/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696257568.jpg)
SCB Medical College
କାଲି ଲାଇନ୍ ନଥିଲା, ଆଜି ପାଣି ନାହିଁ । ବିଶ୍ୱସ୍ତରୀୟର ଡିଣ୍ଡିମ ପିଟା ଚାଲିଥିବା ଏସସିବି ମେଡିକାଲରେ ଯେମିତି ସରୁନି ଅନ୍ତଃହୀନ ଦୁର୍ଦ୍ଦଶା । ଦୁଇ ଦିନ କାଳ ବିନା ଲାଇନରେ ଛଟପଟ ହେବା ପରେ କାଲି ସନ୍ଧ୍ୟାରୁ ଆଜି ସକାଳ ୮ଟା ଯାଏଁ ବିନା ପାଣିରେ କଲବଲ ହୋଇଛନ୍ତି ରୋଗୀ ଓ ସେମାନଙ୍କ ସଂପର୍କୀୟ ।
ବାଁ ହାତରେ ପରିସ୍ରା ଥଳି । ଡାହାଣ ହାତରେ ଖାଲି ବୋତଲ । ସର୍ଜରୀ ୱାର୍ଡରୁ ବେଡ୍ ଛାଡ଼ି ପାଣି ମୁନ୍ଦେ ପାଇଁ ନିଜେ ଆସିଛନ୍ତି ଅପରେସନ ରୋଗୀ ଅର୍ଜୁନ ସାହୁ । କାଲି ରାତିଠୁ ପାଇଖାନାରେ ପାଣି ଆସୁନି, ତେଣୁ ବାହାରୁ ନନେଲେ ଶୌଚ ହେବେ କେମିତି ?
ଦୁଇ ଦିନ କାଳ ଲାଇନ୍ କଲବଲ କରିଥିଲା । ଆଉ ଲାଇନ୍ ଆସିବା ପରେ କାଲି ସନ୍ଧ୍ୟାରୁ ସାରା ରାତି ପାଣି ପାଇଁ ଦହଗଞ୍ଜ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱସ୍ତରୀୟ ମେଡିକାଲର ଘୋଷା ଚାଲିଥିବା ଏସସିବିରେ ଯେମିତି ରୋଗୀଙ୍କ ଦୁର୍ଦ୍ଦଶା ଦେଖିବାକୁ କି ଶୁଣିବାକୁ କେହି ନାହିଁ । ସୂଚନା ଅନୁସାରେ ମେଡିକାଲକୁ ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ପାଣି ଟାଙ୍କି ରହିଛି । ହେଲେ ହଠାତ୍ କାଲି ସନ୍ଧ୍ୟା ପରେ ସବୁ ୱାର୍ଡକୁ ଜଳ ଯୋଗାଣ ବନ୍ଦ ହୋଇଗଲା । ଡହଳ ବିକଳ ହୋଇ ପଡ଼ିଲେ ରୋଗୀ ଓ ସଂପର୍କୀୟ ।
ପିଇବା ପାଇଁ ସିନା କିଣି ଆଣି ଚଳେଇ ଦେଲେ, ହେଲେ ଝାଡ଼ା-ପରିସ୍ରା ଯିବା ବେଳକୁ ଅକଲ ଗୁଡମ୍ । ବାଲଟି-ବୋତଲ ଧରି ଲୋକେ ଏ ୱାର୍ଡରୁ ସେ ୱାର୍ଡ ଘୂରି ବୁଲୁଥିଲେ । ଭାବୁଥିଲେ ଘଣ୍ଟାଏ କିଦି ଘଣ୍ଟା ଭିତରେ ପାଣି ଆସିଯିବ । ହେଲେ ରାତି ପାହିଗଲା ସିନା ସମସ୍ୟା ସୁଧୁରିଲାନି । ସକାଳକୁ ତ ସ୍ଥିତି ଆହୁରି ସଂଗୀନ ହୋଇପଡ଼ିଲା । ବାହାରେ ଯେଉଁ ଗୋଟିଏ ଦୁଇଟି ଟ୍ୟାପ୍ ଚାଲୁଥିଲା ସେଠି ଲାଇନ୍ ଲାଗିଗଲା, ବୋତଲେ ପାଣି ଭରିବାକୁ ୫ମିନିଟ୍ ଲାଗୁଥିଲା ।
କାହିଁକି ହେଲା ରାଜ୍ୟର ସବୁଠୁ ବଡ଼ ମେଡିକାଲରେ ଜଳ ଯୋଗାଣରେ ବିଭ୍ରାଟ ? ରୋଗୀ ଓ ସଂପର୍କୀୟଙ୍କ ଏ ଦୁର୍ଦ୍ଦଶା ପାଇଁ ଦାୟୀ କିଏ ? ଉତ୍ତର ଖୋଜିଲା ବେଳକୁ ଆଜି ଗାନ୍ଧୀ ଜୟନ୍ତୀ ଛୁଟି ଥିବାରୁ ମେଡିକାଲ କର୍ତ୍ତୃପକ୍ଷଙ୍କର କାହାରି ଦର୍ଶନ ନଥିଲା । ତେଣେ ୱାଟକୋ ଅଧିକାରୀ କହିଥିଲେ, ସର୍ଜରୀ ୱାର୍ଡ ପାଖରେ ଏକ ପାଇପ୍ ଫାଟି ଯିବାରୁ ମରାମତି ପାଇଁ ପାଣି ବନ୍ଦ ହୋଇଥିଲା, ସକାଳୁ ଠିକ୍ ହୋଇଯାଇଛି ।
ବିଦ୍ୟୁତ୍ ତ ପରେ ପରେ ପାଣି ପାଇଁ ଦୁର୍ଦ୍ଦଶାରେ ହନ୍ତସନ୍ତ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ପ୍ରଶ୍ନ ଏସସିବି ତାହାଲେ କେଉଁ ଆଡୁ ବିଶ୍ୱସ୍ତରୀୟ ମେଡିକାଲ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)