Advertisment

ବର୍ଷାରେ ଭିଜୁଛି ମଣ୍ଡିରେ ପଡ଼ିଥିବା ସାଇତା ଧାନ

ଲରଙ୍କୁ ଅପେକ୍ଷା ଭିତରେ ବର୍ଷାରେ ଭିଜି ଗଜା ଧରିରାଣି ସାଇତା ଧାନ। ଏହା ସତ୍ତ୍ୱେ ଏଯାଏଁ ମିଲର୍ସଙ୍କ ଦେଖାନଥିବା ଅଭିଯୋଗ କରିଛନ୍ତି ଚାଷୀ।

author-image
Chandan Shishu
ଅଦ୍ୟତନ ହୋଇଛି
Heavy Rainfall Alert

Heavy Rainfall Alert

ଖୋଲା ଆକାଶ ତଳେ ଦିନ ଦିନ ଧରି ଭିଜୁଛି ବର୍ଷକର ଦାନାପାଣି। ଏ ବର୍ଷା ଛାଡ଼ିବା ପରେ ସାଇତା ସମ୍ପତ୍ତି ସୁରକ୍ଷିତ ଥିବ କି ନା, ତାକୁ ନେଇ ଆଶା ଆଶଙ୍କା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଛୋରିଆଗଡ଼ ଧାନ ମଣ୍ଡିରେ ଅଦିନିଆ ବର୍ଷା ଦାଉ ସାଧିଛି। ଅକ୍ଲାନ୍ତ ଶ୍ରମ ପରେ କ୍ଷେତରେ ସୁନା ଫଳାଇ ତାକୁ ବିକି ପ୍ରାପ୍ୟ ପାଇବାକୁ ଆସିଥିଲା ଚାଷୀ। ହେଲେ ଏଠି ଦାଉ ସାଧୁଛି ଅଦିନିଆ ବର୍ଷା। ଏଇ ତାର୍ପୋଲିନକୁ ଭରଷା କରି ବର୍ଷକର ସମ୍ପତ୍ତିକୁ ଘୋଡ଼ାଇ ରଖିଛି ଚାଷୀ। ପଲିଥିନ୍ ଘୋଡ଼ାଇ ଦେଲେ ଉପର ପାଣିରୁ ରକ୍ଷା ମିଳୁଛି ସିନା, ହେଲେ ତଳ ପାଣିରୁ ଧାନକୁ କେମିତି ସୁରକ୍ଷା ଦେବ, ତାକୁ ନେଇ ନାକେଦମ ହେଲାଣି ଚାଷୀ।

Advertisment

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶଗଡ଼ା ଅଟାଙ୍ଗଗୁଡ଼ା ମଣ୍ଡିରେ ସମାନ ଦୃଶ୍ୟ। ଟୋକନ ପାଇବା ପରେ ମଣ୍ଡିକୁ ଧାନ ଆଣି ଅପେକ୍ଷା କରିଛନ୍ତି ଶହ ଶହ ଚାଷୀ।  କିନ୍ତୁ ଧାନ ନଉଠିବା ପଛରେ ଗୋଟେପଟେ ସରକାରୀ ଅବ୍ୟବସ୍ଥା, ଅନ୍ୟପଟେ ବର୍ଷା ପରର ଯାତନାରେ ଚାଷୀ ପାଉଛି ନରକ ଯନ୍ତ୍ରଣା। ଆଉ ବରଗଡ଼ ଜିଲ୍ଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନ ତେତଳଟିକ୍ରା ମଣ୍ଡିର ଦୃଶ୍ୟ। ଏଠି ବି ଖୋଲା ଆକାଶ ତଳେ ପଡ଼ିଛି ୧୦ ହଜାର ବସ୍ତାରୁ ଅଧିକ ଧାନ। ମିଲରଙ୍କୁ ଅପେକ୍ଷା ଭିତରେ ବର୍ଷାରେ ଭିଜି ଗଜା ଧରିରାଣି ସାଇତା ଧାନ। ଏହା ସତ୍ତ୍ୱେ ଏଯାଏଁ ମିଲର୍ସଙ୍କ ଦେଖାନଥିବା ଅଭିଯୋଗ କରିଛନ୍ତି ଚାଷୀ।

ପଶ୍ଚିମ ଓଡ଼ିଶାରେ ହୋଇଥିବା ଲଗାଣ ବର୍ଷା ଖାଲି ଧାନ ଫସଲ ନୁହେଁ, ପନିପରିବା ଚାଷ କରିଥିବା ଚାଷୀଙ୍କ ମେରୁଦଣ୍ଡକୁ ବି ଦୋହଲାଇ ଦେଇଛି। ପ୍ରବଳ କୁଆପଥର ବୃଷ୍ଟି ପରେ କାଶ୍ମୀରର ଭ୍ରମ ସୃଷ୍ଟି କରୁଥିବା ଏ ଚିତ୍ର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଓ ଜୁନାଗଡ଼ ଅଞ୍ଚଳର। ଫୁଟେ ଉଚ୍ଚରେ ଗଦା ହୋଇଛି କୁଆପଥର ମାଡ଼ରେ ଛିନଛତ୍ର ହୋଇପଡ଼ିଛି ବହୁ ଅର୍ଥକାରୀ ପରିବା ଫସଲ। କୋବି, ପିଆଜ, ଲଙ୍କା ଆଦି ଫସଲ କିଆରୀ ଅବସ୍ଥା ଦେଖିଲେ ଚାଷୀର ହୋସ୍ ଉଡ଼ିଯାଉଛି।

Advertisment

ସେହିଭଳି ବଲାଙ୍ଗିର ଜିଲ୍ଲାର ବହୁ ଚାଷୀଙ୍କ ଆଖିରେ ଲୁହ ଆଣିଦେଇଛି ଅଦିନିଆ ବର୍ଷା। ଜିଲ୍ଲାରେ ପନିପରିବା ଚାଷ କରିଥିବା ବହୁ ଚାଷୀଙ୍କ ପୁରନ୍ତା କ୍ଷେତକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି କୁଆପରର ବର୍ଷା। ପଶ୍ଚିମା ଝଡ଼ ପ୍ରଭାବରେ ହେଉଥିବା ଲଗାଣ ବର୍ଷା ଖାଲି ପଶ୍ଚିମ ଓଡ଼ିଶା ନୁହେଁ, ଉପକୂଳ ଓଡ଼ିଶାର ବହୁ ଚାଷୀଙ୍କ ଧାନ ଓ ପରିବା କ୍ଷେତକୁ ନଷ୍ଟ କରିଛି।

Weather Forecast Weather In Odisha
Advertisment
Advertisment