• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କ୍ଷେତରେ ଖେଳୁଛି ସୁନା ଫସଲ ହେଲେ ମୂଳ ଚରି ଗଲେଣି ଚକଡ଼ା ।

  • ପାଚିଲା ଧାନରେ ପୋକ ଲାଗିବାରୁ ଚିନ୍ତାରେ ବାଲେଶ୍ୱର ଓ ଭଦ୍ରକର ଚାଷୀ ।

  • କୃଷି ବିଭାଗ କହିଲା ଅଦିନିଆ ବର୍ଷା ଯୋଗୁଁ ଏଭଳି ସମସ୍ୟା ।

ଭଦ୍ରକ: ଚରି ଯାଉଛି ଚକଡ଼ା । ଚାଷୀର ଆଖି ଆଗରେ ଉଜୁଡ଼ି ଯାଉଛି ବର୍ଷକର ମେହନତ । କ୍ଷେତରେ ହସୁଥିବା ଧାନ ଗଛକୁ ମୂଳରେ ଶୋଷୁଛି ଚକଡ଼ା ପୋକ । ପାଚିବା ଆଗରୁ ନଷ୍ଟ ହେବାକୁ ବସିଲାଣି ସୁନା ଫସଲ । ଭଦ୍ରକରୁ-ନୀଳଗିରି, ବାଲେଶ୍ୱରରୁ-ସୋର, ସବୁଠି ଚାଷୀର ନିଦ ହଜାଇ ଦେଇଛନ୍ତି ମାରାତ୍ମକ ଚକଡ଼ା ପୋକ । ଏବର୍ଷ ପାଗ ଭଲ ଥିବାରୁ ଭଲ ଅମଳ ଆଶାରେ ଥିଲା ଚାଷୀ । ହେଲେ ଧାନ ପାଚିଲା ବେଳକୁ ହଠାତ୍ ଚକଡା ପୋକ ଲାଗିବା ଚାଷୀଙ୍କୁ ନିରାଶ କରିଛି । 

ଆକାଶ ମାର୍ଗରୁ ଦେଖିଲେ ଲାଗୁଛି କ୍ଷେତରେ ଲହଡ଼ି ମାରୁଛି ସୁନା ଫସଲ । ହେଲେ ନିକଟକୁ ଯାଇ ଦେଖିଲେ ହୋସ୍ ଉଡିଯିବ । ଜମିରେ ମାତିଛନ୍ତି ଚକଡ଼ା ପୋକ । କ୍ଷେତରେ ୩ ଭାଗରୁ ଅଧିକ ଧାନ ନଷ୍ଟ ହୋଇଗଲାଣି । ମୂଳରେ ଲାଗି ଧାନ ଗଛର ଜୀବନ ଶୋଷି ଦେଉଛି ଏହି ମାରାତ୍ମକ ମାଟିଆ ଗୁଣ୍ଡି ବା ଚକଡ଼ା ପୋକ । ଆଉ କିଛି ଦିନ ପରେ ଧାନ କାଟି ଖଳାକୁ ନେଇଥାନ୍ତା ଚାଷୀ । ହେଲେ ହାଡ଼ ଭଙ୍ଗା ପରିଶ୍ରମର ଫଳକୁ ଏହି ପୋକ ଚଳୁ କରିଦେଇଛନ୍ତି । ବାଲେଶ୍ୱର ସୋର, ନୀଳଗିରି ଓ ଭଦ୍ରକ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଚକଡ଼ା ପୋକ ଚାଷୀଙ୍କ ନିଦ ହଜାଇଦେଇଛି । କେଉଁ ଔଷଧ ପକାଇଲେ ପୋକ ନିୟନ୍ତ୍ରଣ ହେବ ତାକୁ ନେଇ ଚାଷୀଙ୍କ ଅକଲ ଗୁଡ଼ୁମ ।

ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲରେ ଚକଡ଼ା ପୋକ ଲାଗିଥିବା କହିଛନ୍ତି କୃଷି ଅଧିକାରୀ । ଭଦ୍ରକ ଜିଲ୍ଲାରେ କୃଷି ବିଜ୍ଞାନୀ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ଆବଶ୍ୟକ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଉଛନ୍ତି । ଅନ୍ୟପଟେ ନୀଳଗିରି ବ୍ଲକର ୧୫ରୁ ଅଧିକ ପଞ୍ଚାୟତରେ ଚକଡ଼ା ପୋକ ଲାଗିଥିବା ବେଳେ ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି ।