ଣିମାରେ ସକାଳ ଠିକ୍ ୧୦ଟା ୧୫ ମିନିଟ୍‌ରେ ବିଜେଡିର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ଛୁଇଁ, ଦଳରେ ହୋଇଥିଲେ ସାମିଲ୍‌ । ହେଲେ ପରେ ଦଳର ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କାର୍ତ୍ତିକେୟନ ପାଣ୍ଡିଆନ ନିର୍ବାଚନ ଲଢ଼ିବେନି ବୋଲି ସ୍ପଷ୍ଟ କରିଥିଲେ ।

VK Pandian VK Pandian

ଓଡ଼ିଆ ସିନେମାକୁ ନେଇ ଓଲିଉଡ୍‌ରେ କଳି

୨୦୨୩ରେ ଦେଖାଦେଇଥିଲା ଓଲିଉଡ୍‌ କଳି । ଉଭୟ କଳାକାର ଓ ପ୍ରଯୋଜକଙ୍କ ତୁତୁ ମେଁମେଁ ମିଡିଆର ମୁଖ୍ୟଖବର ପାଲଟିଥିଲା । ଓଡ଼ିଶା ସିନେମା ରିଲିଜ୍‌କୁ ନେଇ ଓଲିଉଡ୍‌ର କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ବିବାଦ ଲାଗିବା ସହ ଓଡ଼ିଶା ଭାଗ ହେବା ନେଇ ମଧ୍ୟ ଉଠିଥିଲା ପ୍ରଶ୍ନବାଚୀ । ବିଶେଷକରି ଅଭିନେତା ତଥା ପ୍ରଯୋଜକ ମନୋଜ ମିଶ୍ର ବନାମ୍ ଫିଲ୍ମ ପ୍ରଯୋଜକ ସଂଘ ମଧ୍ୟରେ ଦେଖାଦେଇଥିଲା ବିବାଦ । ପ୍ରଯୋଜକ ଟୁଟୁ ନାୟକ କାହିଁକି ମୋତେ ବ୍ୟାନ୍ କଲେ କହି ମନୋଜ ମାଗିଲେ ଜବାବ । କିନ୍ତୁ ପ୍ରଯୋଜକ ସଂଘ ଏହା ଟୁଟୁ ନାୟକଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ନୁହଁ। ଏହା ସାମୁହିକ ନିଷ୍ପତ୍ତି ବୋଲି କହିଥିଲେ । ପରେ ପରେ ଏହି ଘଟଣାରେ ଜଣକ ପରେ ଜଣେ ଅଭିନେତା ଓ ପ୍ରଯୋଜକ ମୁହଁ ଖୋଲିଥିଲେ । ଏହି ଓଲିଉଡ୍‌ କଳି ଦୀର୍ଘ କିଛି ଦିନ ଚାଲିବା ପରେ ଶେଷରେ ଥମିଥିଲା ।

Manoj Mishra Manoj Mishra

କ୍ରୀଡ଼ା କ୍ଷେତ୍ରରେ ଯୋଡ଼ିଥିଲା ଗୌରବମୟ ଅଧ୍ୟାୟ

ବିଦାୟୀ ୨୦୨୩ କ୍ରୀଡା ବର୍ଷ ଭାରତ ସହ ଓଡ଼ିଶା ପାଇଁ ଖୁସି, ଆନନ୍ଦ, ଉଲ୍ଲାସ ସହ ଗୌରବମୟ ଅଧ୍ୟାୟ ଯୋଡ଼ିହୋଇଥିଲା । ଚଳିତ ବର୍ଷ ଭାରତରେ କ୍ରିକେଟ ବିଶ୍ୱକପ୍‌ଠୁ ଆରମ୍ଭ କରି ହକି ବିଶ୍ୱକପ୍‌ ପର୍ଯ୍ୟନ୍ତ ସବୁ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ଦୁଇ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ହାତରେ ଲାଗିଥିଲା କେବଳ ନିରାଶା । ସେହିପରି ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଚର୍ଚ୍ଚାରେ ଥିଲେ ନୀରଜ ।

