• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ତଦନ୍ତ ଆଳରେ ଲୁଚିଯିବ କି ବାଲିଯାତ୍ରା ଦୁର୍ନୀତି । ଐତିହାସିକ ବାଲିଯାତ୍ରାରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଗଠନ ହୋଇଥିଲା ଯାଞ୍ଚ କମିଟି । ବିଭିନ୍ନ କାମ ପାଇଁ ହୋଇଥିବା ମନଇଚ୍ଛା ଖର୍ଚ୍ଚର ଯାଞ୍ଚ କରି କମିଟି ତଦନ୍ତ ରିପୋର୍ଟ ଦେବାକୁ ସ୍ଥିର ହୋଇଥିଲା । ହେଲେ କମିଟି ଗଠନର ଦୀର୍ଘଦିନ ପରେ ମଧ୍ୟ ତଦନ୍ତ ରିପୋର୍ଟ ପ୍ରକାଶ କରାଯାଇନାହିଁ, ଯାହାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ।

ବାଲିଯାତ୍ରା ଦୁର୍ନୀତିର କେବେ ହେବ ତଦନ୍ତ ? ଯାଞ୍ଚ ଆଳରେ ଲୁଚିଯିବକି ବାଲିଯାତ୍ରା ମହାଦୁର୍ନୀତି ? କେତେ ଦିନ ଭିତରେ ତଦନ୍ତ ୫୭୮ ରିପୋର୍ଟ ଦେବ କମିଟି ? ଯାଞ୍ଚ କମିଟି ଗଠନ କରି ସିଏମସି ଚୁପ୍ ବସିଥିବା ବେଳେ, ଏବେ ଉଠିଛି ଏଭଳି ପ୍ରଶ୍ନ । କମିଟି ଗଠନକୁ ଅନେକ ଦିନ ବିତିଥିଲେ ସୁଦ୍ଧା ଏଯାଏଁ ପ୍ରାଥମିକ ରିପୋର୍ଟ ବି ଦିଆଯାଇନି । ଏଣୁ କମିଟି କଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ କର୍ପୋରେଟର । ଜାଣିଶୁଣି ସଂପୃକ୍ତ ସଂସ୍ଥାକୁ ଖସେଇବାକୁ ବିଳମ୍ବ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

କମିଟି ବାଲିଯାତ୍ରା କାମର ମାନ ନିର୍ଦ୍ଦାରଣ ପରେ କେଉଁ କାମ ପାଇଁ କେଉଁ କେତେ ଟଙ୍କା ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଥିଲା । ମାତ୍ର ଦିନ ପରେ ଦିନ ଗଡୁଥିବା ବେଳେ, ଏଯାଏ ତଦନ୍ତ ନେଇ କୌଣସି ଅଗ୍ରଗତି ନହେବାରୁ ଦୁର୍ନୀତିର ଗନ୍ଧ ବାରିଛନ୍ତି ବିରୋଧୀ କର୍ପୋରେଟର ।

ଚଳିତ ବର୍ଷ ବାଲିଯାତ୍ରା ପାଇଁ ସିଏମସି ପକ୍ଷରୁ ମୋଟ ସାଢେ ୪ କୋଟି ଟଙ୍କାର ବଜେଟ କରାଯାଇଥିଲା । ଏଥିରୁ କେବଳ ୨ଟି ତୋରଣ ନିର୍ମାଣରେ ୧୬ ଲକ୍ଷ ଲେଖାଏଁ ୩୨ ଲକ୍ଷ ଟେଣ୍ଡର ହୋଇଥିଲା । ବାଉଁଶ ତିଆରି ଦୁଇ ତୋରଣ ପାଇଁ ଏତେ ଟଙ୍କାର ବ୍ୟୟ ବରାଦ ନେଇ ପ୍ରଶ୍ନ କରିଥିଲେ ବିରୋଧୀ । ସେହିପରି ୯୬ ଲକ୍ଷ ଟଙ୍କା ବ୍ୟୟରେ କନସେପ୍ଟ କମ୍ୟୁନିକେସନ ନାମକ ସଂସ୍ଥାକୁ ବାଲିଯାତ୍ରାରେ ଲେଜର ଶୋ କରାଯିବା ପାଇଁ ଟେଣ୍ଡର କରାଯାଇ କାମ ଦିଆଯାଇଥିଲା ।

ଏସି ହ୍ୟାଙ୍ଗର ୧ କୋଟି ୭୪ ଲକ୍ଷ ଟଙ୍କା ଟେଣ୍ଡର ହୋଇଥିଲା । ଯାହାକୁ ନେଇ ବିରୋଧୀ ଦୁର୍ନୀତି ଅଭିଯୋଗ ଆଣିବା ସହ ଧାରଣା ଦେଇଥିଲେ । ବିରୋଧ ପରେ ଯଦିଓ ସିଏମସି ଜଣେ ସିଟି ଇଂଜିନିୟର ଓ ୨ଜଣ ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ କମିଟି ଗଠନ କରିଥିଲେ, ମାତ୍ର ତଦନ୍ତ ଏବେ ଶୀତଳଭଣ୍ଡାରରେ ଥିବା ଅଭିଯୋଗ ହୋଇଛି ।

ସେପଟେ ମେୟର ପୁଣି ପୁରଣା କଥା ଦୋହରାଇଛନ୍ତି, କହିଛନ୍ତି କୌଣସି ଦୁର୍ନିତି ହୋଇନି, ତଦନ୍ତ ରିପୋର୍ଟ ଆସିଲେ କାଉନସିଲ ବୈଠକରେ ଉପସ୍ଥାପନ କରାଯିବ । ତେବେ ବାଲିଯାତ୍ରା ତଦନ୍ତ ରିପୋର୍ଟ ପ୍ରକୃତରେ ସାମନାକୁ ଆସିବ ନା ତଦନ୍ତ ଆଳରେ ଲୁଚିଯିବ ତାକୁ ହିଁ ଅପେକ୍ଷା ।

  • Reported by:
  • DEBASHISH MOHANTY