• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଉରକେଲାରୁ ଟେନ୍‌ସା । ଦୂରତା ମାତ୍ର ୯୫ କିଲୋମିଟର । ହେଲେ ମନିଅର୍ଡର ପହଞ୍ଚିବାକୁ ଲାଗିଲା ସାଢେ ୪ ବର୍ଷ । ୨୦୧୮ରେ କରାଯାଇଥିବା ଏକ ମନିଅର୍ଡର ଠିକଣା ସ୍ଥାନରେ ପହଞ୍ଚିଛି ଏଇ ଚାରି ଦିନ ତଳେ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ପୁରାପୁରି ସତ । 

ସୁନ୍ଦରଗଡ କୋଇଡା ବ୍ଳକ୍ ଟେନସାରେ ରହୁଥିବା ସୁମିତ୍ରା ବିଶ୍ୱାଳଙ୍କ ପାଖରେ ପହଁଚିଛି ଗୋଟିଏ ମନିଅର୍ଡର । ଯେଉଁଥିରେ ଥିଲା ୫ ଶହ ଟଙ୍କା । ସାବିତ୍ରୀ ବ୍ରତ ପାଇଁ ସୁମିତ୍ରାଙ୍କ ପାଖକୁ ଏହି ଟଙ୍କା ପଠାଇଥିଲେ ରାଉରକେଲାରେ ରହୁଥିବା ଭାଇ ପ୍ରମୋଦ କୁମାର ପ୍ରଧାନ । ହେଲେ ଭଉଣୀ ପାଖରେ ମନିଅର୍ଡର ପହଁଚିବାକୁ ଲାଗିଗଲା ସାଢେ ୪ ବର୍ଷ ।

ରାଉରକେଲା ରୁ ଟେନସା ଦୂରତା ପାଖାପାଖି ୯୫ କିଲୋମିଟର । ୨୦୧୮ ମେ’ ୯ ତାରିଖରେ ରାଉରକେଲା ସେକ୍ଟର-୧୯ ପୋଷ୍ଟ ଅଫିସରେ ୫ଶହ ଟଙ୍କା ମନିଅର୍ଡର କରିଥିଲେ ପ୍ରମୋଦ । ହେଲେ ଟଙ୍କା ଭଉଣୀ ପାଖରେ ପହଁଚିଛି କି ନାହିଁ, ଆଉ ବୁଝିନଥିଲେ । ବିଶ୍ୱାସ ରଖିଥିଲେ ଟଙ୍କା ଡାକରେ ପଠାଇଛନ୍ତି  ଯେତେବେଳେ ଠିକଣା ସମୟରେ ଠିକଣା ସ୍ଥାନରେ ପହଁଚିଯିବ । ହେଲେ କିଏ ଜାଣିଥିଲା ପହଁଚୁ ପହଁଚୁ ତାକୁ ସାଢେ ୪ ବର୍ଷ ଲାଗିଯିବ ।

 

ବାପଘରୁ ଝିଅ ପାଖକୁ ଆସିଥାଏ ସାବିତ୍ରୀ ଭାର । ଯେଉଁଥିରେ ଥାଏ ପରିବାରର ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ । ହେଲେ ୟା ଭିତରେ ଚାଲିଗଲାଣି ଚାରି ଚାରିଟି ସାବିତ୍ରୀ ଓଷା । ସ୍ନେହରେ ଭାଇ ପଠାଇଥିବା ଟଙ୍କା ପାଇ ଭଉଣୀ ସୁମିତ୍ରା ଖୁସି, ହେଲେ ମନରେ କ୍ଷୋଭ ବି ଅଛି । କାରଣ, ଯେଉଁଥି ପାଇଁ ଭାଇ ଟଙ୍କା ପଠାଇଥିଲେ, ତାହା ସେହି କାମରେ ଲାଗିପାରିଲାନି । ଏଥିପାଇଁ ଡାକ ବିଭାଗର ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ସୁମିତ୍ରା । ସେପଟେ ଟେନସା ସବ୍ ପୋଷ୍ଟମାଷ୍ଟର କହିଛନ୍ତି, ସେ ଜଏନ କରିବା ପରେ ପେଣ୍ଡିଂ ଲିଷ୍ଟ କ୍ଲିୟର କରିବାରୁ ରିଲିଜ୍ ହୋଇଥିଲା ସୁମିତ୍ରାଙ୍କ ମନିଅର୍ଡର ।

ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଟଙ୍କା ପଠାଇବା ଅତି ସହଜ ଓ ସରଳ । ମୋବାଇଲରେ ଅନଲାଇନ୍ ଜରିଆରେ ମାତ୍ର କିଛି କ୍ଷଣ ମଧ୍ୟରେ ହଜାର ହଜାର କିଲୋମିଟର ଦୂର ପହଁଚିଯାଏ ଟଙ୍କା । ହେଲେଏହି ଘଟଣାରେ ମନି ଅର୍ଡର ଯୋଗେ ଟଙ୍କା ପହଞ୍ଚିବାକୁ ୪ ବର୍ଷ ସମୟ ଲାଗିବା ଚର୍ଚ୍ଚାର ବିଷୟ ହୋଇଛି ।

(ରିପୋର୍ଟର- ସୁନ୍ଦରଗଡ଼ ଟେନ୍‌ସାରୁ ସୁନୀଲ ପଣ୍ଡା)