• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତି ଅଧରେ ରାଜଧାନୀର ଜନବସତିକୁ ପଶି ଆସି ଦନ୍ତା ହାତୀ ଆକ୍ତାମାକ୍ତା । ହାତୀକୁ ଘଉଡ଼ାଇବାକୁ ନାକେଦମ୍ ବନ ବିଭାଗ । ଆଉ ହାତୀକୁ ଟ୍ରାଙ୍କୁଲାଇଜ୍ କରି କାବୁ ପରେ ଏବେ କେଉଁଠି ଛାଡ଼ିବ, ତାକୁ ନେଇ ହଟହଟା । ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଏକ ଦନ୍ତାହାତୀ ଠାବ ହେବା ପରେ ଏହାକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିଥିଲା ବନ ବିଭାଗ । ହେଲେ ହାତୀକୁ ନୟାଗଡ଼ ରଣପୁର ନେବା ପରେ ସେଠାରେ ଛାଡ଼ିବାକୁ ଲୋକେ ବିରୋଧ କରିବାରୁ କେଉଁଠି ଛଡ଼ାଯିବ, ତାକୁ ନେଇ ଆଜି ଦିନ ତମାମ ହରଡ଼ଘଣାରେ ପଡ଼ିଥିଲା ବନ ବିଭାଗ । ଶେଷରେ ସନ୍ଧ୍ୟାରେ ବନ ବିଭାଗ ଟିମ୍ ହାତୀକୁ ଧରି ପୁଣି ଚନ୍ଦକା ଫେରିଥିଲେ ।

କଂକ୍ରିଟ୍ ଜଙ୍ଗଲ ଭିତରକୁ ଭୁଲରେ ପଶି ଆସି ଆକ୍ତାମାକ୍ତା ହାତୀ ଦନ୍ତା ପାଇଁ ୨୪ ଘଣ୍ଟା ହେଲାଣି ନାକେଦମ୍ ବନ ବିଭାଗ ଓ ପୋଲିସ୍ । ସକାଳୁ ସଂଧ୍ୟା ଯାଏଁ ଟ୍ରାଙ୍କୁଲାଇଜ୍ ଅବସ୍ଥାରେ ବୁଲୁଛି ହାତୀ । ଗତକାଲି ପିପିଲି ଅଞ୍ଚଳରୁ ପ୍ରଥମେ ଠାବ ହୋଇଥିବା ଏକ ଦନ୍ତା ହାତୀ ରାତିରେ ରାଜଧାନୀକୁ ପଶି ଆସିବା ପରେ ତାକୁ ନେଇ ହଇଚଇ । ହାତୀ ପାଇଁ ଲୋକେ ଯେତିକି ଆତଙ୍କିତ ହୋଇଥିଲେ, ତାଠୁ ଅଧିକ ନୟାନ୍ତ ହୋଇଛି ବନ ବିଭାଗ ଓ ପୋଲିସ ଟିମ୍ ।

ଗତକାଲି ରାତି ପ୍ରାୟ ଗୋଟାଏ ବେଳର ଦେଖାଯାଇଥିଲା ହାତୀ । ହାତୀଟି ପିପିଲିରୁ ଧଉଳି, ଗ୍ୟାରେଜ୍‌ ଛକ ଦେଇ ଲିଙ୍ଗରାଜ ମନ୍ଦିର, ପୋଖରୀପୁଟ, ଯଦୁପୁର ଦେଇ ପରେ ପାତ୍ରପଡ଼ା ଆଇଗିଣିଆ ଅଞ୍ଚଳକୁ ଚାଲିଯାଇଥିଲା । ଆଜି ଭୋର ପ୍ରାୟ ୫ଟା ସମୟରେ ବନ ବିଭାଗ ଟିମ୍ ହାତୀଟିକୁ ଆଇଗିଣିଆ ଶନିମନ୍ଦିର ନିକଟ ଜଙ୍ଗଲରୁ ଠାବ କରିଥିଲା । ହାତୀଟି କିଛି ଅଘଟଣ ଘଟାଇବା ପୂର୍ବୁରୁ ଏହାକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ଏଠାରେ ତାକୁ ଅତି ସୁରକ୍ଷିତ ଭାବେ ମେସିନ୍ ସହାୟତାରେ ଟେକି ଏକ ହାଇଓ୍ୱାରେ ଲୋଡ୍ କରିବା ପରେ ନୟାଗଡ଼ ରଣପୁର ଜଙ୍ଗଲରେ ଛାଡ଼ିବାକୁ ନେଇଥିଲା ବନ ବିଭାଗ ।