କିନ୍ତୁ ଏଥର ନୀରଜଙ୍କ ସହ ଚର୍ଚ୍ଚାରେ ଯୋଡ଼ି ହୋଇଥିଲେ ଓଡ଼ିଆ ପୁଅ କିଶୋର ଜେନା । କେବଳ ଓଡ଼ିଶା ନୁହେଁ ଭାରତ କ୍ରୀଡା ଜଗତରେ ବି ଚର୍ଚ୍ଚା ବଢ଼ିଥିଲା କିଶୋରଙ୍କ ପ୍ରଦର୍ଶନକୁ ନେଇ । ୨୦୨୩ରେ ରାଉରକେଲା ଓ ଭୁବନେଶ୍ୱରରେ ଏହା ଖେଳାଯାଇଥିଲା । ହକି ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଲଗାତର ଦୁଇ ଥର ବିଶ୍ୱକପ୍‌ ଆୟୋଜନ କରିଥିଲା ଓଡ଼ିଶା । ଏହା ସହ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ୧୫ ମାସରେ ପ୍ରସ୍ତୁତ ହୋଇ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ଭାବେ ଗିନିଜ୍‌ ବୁକ୍‌ ରେକର୍ଡ କରିଥିଲା । ଲଗାତର ଦୁଇ ଥର ହକି ବିଶ୍ୱକପ୍‌ ଆୟୋଜନ କରିଥିଲା ଓଡ଼ିଶା । କିନ୍ତୁ ନିଜ ମାଟିରେ ପ୍ରଶଂସକଙ୍କ ମନ ଜିଣିପାରିନଥିଲା ଟିମ୍‌ ଇଣ୍ଡିଆ । ୨୦୧୮ ବିଶ୍ୱକପ୍‌ରେ ଭାରତ ୬ ନମ୍ବର ସ୍ଥାନରେ ରହିଥିବାବେଳେ ୨୦୨୩ରେ ନବମ ସ୍ଥାନରେ ରହିଥିଲା ଟିମ୍‌ ଇଣ୍ଡିଆ ।

Neeraj chopra and Kishore jenaNeeraj chopra and Kishore jena

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

୨୦୨୩ ଦେଇଛି ଓଡ଼ିଶାକୁ ନୂଆ ରାଜ୍ୟପାଳ । ଅକ୍ଟୋବର ୩୧ ତାରିଖରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଇଥିଲେ ରଘୁବର ଦାସ । ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ରଘୁବର ଶପଥ ଗ୍ରହଣ କରିଥିଲେ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହେଉଛନ୍ତି ରଘୁବର ଦାସ । ସେ ୫ ଥର ନିର୍ବାଚିତ ହୋଇଛନ୍ତି । ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଥମ ଅଣଆଦିବାସୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ରଘୁବର । ୨୦୧୪ରୁ ୨୦୧୯ ଯାଏଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ରଘୁବର ଦାସ । ଆଉ ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ସହ ଓଡ଼ିଶାର ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଉଛନ୍ତି ।

Raghubar DasRaghubar Das

ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ପ୍ରମିଳା

୨୦୨୩ ଦେଇଛି ଓଡ଼ିଶା ବିଧାନସଭାକୁ ପ୍ରଥମ ମହିଳା ବାଚସ୍ପତି । ବିଞ୍ଝାରପୁର ବିଧାୟାକା ପ୍ରମିଳା ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟତ୍ୱ ଗ୍ରହଣକରିଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ପ୍ରମିଳା ୬ ଥରର ବିଧାୟିକା, ଏକାଧିକ ଥର ମନ୍ତ୍ରୀ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ବେଶ୍ ଅଭିଜ୍ଞତା ରଖିଛନ୍ତି ।

