• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ରାପଡା ଜିଲ୍ଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି । ନିତିଦିନିଆ ବ୍ୟବହାର ପାଇଁ ପାଣି ଟୋପେ ନପାଇ ଲୋକେ ଡହଳବିକଳ ହେଉଛନ୍ତି ।ଗାଁରେ ନଳକୂପରୁ ବାହାରୁଛି ଗୋଳିଆ ପାଣି । ଏମିତିକି ପାଇପ୍‌ରୁ ବି ଆସୁନି ପାଣି । ଫଳରେ ଜଳ ବିହୁନେ ହନ୍ତସନ୍ତ ହେଉଛନ୍ତି ଲୋକେ । ଅନ୍ୟପଟେ କେନ୍ଦ୍ରାପଡ଼ା ସହରରେ ମଧ୍ୟ ଜଳ ସଙ୍କଟ ଦେଖାଯାଇଛି । ସହରକୁ ଆସୁଥିବା ଲୋକେ ପାଇପାରୁନାହାନ୍ତି ଜଳଛତ୍ର ସୁବିଧା ।

କେନ୍ଦ୍ରାପଡା ଜିଲ୍ଲା ବଗଡା ପଂଚାୟତ କଚେରୀପଡା ଗାଁର ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଠି ରହିଛି ୨ଟି ନଳକୂପ । ଘରେ ଘରେ ଲାଗିଛି ଟ୍ୟାପ୍ । କିନ୍ତୁ ଲୋକେ କେଉଁଥିରୁ ବି ପାଇପାରୁନାହାନ୍ତି ପାଣି ସୁବିଧା । ଗୋଟିଏ ନଳକୂପ ଅଚଳ, ଅନ୍ୟଟିରେ ଗୋଳିଆ ପାଣି ବାହାରୁଥିବାରୁ ପିଇବା ଉପଯୋଗୀ ହୋଇପାରୁନି । ଘଣ୍ଟାଏ ଲାଇନ୍ ଦେବା ପରେ ଭରୁଛି ବାଲଟିଏ ପାଣି । ଯାହାକୁ ନେଇ ଅସନ୍ତୁଷ୍ଟ ଗାଁ ଲୋକ ।

ଗାଁର ପମ୍ପହାଉସ ବି ଦୂରରେ ଥିବାରୁ ପାଇପ ପାଣି ଗାଁରେ ପହଂଚିପାରୁନି । ୨୦୧୯ରେ ଗାଁରେ ଏକ ସୌରଚାଳିତ ପାଣି ପମ୍ପ ଲଗାଯାଇଥିଲା । ତାହା ବି ଅଚଳ ହୋଇପଡ଼ିଛି । ଫଳରେ ଗାଁ ପାଖରେ ଥିବା ଏକ ପୋଖରୀ ଉପରେ ନିର୍ଭରଶୀଳ ଲୋକେ । ଅନ୍ୟପଟେ ଆରଡବ୍ଲୁଏସଏସ ଅଧିକାରୀଙ୍କ କହିବା କଥା ଖୁବଶୀଘ୍ର ପାଣି ବ୍ୟବସ୍ଥା କରାଯିବ ।

ସେପଟେ କେନ୍ଦ୍ରାପଡା ସହରକୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସହରର ୨୧ଟି ୱାର୍ଡରୁ ମାତ୍ର ୯ଟି ୱାର୍ଡରେ ମ୍ୟୁନିସିପାଲିଟି ପକ୍ଷରୁ ଜଳଛତ୍ର ଖୋଲାଯାଇଛି । ଅନ୍ୟ ୧୨ଟି ୱାର୍ଡରେ ପାଣିର କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଅସନ୍ତୋଷ ତେଜିଛି । ସେହିପରି ପୌରାଞ୍ଚଳ ଅଧୀନରେ ୨୧୮ଟି କାର୍ଯ୍ୟକ୍ଷମ ନଳକୂଅ ଥିବାବେଳେ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ଥଣ୍ଡା ପାନୀୟ କେନ୍ଦ୍ର ଏବଂ ଜଳଛତ୍ର ସଂଖ୍ୟା ବୃଦ୍ଧି କରିବାକୁ ଦାବି ହୋଇଛି । ତେବେ ଖୁବ୍‌ଶୀଘ୍ର ଏନେଇ ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପୌରାଧ୍ୟକ୍ଷା ।

ସେହିଭଳି ଭଦ୍ରକ ଚାନ୍ଦବାଲି ଭଟପଡ଼ା ପଞ୍ଚାୟତ ସହଦେବପାଟଣାରେ ପାଣି ପାଇଁ ଡହଳ ବିକଳ ଲୋକ । ଗାଁରେ ଥିବା ଏକ ମାତ୍ର ନଳକୂପଟି ଦୀର୍ଘ ବର୍ଷ ହେଲା ଅଚଳ ହୋଇଯାଇଛି । ଏନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନି । ଫଳରେ ସହଦେବପାଟଣା ଓ ବାଗଦାସ ପାଟଣାର ୪ଶହ ଲୋକ ସମସ୍ୟାର ସାମନା କରୁଛନ୍ତି । ଗାଁକୁ ଦିଆଯାଇଥିବା ପାଇପ ପାଣି ଠିକ ସମୟରେ ଆସୁନାହିଁ, ଏପରକି ସେଥିରେ ମଇଳା ପାଣି ବାହାରୁ ଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଚାନ୍ଦବାଲି ଗ୍ରାମ୍ୟଜଳ ଯୋଗାଣ ପ୍ରକଳ୍ପ ବିଭାଗର ଯନ୍ତ୍ରୀ କହିଛନ୍ତି, ନଳକୂପଟି ବହୁ ପୁରୁଣା ଏଣୁ ଯଥାଶୀଘ୍ର କେମିତି ନୂଆ ନଳକୂପ ବସାଯାଇପାରିବ ସେଥିପ୍ରତି ପଦକ୍ଷପ ନିଆଯାଉଛି ।