• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବା ଡିଜିପି ଅଭୟ ଆସନ୍ତା ଡିସେମ୍ୱର ୩୦ ତାରିଖରେ ଅବସର ଗ୍ରହଣ କରିବେ । ତାଙ୍କର ଅବସର ସୀମା ସରକାର 6 ମାସ ବଢାଇଥିଲେ । କିନ୍ତୁ ଆଉ ବଢାଇବେ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ରାଜ୍ୟର ପରବର୍ତ୍ତୀ ଡିଜିପି କିଏ ହେବେ, ସେ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଏହି ଦୌଡରେ ବହୁ ବରିଷ୍ଠ ଅଧିକାରୀ ଅଛନ୍ତି । ସରକାରଙ୍କର ଭରସାଯୋଗ୍ୟ ଜଣେ ଅଧିକାରୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସାଯିବ । ସରକାର ନିଷ୍ପତ୍ତି ନେବେ, କିଏ ଏଥିପାଇଁ ଅଧିକ ଯୋଗ୍ୟ ।

ପ୍ରଦୀପ କପୁର

ବରିଷ୍ଠତାକୁ ଆଧାର କଲେ, ୧୯୮୬ ବ୍ୟାଚର ଆଇପିଏସ ଅଫିସର ପ୍ରଦୀପ କପୁରଙ୍କ ନାଁ ସବୁଠୁ ଆଗରେ ଅଛନ୍ତି । ସେ ହେଉଛନ୍ତି ଅଭୟଙ୍କ ବ୍ୟାଚମେଟ୍ । ସେ ଏବେ ଦିଲ୍ଲୀରେ ନ୍ୟାସନାଲ ଟେକନିକାଲ୍ ରିସର୍ଚ୍ଚ ଅର୍ଗାନାଇଜେସନର ସାଇଣ୍ଟିଫିକ ଆଡଭାଇଜର ଅଛନ୍ତି । ତାଙ୍କ ଘର ଚଣ୍ଡିଗଡରେ । 1986 ବ୍ୟାଚର ଆଉ ଜଣେ ଅଫିସର ହେଉଛନ୍ତି ବି କେ ଶର୍ମା । ସେ ପୂର୍ବରୁ ଥରେ ଡିଜିପି ହୋଇସାରିଛନ୍ତି ଓ ଏକ ବିବାଦୀୟ ପରିସ୍ଥିତିରେ ବିଦା ହୋଇଛନ୍ତି । ସେ ଏବେ କଟକରେ ପ୍ରିଣ୍ଟିଂ, ଷ୍ଟେସନେରୀ ଓ ପବ୍ଲିକେସନସ୍ ର ନିର୍ଦ୍ଦେଶକ ଅଛନ୍ତି । ସେ ପୁଣିଥରେ ଡିଜିପି ହେବା ସମ୍ଭାବନା ନାହିଁ କହିଲେ ଚଳେ ।

ସୁନୀଲ କୁମାର ବନ୍ସଲ

୧୯୮୭ ବ୍ୟାଚର ସୁନୀଲ କୁମାର ବନ୍ସଲଙ୍କ ନାଁ ମଧ୍ୟ ଡିଜିପି ପଦ ପାଇଁ ଚର୍ଚ୍ଚା ହେଉଛି । ସେ ଏବେ ମୁମ୍ୱାଇରେ ଏସଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି । ତାଙ୍କ ଘର ରାଜସ୍ଥାନର ଜୟପୁରରେ । ସେ ୨୦୨୨ ମସିହା ଜୁନ୍ ମାସରେ ଅବସର ନେବେ । ତେଣୁ ମାତ୍ର ୬ ମାସ ପାଇଁ ସେ ଡିଜିପି ହୋଇପାରନ୍ତି । ତାଙ୍କର ସମ୍ଭାବନା ବି କମ୍ । ଯଦି ତାଙ୍କର ଅବସରସୀମା ବଢାଯାଏ, ତା ହେଲେ ସେ ଡିଜିପି ହୋଇପାରନ୍ତି ।

ମନୋଜ କୁମାର ଛାବ୍ରା

୧୯୮୮ ବ୍ୟାଚର ଅଫିସର ତଥା ଓଡିଶା ପୋଲିସ ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ନିର୍ଦ୍ଦେଶକ ମନୋଜ କୁମାର ଛାବ୍ରାଙ୍କ ନାଁ ମଧ୍ୟ ଏଥିପାଇଁ ବିଚାର କରାଯାଇପାରେ । ସେ ୨୦୨୩ ମସିହା ଅକ୍ଟୋବର ମାସରେ ଚାକିରିରୁ ଅବସର ନେବେ । ସେହି ବ୍ୟାଚର ଏମ୍ ଅକ୍ଷୟ ଚଳିତ ମାସରେ ଚାକିରିରୁ ଅବସର ନେଉଛନ୍ତି । ତେଣୁ ତାଙ୍କ ନାଁ ଚର୍ଚ୍ଚାକୁ ବି ଆସୁନାହିଁ ।

ସନ୍ତୋଷ ଉପାଧ୍ୟାୟ

ଜେଲ୍ ବିଭାଗର ଡିଜି ସନ୍ତୋଷ ଉପାଧ୍ୟାୟ ଏହି ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ଅଛନ୍ତି । ସେ ୧୯୮୮ ବ୍ୟାଚର ଅଫିସର ଓ ୨୦୨୩ ମସିହାରେ ଅବସର ନେବେ । ସେ ରାଜ୍ୟ ପୋଲିସର ବିଭିନ୍ନ ବିଭାଗରେ କାମ କରିଛନ୍ତି । ଓଡିଶା ପୋଲିସ ହ୍ୟୁମାନ ରାଇଟ୍ସ ସେଲର ଅତିରିକ୍ତ ଡିଜିପି ବିନୟାନନ୍ଦ ଝା ଆସନ୍ତା ମାର୍ଚ୍ଚ ମାସରେ ଅବସର ନେବେ । ତେଣୁ ୧୯୮୮ ବ୍ୟାଚର ଏହି ଅଫିସରଙ୍କୁ ଡିଜିପି କରାଯିବାର ସମ୍ଭାବନା ହିଁ ନାହିଁ ।

ଅରୁଣ ରାୟ

ତେବେ ସେହି ବ୍ୟାଚର ଅରୁଣ ରାୟ ପୋଲିସ ଯୋଗାଯୋଗର ସ୍ୱତନ୍ତ୍ର ଡିଜି ଅଛନ୍ତି । ତାଙ୍କର ଚାକିରି କାର୍ଯ୍ୟକାଳ ୨୦୨୫ ପର୍ଯ୍ୟନ୍ତ ରହିଛି । ସେ ମଧ୍ୟ ଡିଜିପି ହୋଇପାରିବେ । କିନ୍ତୁ ଏବେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଯାହା ନବଆ ଡିଜିପିଙ୍କୁ ଅନେକ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ । ତେଣୁ କେନ୍ଦ୍ରୀୟ ଡେପୁଟେସନରେ ଥିବା ଅଫିସରମାନେ ଏବେ ଦାୟିତ୍ୱ ନେବାକୁ ରାଜି ହୋଇନପାରନ୍ତି । ଜଣେ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ପଦରେ ପ୍ରଦୀପ କପୁର, ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟାୟ ଓ ଅରୁଣ ରାୟଙ୍କ ମଧ୍ୟରୁ କେହି ଜଣେ ବସିପାରନ୍ତି ।