Advertisment

ମାତ୍ର ୪ ବର୍ଷ ନ ଯାଉଣୁ ୪ଶହ କୋଟିର ଜାନିବିଲି ପ୍ରକଳ୍ପରେ ସମସ୍ୟା, ନିମ୍ନମାନର କାମକୁ ଦାୟୀ କଲେ ସହର ବାସିନ୍ଦା

୩୦ ବର୍ଷକୁ ଆଖି ଆଗରେ ରଖି ୪ ଶହ କୋଟିରୁ ଅଧିକ ଟଙ୍କାରେ ଯେଉଁ ପ୍ରକଳ୍ପ କରାଯାଇଥିଲା, ତାହା ଭଲରେ ଭଲରେ ୪ ବର୍ଷ ବି ଗଲାନାହିଁ। ୪ ଦିନ ଧରି ବ୍ରହ୍ମପୁର ପରି ଏତେ ବଡ଼ ସହର ପାଣି ବିନା ଛଟପଟ ହେଲା।

author-image
Santosh Kumar Sahoo
Water Problem In Berhampur

Water Problem In Berhampur

୪ ଦିନ ଧରି ପାଣି ପାଇଁ ଦହଗଂଜ । ମଙ୍ଗଳବାରରୁ ଶୁକ୍ରବାର। ପାଣି ପାଇଁ ହାହାକାର। ଟ୍ୟାପରେ ତ ପାଣି ଆସୁନଥିଲା, ସେଥିପାଇଁ ଗରା ବାଲ୍ଟି ଧରି ନଳକୂଅ ଆଗରେ ମହିଳାଙ୍କ ଭିଡ଼। ଯେଉଁଠି ଟ୍ୟାଙ୍କରରେ ପାଣି ଦିଆଯାଉଥିଲା, ତାହା ବି ସମୁଦ୍ରକୁ ଶଙ୍ଖେ। ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ଖୋଦ୍ ବ୍ରହ୍ମପୁରରେ ଏହି ଅବସ୍ଥା। ମଙ୍ଗଳବାରଠାରୁ ଜାନିବିଲି ପ୍ରକଳ୍ପରୁ ପାଣି ନ ଆସିବାରୁ ହଇରାଣ ହୋଇଥିଲେ ସହରବାସୀ। ଶେଷରେ ଆଜି ପାଣି ଆସିଛି। ଏହା ପରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି। କିନ୍ତୁ ଯେଉଁ ଜାନିବିଲି ପ୍ରକଳ୍ପ ବ୍ରହ୍ମପୁରକୁ ୨୪ ଘଣ୍ଟା ପାଣି ଦେବ ବୋଲି କୁହାଯାଇଥିଲା, ତା ଉପରେ ଉଠିଛି ପ୍ରଶ୍ନ।

Advertisment

୨୦୧୯ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବଡ଼ ଧୁମଧାମରେ ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ଜାନିବିଲି ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୦ ବର୍ଷକୁ ଆଖି ଆଗରେ ରଖି ପୁରା ବ୍ରହ୍ମପୁରକୁ ୧୨୦ ଏମଏଲଡି ପାଣି ଯୋଗାଇ ଦେବାକୁ ଏହି ପ୍ରକଳ୍ପ କରାଯାଇଥିଲା। ବଜେଟ ଥିଲା ୪୩୦ କୋଟି ଟଙ୍କା। କିନ୍ତୁ ମାତ୍ର ୪ ବର୍ଷରେ ତା ଉପରେ ଉଠିଲାଣି ପ୍ରଶ୍ନ, ଯେଉଁଥିପାଇଁ ୪ ଦିନ ବିନା ଟ୍ୟାପ୍ ପାଣିରେ ରହିଥିଲା ବ୍ରହ୍ମପୁର। ୱାଟକୋ କହିଛି, ହିଞ୍ଜିଳି ପାଖରେ ଦୁଇଟି ପାଇପର ୱେଲଡିଂରେ ଛିଦ୍ର ହୋଇଥିବାରୁ ଏହି ସମସ୍ୟା ହୋଇଥିଲା। ତାକୁ ମରାମତି କରାଯିବା ପରେ ପାଣି ଆସିଛି ।

ଆଗରୁ ସୋରଡ଼ା ଦକ୍ଷିଣପୁର ଓ ଛତ୍ରପୁର ବଡ଼ମାଧପୁର ପ୍ରକଳ୍ପରୁ ବ୍ରହ୍ମପୁରକୁ ପାଣି ଆସୁଥିଲା। ଜାନିବିଲି ପ୍ରକଳ୍ପ ପରେ ଏହି ଦୁଇଟି ସ୍ରୋତ ବନ୍ଦ। ଏବେ ଜାନିବିଲି ପ୍ରକଳ୍ପରେ ସମସ୍ୟା ପରେ ଅନ୍ୟ କିଛି ବିକଳ୍ପ ନ ଥିବାରୁ ପୁରା ବ୍ରହ୍ମପୁର ପାଣି ପାଇଁ ଛଟପଟ ହୋଇଥିଲା। ଏହାକୁ କେମିତି ଦୂର କରାଯାଇପାରିବ, ସେଥିପାଇଁ ୱାଟକୋକୁ ଉତ୍ତର ମଗାଯାଇଥିବା କହିଛନ୍ତି ବିଏମସି କମିଶନର।

Advertisment

ଏବେ ବି ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଜାନିବିଲି ପ୍ରକଳ୍ପର ପାଇପ୍ ଫାଟି ପାଣି ଝରୁଛି। ଏଥିପାଇଁ ନିମ୍ନମାନର ପାଇପକୁ ଦାୟୀ କରୁଛନ୍ତି ଲୋକେ । ୩୦ ବର୍ଷକୁ ଆଖି ଆଗରେ ରଖି ଯେଉଁ ପ୍ରକଳ୍ପ କରାଯାଇଥିଲା, ମାତ୍ର ୪ ବର୍ଷରେ ତା’ର ଅସଲ ରୂପ ପଦାକୁ ଆସିଲାଣି ।

Odisha Berhampur Water Problem
Advertisment
Advertisment