• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦୀପାବଳିରେ ଲିଭିଗଲା ଦୀପ । ଉଜୁଡ଼ିଗଲା ସୁନାର ସଂସାର । ଛାରଖାର ହୋଇଗଲା ପୁରା ପରିବାର । ଅନାଥ ହୋଇଗଲେ ଦୁଇ ନାବାଳିକା । ଭବିଷ୍ୟତ ଏବେ ଅନ୍ଧକାରମୟ । କିଏ ବୁଝିବ ଏମାନଙ୍କ ଦୁଃଖ । କିଏ ଏମାନଙ୍କୁ ବୁଝାଇବ, ତାଙ୍କ ବାପା ମାଆ ଆଉ ଫେରିବେନି, ସେମାନେ ଏବେ ଆରପାରିରେ ।

ଏହି ଘଟଣାଟି ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ସୁନାଖାଳା ଅଞ୍ଚଳର । ଦୀପାବଳି ଦିନ ବାପା ଗୋକୁଳ ଚନ୍ଦ୍ର ସାହୁ ବାଇକ୍‌ରେ ବଜାରରୁ ଫେରୁଥିବା ବେଳେ ଆଉ ଏକ ବାଇକ୍‌ ସହ ତାଙ୍କର ଧକ୍କା ହୋଇଥିଲା । ଫଳରେ ସେ ଛିଟିକି ରାସ୍ତାରେ ତଳେ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଖବର ପାଇବା ପରେ ଘରେ ଥିବା ତାଙ୍କ ପତ୍ନୀ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ । ସତେ ଯେମିତି ମୁକ ପାଲଟିଯାଇଥିଲେ । ଆଉ ବ୍ୟବଚ୍ଛେଦ ପରେ ଯେତେବେଳେ ସ୍ୱାମୀଙ୍କ ଶବ ଘରେ ପହଞ୍ଚିଥିଲା, ସେତେବେଳେ ଆଉ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଥିଲା । ଗୋକୁଳଙ୍କ ପତ୍ନୀ ଅନିନ୍ଦିତା ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଗୋଟିଏ ଘରେ ଦୁଇ ଦୁଇଟି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

ଦୀପାବଳି ଦିନ ସ୍ୱାମୀଙ୍କ ମୃତ୍ୟୁ, ଆଉ ତା’ପର ଦିନ ପତ୍ନୀଙ୍କ ମୃତ୍ୟୁ । ଅର୍ଥାତ୍‌ ବାପା ମାଆ ଚାଲିଗଲା ପରେ ଏବେ ଦୁଇ ନାବାଳିକା ଅନାଥ । ସେମାନଙ୍କୁ ଏବେ କିଏ ଦୁନିଆ ଦେଖାଇବ ? କିଏ ସେମାନଙ୍କ ଯତ୍ନ ନେବ ? କିଏ ସ୍ନେହ ମମତା ଦେଇ ବଡ଼ କରିବ ? କିଏ ସେମାନଙ୍କୁ ନିଜର କରି କୋଳେଇ ନେବ ? ଭଗବାନ କ’ଣ କେବେ ଏଭଳି ନିର୍ଦୟ ହୋଇପାରନ୍ତି ? ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।