• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହାତରେ ସାଇକେଲ, ସାଇକେଲ ଉପରେ ବ୍ୟାଗ । ବ୍ୟାଗରେ ବେପାର ସାମଗ୍ରୀ । ଚାଲି ଚାଲି ବେପାର କରିବାକୁ ବାହାରି ପଡ଼ନ୍ତି । ନିଜ ପିଲାଙ୍କ ମୁହଁରେ ଆହାର ଟିକେ ଦେବାକୁ ନିଇତି ଜୀବନ ସହ ଲଢ଼ନ୍ତି । ଆଗ ପଛ କେହି ନାହିଁ । ଘରେ ଦୁଇଟି ଦୁଇଟି ଛୁଆ । ଝିଅଟି ଅଷ୍ଟମରେ ପଢ଼ୁଛି । ପୁଅ ଦଶମରେ ।

ସ୍ବାମୀଙ୍କର ରୋଗରେ ପଡ଼ି ଅକାଳରେ ବିୟୋଗ । ବୋଝ ଉପରେ ନଳିତା ବିଡ଼ା ପରି ପରେ ପରେ ଜୀବନ ଯନ୍ତ୍ରଣା ଦେବା ଆରମ୍ଭ କଲା । ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଘରୁ ଗୋଡ଼ କାଢ଼ିଲେ । ଚାଲି ଚାଲି ବେପାର କଲେ ।

ମହିଳା ଜଣକ ହେଉଛନ୍ତି ଯାଜପୁର ବିଞ୍ଜାରପୁର ବ୍ଲକ ବିତନା ଗ୍ରାମର ରଞ୍ଜିତା ସାହୁ । ନିଜ ସମ୍ପର୍କୀୟଙ୍କଠାରୁ ଋଣ ଆଣି ନଳୀ, ଚୁଡ଼ି ବେପାର ଆରମ୍ଭ କରିଛନ୍ତି । ଅର୍ଥ ଅଭାବରୁ ପିଲାଙ୍କୁ ଟିଉସନ ଦେଇ ପାରି ନାହାନ୍ତି । ଇନ୍ଦିରା ଆବାସ ମିଳିଥିଲେ ମଧ୍ୟ, ଅର୍ଥର ଅଭାବ ପାଇଁ ନଡ଼ା ଘରେ ରହୁଛନ୍ତି ।

ପ୍ରଶାସନ ପକ୍ଷରୁ ବିଧବା ଭତ୍ତା ପାଉଛନ୍ତି । ଏହା ସହ ମାସକୁ ୧୫ କେଜି ଚାଉଳ ମଧ୍ୟ ମିଳୁଛି । ଏହା କିନ୍ତୁ ସମୁଦ୍ରକୁ ଶଙ୍ଖେ ପରି । ଅନ୍ତଦୋୟ ଯୋଜନାରେ ସାମିଲ କରି ମାସକୁ ୩୫ କେଜି ଚାଉଳ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏନେଇ ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ତାଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ କିମ୍ବା ବ୍ୟାଙ୍କ ଜରିଆରେ ସାହାଯ୍ୟ କରାଯିବ ବୋଲି କହିଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲାପାଳ । ଏନେଇ ବିଡ଼ିଓଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଥିବା କହିଛନ୍ତି ।

ରାଜ୍ୟ ସରକାରଙ୍କ ମାଆକୁ ସମ୍ମାନ ନାରା ସର୍ବାଗ୍ରେ । କିନ୍ତୁ ଏ ମାଆର ବଞ୍ଚିବା ପାଇଁ ସଙ୍ଘର୍ଷ ସରକାରଙ୍କ ଆଖିରେ ପଡ଼ୁଛି ତ .. କେଉଁଠି ହିଡ଼ ବନ୍ଧରେ ପ୍ରସୂତୀର ପ୍ରସବ, କେଉଁଠି ଆମ୍ବୁଲାନ୍ସ ନ ପହଞ୍ଚିବାରୁ ପ୍ରସୂତୀର ମୃତ୍ୟୁ । ପୁଣି ଏବେ ଖାଦ୍ୟ ଗଣ୍ତେ ପାଇଁ ଏ ମାଆର ସଙ୍ଘର୍ଷ .. ଏ ଖବର ପହଞ୍ଚୁଛି ତ ରାଜ୍ୟ ସରକାରଙ୍କ ପାଖରେ ..

  • Reported by:
  • Sanjeeb Nayak