• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାଗ୍ୟ ବଦଳାଇଦେଲା ଜିଆ ଖତ । ଆଗରୁଆଦିବାସୀ ମହିଳାମାନେ ଜଙ୍ଗଲରୁ କାଠ କିମ୍ବା ପତ୍ର ସଂଗ୍ରହ କରି ପରିବାରର ଜୀବିକା ନିର୍ବାହ କରୁଥିଲେ । କିନ୍ତୁ ଏବେ ଆଉ ମହିଳାଙ୍କୁ ଜଙ୍ଗଲକୁ ଯିବାକୁ ପଡ଼ୁନି । ମହିଳାମାନେ ଏକାଠି ହୋଇ ଚାଷ କାମକୁ ଆପଣାଇ ଦେଇଛନ୍ତି । ଏବେ ବର୍ଷକୁ ରୋଜଗାର ହେଉଛି ଲକ୍ଷାଧିକ ଟଙ୍କା ।

ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ କ୍ରିୟାଧାର ଗାଁ । ଏହି ଗାଁରେ ୨୨ଟି ଆଦିବାସୀ ପରିବାର ବସବାସ କରନ୍ତି। ପୂର୍ବରୁ ଏଠାକାର ଲୋକେ ପାରମ୍ପରିକ ପଦ୍ଧତିରେ ଚାଷ କାମ କରି ଓ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଏବେ ସେହି ସମୟ ବଦଳିଛି । ବନ ବିଭାଗ ପରାମର୍ଶ କ୍ରମେ ମହିଳାମାନେ ଘର ବାଡ଼ିରେ ଜିଆ ଖତ ପ୍ରସ୍ତୁତ କରୁଛନ୍ତି ।

କ୍ରିୟାଧାର ଗାଁ ପ୍ରତି ମହିଳାଙ୍କ ଘରେ ରହିଛି ଜିଆ ଖତ ପ୍ରସ୍ତୁତି ପାଇଁ ଜରି କୁଣ୍ଡ । ପ୍ରତିଦିନ ଘର ଓ ବାହାରର ଆବର୍ଜନା ଏଠାରେ ପକାଇ ଥାଆନ୍ତି ମହିଳାମାନେ । କୁଣ୍ଡ ଭର୍ତ୍ତି ହୋଇଯିବା ପରେ ସେଥିରେ ଜିଆ ଛାଡିଥାନ୍ତି । କିଛି ଦିନ ପରେ ତାହା କମ୍ପୋଷ୍ଟରେ ପରିଣତ ହୋଇ ଖତ ତିଆରି ହୋଇଥାଏ । ଚାଲୁଣି ଚଳାଇ ଜିଆଖତକୁ ବାହାର କରି କିଲୋ ପିଛା ୧୦ ରୁ ୧୨ ଟଙ୍କାରେ ବିକ୍ରି କରିଥାନ୍ତି । ବର୍ଷକୁ ଦୁଇରୁ ତିନିଥର ଜିଆ ଖତ ବିକ୍ରି କରି ଭଲ ରୋଜଗାର କରୁଥିବା କହିଛନ୍ତି କ୍ରିୟାଧର ଗାଁର ଏହି ମହିଳାମାନେ । ବର୍ଷକୁ ଏକ ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ରୋଜଗାର ହେଉଥିବାରୁ ଆଉ ଘର ଲୋକଙ୍କ ଉପରେ ନିର୍ଭର ନକରି ନିଜେ ପରିବାର ଚଳାଉଥିବା ମହିଳାମାନେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ୱେବ୍ ଡିଜାଇନିଂ ଛାଡ଼ି ଜିଆଖତ ପ୍ରସ୍ତୁତି ଶିଖିଲେ ମହିଳା : ବର୍ତ୍ତମାନ ବାର୍ଷିକ ଆୟ ୬ ଲକ୍ଷ

ତେବେ ଜିଆ ଖତ ଛଡା ସେମାନେ ଛତୁ ଚାଷ,ଧାଡି ପରିବା ଚାଷ ଓ କୁକୁଡ଼ା,ବତକ ଭଳି ଅନେକ ଚାଷ କରନ୍ତି ଏହି ଗାଁର ମହିଳା । ଧାନ ଚାଷ ମଧ୍ୟ ଆଉ ପାରମ୍ପରିକ ରୀତିରେ ନକରି ଆଧୁନିକ କୌଶଳକୁ ଆପଣାଇ ଧାଡି ରୁଆ ପଣାଳୀରେ ସରୁଧାନ ଚାଷ କରି ଖୁବ ଲାଭାନ୍ୱିତ ହୋଇପାରିଛନ୍ତି । ଧାନ ଅମଳ ପରେ ନଡାକୁ କାଟି ପଲିଥିନରେ ରଖି ଛତୁ ଚାଷ କରନ୍ତି, ଯାହା ସେମାନଙ୍କୁ କମ ଖର୍ଚ୍ଚରେ ଅଧିକ ଲାଭ ଦେଉଛି । ତେବେ ଆଗକୁ ମହିଳା ମାନେ ଉନ୍ନତ ପଦ୍ଧତିରେ ଚାଷ କାମ କରି ସ୍ୱାବଲମ୍ବୀ ହେବାକୁ ଲକ୍ଷ ରଖିଛନ୍ତି ।