Pramilla Mallik Pramilla Mallik

ରାଜ୍ୟ ରାଜନୀତିରେ କାମିୟା ଝଡ଼

ଫୁଡ୍‌ ବ୍ଲଗର କାମିୟା ଜାନିକୁ ନେଇ ରାଜ୍ୟ ରାଜନୀତିରେ ବିବାଦ । କାମିୟାଙ୍କୁ ମହାପ୍ରଭୁଙ୍କ ଅବଢା ଖୁଆଇ ଅଡୁଆରେ ପଡ଼ିଛନ୍ତି 5T ଅଧ୍ୟକ୍ଷ ପାଣ୍ଡିଆନ୍ । ପାଣ୍ଡିଆନ୍ ଏବଂ କାମିୟାଙ୍କ ବିରୋଧରେ ମାମଲା ପାଇଁ ଦାବି ହୋଇଆସୁଛି । ହିନ୍ଦୀ ବ୍ଲଗର କାମିୟା ଜାନିଙ୍କୁ ନିକଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇବା ସହ ଦର୍ଶନ ଏବଂ ଅବଢା ଖୁଆଇଥିଲେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ଏହା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ତାଙ୍କୁ ଇଣ୍ଟରର୍ଭ୍ୟୁ ଦେଇଥିଲେ । ଯାହାକୁ ନିଜ ସୋସିଆଲ ମିଡିଆ ପେଜରେ ଅପଲୋଡ୍ କରିଥିଲେ କାମିୟା । ହେଲେ କାମିୟାଙ୍କ ଜଗନ୍ନାଥ ଦର୍ଶନକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଦଳ ଅଭିଯୋଗ କରିଛି, କାମିୟା ଜାନି ଖୁଲ୍ଲମଖୁଲ୍ଲା ଗୋମାଂସ ଖାଇଥିବା ନିଜ ସୋସିଆଲ ମିଡିଆ ସାଇଡରେ ରହିଛି । ତେଣୁ ଶ୍ରୀମନ୍ଦିର ନିୟମ ଅନୁସାରେ ଗୋମାଂସ ଭକ୍ଷଣ କରିଥିବା ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇ ଅପରାଧ କରିଛନ୍ତି ପାଣ୍ଡିଆନ୍ । କୋଟି କୋଟି ଜଗନ୍ନାଥପ୍ରେମୀ ଏବଂ ସନାତନ ଧର୍ମୀଙ୍କ ଭାବାବେଗକୁ କୁଠାରଘାତ କରିଥିବାରୁ ସେମାନଙ୍କ ବିରୋଧରେ ଆଇପିସି ୨୯୫-ଏ ଧାରା ବିରୋଧରେ ମାମଲା ରୁଜୁ କରୁ ଶ୍ରୀମନ୍ଦିର ପ୍ରଶାସନ ।

Kamiya janiKamiya jani

୨୦୨୩ରେ ଏହି ବିଶିଷ୍ଟ ବ୍ୟକ୍ତିଙ୍କ ଅସ୍ତ

ବିଶ୍ୱସ୍ତରୀୟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହଟ୍ଟାଙ୍କ ସେପ୍ଟେମ୍ବର ୧୬ ତାରିଖରେ ପରଲୋକ ହୋଇଥିଲା । ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସିଦ୍ଧହସ୍ତ ଥିବା ଗୀତା ମେହଟ୍ଟାଙ୍କୁ ସାରା ବିଶ୍ୱ ଜାଣେ ଭିନ୍ନ ଭିନ୍ନ ପରିଚୟରେ ଜାଣିଛି । ସେହି ଅସୀମ ପ୍ରତିଭାର ଅଧିକାରିଣୀ ୨୦୨୩ରେ ଅତୀତ ଓ ଅମର ପାଲଟିଛନ୍ତି । ସେହିପରି ସେପ୍ଟେମ୍ବର ୨ ତାରିଖରେ ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ହୋଇଛି । ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ମଧ୍ୟ ଅକ୍ଟୋବର ୧୬ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେହିପରି ଅକ୍ଟୋବର ୨୭ ତାରିଖରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି । ଦୀର୍ଘଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ ସ୍ୱରୂପ । ତାଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସେହିପରି ନଭେମ୍ବର ୭ ତାରିଖରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ ହୋଇଥିଲା । ପ୍ରଥମେ କାଉନସିଲରରୁ ବାଚସ୍ପତି ହୋଇଥିଲେ ମହେଶ୍ୱର ମହାନ୍ତି । ପୁରୀରୁ କାଉନସିଲର୍ ଭାବେ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ ମହେଶ୍ୱର ।

OTV is now on Whatsapp

Join and get latest news update delivered to you via whatsapp

Join Now