• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୋରାପୁଟ ସହରରେ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ପୁଣି ଦେଖାଦେଇଛି କେଁ । ପୂର୍ବରୁ ଜାଗା ଚିହ୍ନଟ ଓ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ ଆରମ୍ଭରେ ବିଳମ୍ବ ହୋଇଥିଲା । ଏବେ ପୁଣି ଜମିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏହି ପ୍ରକଳ୍ପର ଭାଗ୍ୟ ଅନଶ୍ଚିତତା ଭିତରକୁ ଠେଲି ହୋଇ ଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏ ନେଇ ତତ୍ପର ହେଲେ ବାଇପାସ ରୋଡ ନିର୍ମାଣ ହୋଇପାରିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

କେବେ ନିର୍ମାଣ ହେବ କୋରାପୁଟ ସହରର ବାଇପାସ, ସେ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଟ୍ରାଫିକ୍ ସମସ୍ୟାରେ ଉବୁଟୁବୁ ହେଉଛନ୍ତି ସହରବାସୀ । ସହରରେ ବାଇପାସ ରାସ୍ତା ନିର୍ମାଣ ଲାଗି ଦୀର୍ଘ ଦିନରୁ ପ୍ରକ୍ରିୟା ଆରମ୍ଭ ହୋଇଛି । କୋରାପୁଟ ସହର ଉପକଣ୍ଠ ମାଛରା ନିକଟରୁ ବାଇପାସ ରାସ୍ତା ଆରମ୍ଭ ହୋଇ ରେଳ ଷ୍ଟେସନ ଛକ ପର୍ଯ୍ୟନ୍ତ ରାସ୍ତାର ଲମ୍ବ ୩.୮ କିମି ରହିଛି ।

ପ୍ରକଳ୍ପ ଲାଗି ଅଟକଳ ପ୍ରାୟ ୭୫ କୋଟି ଆକଳନ କରାଯାଇଛି । ତେବେ ଜମିର ମୂଲ୍ୟ ନିର୍ଧାରଣ ନେଇ ରାଜ୍ୟ ସରକାର ଓ ଜନ ପ୍ରତିନିଧି ତପ୍ତର ହେଉ ନ ଥିବାରୁ ଅସନ୍ତୁଷ୍ଟ ଅଞ୍ଚଳବାସୀ । ସେପଟେ ବାଇପାସ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଥିବା ଜମି ଜବରଦଖଲ କରାଯିବ । ରେଳ ବିଭାଗ ଜମି ହସ୍ତାନ୍ତର କରି ସାରିଥିବା ବେଳେ ଏବେ ଘରୋଇ ଜମିର ମୂଲ୍ୟ ନିର୍ଦ୍ଧାରଣ ନେଇ କେଁ ଦେଖାଦେଇଛି ।

ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଜାତୀୟ ରାଜପଥ ବିଭାଗକୁ ତଥ୍ୟ ପ୍ରଦାନ କରିଥିବା ବେଳେ ଜମିର ମୂଲ୍ୟକୁ ନେଇ ମନ୍ତ୍ରାଳୟ ସହମତ ନୁହେଁ । ଆଗକୁ ଭାରତମାଳା ପ୍ରକଳ୍ପରେ ଛତିଶଗଡ଼ରୁ- ଆନ୍ଧ୍ର ରାସ୍ତା ଏବଂ ବିଜୁ ଏକ୍ସପ୍ରେସ ଓ୍ୱେରେ ଜୟପୁରରୁ ବ୍ରହ୍ମପୁର ରାସ୍ତା କାମ ଆରମ୍ଭ ହେବ । ଏହା ଫଳରେ କୋରାପୁଟ ସହରରେ ଟ୍ରାଫିକ ଯନ୍ତ୍ରଣା କମିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ କୋରାପୁଟ ସହରରେ ବାଇପାସ ନିର୍ମାଣ ଲାଗି ପୁଣି ସଂସଦରେ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି ସାଂସଦ ସପ୍ତଗିରି ଉଲାକା ।