ଟ୍ରାଙ୍କୁଲାଇଜ୍ ହାତୀକୁ ଟ୍ରକରେ ଧରି ନୟାଗଡ଼ ରଣପୁର ଜଙ୍ଗଲ ଅଭିମୁଖେ ନିଆଯାଉଥିବା ବେଳେ ସେଠାରେ ବନ ବିଭାଗକୁ ଲାଗିଥିଲା ଝଟ୍‌କା । ସ୍ଥାନୀୟ ଅର୍ଜୁନପୁର ବାସିନ୍ଦା କାଠଗଡ଼ ପକାଇ ରାସ୍ତା ଅବରୋଧ କରିଥିଲେ । ଏ ଅଞ୍ଚଳରେ ହାତୀକୁ ଛାଡ଼ିଲେ କାଳେ କୌଣସି ଅଘଟଣ ଘଟାଇବ, ସେ ଆଶଙ୍କାରେ ଲୋକେ ହାତୀକୁ ଆଗକୁ ଛାଡ଼ିନଥିଲେ । ଖୋର୍ଦ୍ଧା ଡିଏଫଓ ଓ ବନ ଅଧିକାରୀମାନେ ଲୋକଙ୍କୁ ଯେତେ ବୁଝାସୁଝା କରିଥିଲେ ବି ମଙ୍ଗି ନଥିଲେ ସେମାନେ । ତେଣୁ ହାତୀକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲା ବନ ବିଭାଗ । ସେଠାରୁ ଖୋର୍ଦ୍ଧା କମାଗୁରୁ ଜଙ୍ଗଲକୁ ନେଇ ଛାଡ଼ିବାକୁ ଯୋଜନା କରିଥିବା ବେଳେ ସେଠାରୁ ବି ଦେଖିବାକୁ ମିଳିଥିଲା ବିରୋଧର ସ୍ୱର । ତେଣୁ ଶେଷରେ ଆଉ ଉପାୟ ନପାଇ ଖୋର୍ଦ୍ଧା କେତକୀଝର ନର୍ସରୀକୁ ଆଣିଥିଲେ । କମାଗୁରୁ ନିକଟରେ ହାତୀକୁ ଆଉଥରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ସୂଚନା ମିଳିଛି ।

ଆଜି ଭୋରରୁ ହାତୀଟି ଟ୍ରାଙ୍କୁଲାଇଜ୍ ପରେ ସେହିଭଳି ଗୋଡ଼ରେ ଶିକୁଳି ପଡ଼ିଥିବା ଅବସ୍ଥାରେ ଟ୍ରକ୍ ଉପରେ ବୁଲୁଥିବାରୁ ଏହାର ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି । ଏଥିପାଇଁ ବନ ବିଭାଗ ହାତୀ ମୁହଁରେ କପଡ଼ା ଢାଙ୍କି ତା ଦେହରେ ବାରମ୍ବାର ଜଳ ସିଂଚନ କରୁଛି । ସେପଟେ ହାତୀର ସ୍ୱାସ୍ଥ୍ୟାବସ୍ଥା ଏବେ ସୁଦ୍ଧା ଠିକ୍ ରହିଥିବା ସୂଚନା ଦେଇଛନ୍ତି ବନ ଅଧିକାରୀ ।