• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହନ୍ତି ନିୟତି ଆଗରେ କାହାର ଟିକିଏ ବି ରାଜ୍ ଚାଲେନି । ହେଲେ ମାଆକୁ ଦେଇଥିବା କଥା ରଖିବାକୁ ନିୟତି ବଦଳାଇବାକୁ ବାହାରିଛନ୍ତି ଆଉ ଜଣେ ନିୟତି । ଦାଦନ ଯନ୍ତ୍ରଣାର ଶିକାର ହୋଇ ମାଆ ଆଖି ବୁଜିବା ପରେ ଦେଇଥିବା କଥା ରଖିବାକୁ ପଣ କରିଛି ଝିଅ । ଗୋଟିଏ ପଟେ ମାଆର ଶବକୁ ନେଇ ରାଜରାସ୍ତାରେ ଆନ୍ଦୋଳନ ଚାଲିଥିବା ବେଳେ, ଅନ୍ୟପଟେ ସ୍ୱପ୍ନକୁ ପୂରଣ କରିବାକୁ ଝିଅ ଦେଇଛି ମାଟ୍ରିକ ପରୀକ୍ଷା । ଦାଦନ ଦୁଃଖର ଏ କାହାଣୀ ହେଉଛି ବଲାଙ୍ଗୀର ବେଲପଡ଼ା ବ୍ଲକ ସୁଲେକେଲା ଗାଁର ।

ଝିଅଟି ନିଜ ମାଆକୁ ମନେ ପକାଇ କୋହଭରା କଣ୍ଠରେ ମାଆକୁ ଦେଇଥିବା ପ୍ରତିଶ୍ରୁତି ରଖିବ ବୋଲି କହିଛି । ପେଟପାଟଣାର ଯୁଦ୍ଧରେ ହାରି ମାଆ ଚାଲିଗଲାଣି ପରପାରିକୁ । ଆଉ ଏପଟେ ମାଆର ସ୍ୱପ୍ନ ପୁରା କରିବାକୁ ଝିଅ ଦେଉଛି ପରୀକ୍ଷା । ତେବେ ଏହାରି ଭିତରେ ସାମ୍ନାକୁ ଆସିଛି ବିଚଳିତ କଲା ଭଳି ଦୁଇଟି ଦୃଶ୍ୟ ।

ବେଲପଡା ବ୍ଳକ ସୁଲେକେଲା ହାଇସ୍କୁଲ ପରୀକ୍ଷା ହଲରେ ମାଟ୍ରିକ୍ ବୋର୍ଡ ପରୀକ୍ଷା ଦେଉଛି ଝିଅ । ସେପଟେ ମାଁର ଶବକୁ ଧରି ରାଜରାସ୍ତାରେ ଆନ୍ଦୋଳନ ହେଉଛି । ସରକାରୀ ବାବୁଙ୍କ ଆଗରେ ଶବ ରଖି ମଗାଚାଲିଛି କ୍ଷତିପୂରଣ । ହେଲେ ଏପଟେ ନିୟତିର ମନରେ ଗୋଟିଏ ଝୁଙ୍କ୍, କେମିତି ପୂରା କରିବ ମାଆର ସପନ । ମାଆର ଅବର୍ତ୍ତମାନରେ ଘରେ ସବୁ ଦାୟିତ୍ୱ ତୁଲାଇବା ସହ ଦେଉଛି ଛାତ୍ର ଜୀବନର ବଡ଼ ପରୀକ୍ଷା । ନିୟତି ଉପରେ ନିୟତିର ଏ ପରୀକ୍ଷା ଦେଖି, ଶିକ୍ଷକଙ୍କ ଆଖି ବି ଲୁହରେ ଭିଜିଛି ।

ପେଟପାଟଣା ପାଇଁ ଦାଦନ ସର୍ଦ୍ଦାର ଜରିଆରେ ସ୍ୱାମୀ ପରୀରାଜଙ୍କ ସହ ହାଇଦ୍ରାବାଦର ଇଟାଭାଟିକୁ କାମ କରିବାକୁ ଯାଇଥିଲେ ସ୍ନେହଶିଳା । ଦୁଇ କୁନି ପୁଅକୁ ସାଙ୍ଗରେ ନେଇଥିଲେ, ହେଲେ ମାଟ୍ରିକ ପରୀକ୍ଷା ଥିବାରୁ ଘରେ ଏକାକୀ ଥିଲେ ନିୟତି । ହାଇଦ୍ରାବାଦର ଏକ ଇଟାଭାଟିରେ ଦାଦନ ଖଟୁଥିବା ବେଳେ ମାଲିକର ନିର୍ଯାତନା ବଢିଥିଲା । କମ ଖାଦ୍ୟକୁ ବେଶି କାମ । ତେଣୁ ରୋଗରେ ପଡିଲେ ସ୍ନେହଶିଳା । ଶେଷରେ ଚିକିତ୍ସା ଅଭାବରୁ ଆଖି ବୁଜିଦେଲେ ସ୍ନେହଶିଳା । ମରଶରୀର ଗାଁରେ ପହଞ୍ଚିବା ପରେ ଗାଁ ଲୋକଙ୍କ ସହାୟତାରେ ସ୍ଥାନୀୟ ସର୍ଦ୍ଦାର ଓ ଇଟାଭାଟି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବେଲପଡା ଥାନାର ଦ୍ୱାରସ୍ଥ ହୋଇଥିଲା ପୁରା ପରିବାର । ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ପାଟଣାଗଡ ଉପ-ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ଶବ ରଖି ଧାରଣା ଦେଇଥିଲେ । ରେଡକ୍ରସର ସହାୟତା ଓ ପ୍ରତିଶ୍ରୁତି ପରେ ଧାରଣା ହଟିଯାଇଛି ସତ ହେଲେ ଏପଟେ ଝିଅର ସଂଘର୍ଷକୁ ସମସ୍ତେ କରିଛନ୍ତି ସଲାମ ।